ନୂଆଦିଲ୍ଲୀ, ୩୧।୮(ପି.ଟି.): ବିଶ୍ୱରେ ୭ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖେଳନା ବଜାର ରହିଥିବାବେଳେ ଏଥିରେ ଭାରତର ଅଂଶ ନଗଣ୍ୟ। ଭାରତକୁ ବିଶ୍ୱର ଖେଳନା କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରତିଭା ଓ ସାମର୍ଥ୍ୟ ରହିଛି। ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗୀମାନେ ଏଥିପାଇଁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମନ୍ କୀ ବାତ୍ ରେଡିଓ କାର୍ଯ୍ୟକ୍ରମରେ ଆହ୍ବାନ ଦେଇଛନ୍ତି। ଷ୍ଟାର୍ଟଅପ୍ଗୁଡ଼ିକ ସ୍ଥାନୀୟ ଖେଳନା ସହ କମ୍ପ୍ୟୁଟର ଗେମ୍ର ବିକାଶ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଦେଶର ଉନ୍ନତ ଐତିହ୍ୟ ଓ ପରମ୍ପରା ଖେଳନା ଓ କ୍ରୀଡ଼ା ଶିଳ୍ପକୁ ନବୋନ୍ମେଷ ଦେଇପାରିବ। ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ, ଦେଶକୁ ସବୁ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ଏଥିପାଇଁ ଖେଳନା ଶିଳ୍ପରେ ବଡ଼ ସୁଯୋଗ ରହିଛି। ଏବେ ଉତ୍ସବର ସମୟ ହୋଇଥିଲେ ହେଁ କରୋନା ମହାମାରୀ ଯୋଗୁ ସେଗୁଡ଼ିକ ଫିକା ପଡ଼ିଯାଇଛି। ଭାରତୀୟ ଉତ୍ସବ ସହିତ ପରିବେଶର ଗଭୀର ସମ୍ପର୍କ ରହିଛି। ନିକଟରେ ବିଭିନ୍ନ ସ୍ଥାନରେ ପରିବେଶ ଅନୁକୂଳ ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇଥିଲା। କୃଷକମାନଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ। କରୋନା ମହାମାରୀ ସମୟରେ ସେମାନେ ଦୁଃସାହସର ପରିଚୟ ଦେଇଛନ୍ତି। ଗତବର୍ଷ ତୁଳନାରେ ଚଳିତ ଖରିଫ ଋତୁରେ ୭ ପ୍ରତିଶତ ଅଧିକ ଜମିରେ ଚାଷ କରାଯାଇଛି। ଧାନ ଚାଷ...