Skip to main content

କରୋନା କାଳରେ ମୃତକ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ରିଷି କପୁର (୧୯୫୨-୨୦୨୦) ଜଣେ ପ୍ରସିଦ୍ଧ ଅଭିନେତା ଥିଲେ। ଅତି କମ୍‌ ବୟସରେ ସେ ଫିଲ୍ମ ‘ବବି’ରେ ଅଭିନୟ କରି ଦର୍ଶକମାନଙ୍କ, ବିଶେଷତଃ ଯୁବ ସମାଜ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଇଥିଲେ। ସେ ବଲିଉଡ୍‌ର ଶୋ-ମ୍ୟାନ୍‌ ଭାବେ ପରିଚିତ ରାଜ କପୁରଙ୍କ ପୁତ୍ର। କରୋନା କାଳରେ ସେ ୩୦ ଏପ୍ରିଲ୍‌ ୨୦୨୦ରେ ମୁମ୍ବାଇ ନଗରରେ ଇହଲୀଳା ସାଙ୍ଗ କରିଥିଲେ। ତାଙ୍କ ଶବ ଶୋଭାଯାତ୍ରାରେ କୋଭିଡ୍‌ ସଂକ୍ରମଣ ବିପକ୍ଷେ ସରକାର ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତଦନୁସାରେ ଖୁବ୍‌ ସୀମିତ ଲୋକ ଉପସ୍ଥିତ ଥିଲେ। ତନ୍ମଧ୍ୟରେ ଥିଲେ ତାଙ୍କ ପରିବାରର ପୁତ୍ର ରଣବୀର କପୁର, ପତ୍ନୀ ନିତୁ କପୁର, ରଣଧୀର କପୁର, ଅଭିନେତା ଅଭିଷେକ ବଚ୍ଚନ, କରୀନା କପୁର, ସୈଫ ଅଲ୍ଲୀ ଖାନ୍‌। କିନ୍ତୁ ତାଙ୍କ ଅତି ଆଦରର କନ୍ୟା ରିଧିମା କପୁର ତାଲାବନ୍ଦ କଟକଣା ଯୋଗୁ ଦିଲ୍ଲୀରୁ ପହଞ୍ଚତ୍ପାରି ନ ଥିଲେ।
ରିଷି ତାଙ୍କ ସହକର୍ମୀ ବିନୋଦ ଖାନାଙ୍କ ଶବ ଶୋଭାଯାତ୍ରାରେ କମ୍‌ ସଂଖ୍ୟକ ଲୋକଙ୍କ ସମାଗମ ସକାଶେ ଗଭୀର ଭାବେ କ୍ଷୁବ୍ଧ ହୋଇଥିଲେ। ବିନୋଦ ଖାନା(୧୯୪୬-୨୦୧୭) ୨୭ ଏପ୍ରିଲ୍‌ ୨୦୧୭ରେ ମୃତ୍ୟୁବରଣ କରିଥିଲେ। ସେତେବେଳେ ଶ୍ମଶାନକୁ ଶବ ଅନୁସରଣକାରୀଙ୍କ ସଂଖ୍ୟା ବିଷୟରେ କୌଣସି ନିଷେଧାଦେଶ ନ ଥିଲା। ତଥାପି ତାହା ଥିଲା ନୈରାଶ୍ୟଜନକ। ବିନୋଦ ଅଭିନୟ ପାଇଁ ଏକାଧିକ ଥର ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ ହୋଇଥିଲେ। ପୁଣି ଚାରି ଥର ସଂସଦ ସଦସ୍ୟ ହୋଇ କେନ୍ଦ୍ରମନ୍ତ୍ରୀର କାର୍ଯ୍ୟ ନିର୍ବାହ କରିଥିଲେ। ତଥାପି ଶେଷ ଯାତ୍ରାରେ ଆଶାନୁରୂପ ଜନସମାଗମ(ବିଶେଷତଃ ଯୁବବର୍ଗ) ଦେଖିବାକୁ ମିଳିଲା ନାହିଁ।
ରିଷି ଏହି ଅବସରରେ ଲେଖିଥିଲେ ଯେ, ଏହା ଜଣେ ମୃତକଙ୍କ ପ୍ରତି ଘୋର ଅପମାନ। ବିନୋଦଙ୍କ ବଲିଉଡ୍‌ରେ ଅନେକ ଚଳଚ୍ଚିତ୍ର-ବ୍ୟକ୍ତିତ୍ୱ ସମେତ ଅଗଣିତ ପ୍ରଶଂସକ ଅଛନ୍ତି। ତଥାପି ଜୀବନର ଏକ ଅନ୍ତିମ ମହତ୍ତ୍ୱପୂର୍ଣ୍ଣ ଘଟଣାରେ ସେମାନେ ଯୋଗଦାନ କରି ନାହାନ୍ତି। ତେବେ ଏହି ପରିପ୍ରେକ୍ଷୀରେ ରିଷି ଆହୁରି ଆଶଙ୍କା ପ୍ରକାଶ କରିଥିଲେ ”ମୁଁ ମଲା ବେଳେ ମୋର ଦୁର୍ଦ୍ଦଶା ଏପରି ହୋଇପାରେ। ଫିଲ୍ମ ସହ ସମ୍ପୃକ୍ତ ବ୍ୟକ୍ତିମାନେ ଚଉଥ ବେଳେ ଦାମିକା ପୋଷାକ ପରିଧାନ କରି ବାତାନୁକୂଳିତ ପରିବେଶରେ ଭିଡ଼ ଜମାନ୍ତି। କିନ୍ତୁ ଶବ ସହ ଅନ୍ତିମ-ଯାତ୍ରାକୁ ଏଡ଼ାଇ ଦିଅନ୍ତି।“
ଉଲ୍ଲେଖନୀୟ ଯେ, ରିଷିଙ୍କ ଭବିଷ୍ୟବାଣୀ ତାଙ୍କ ଜୀବନରେ ଦୁର୍ଭାଗ୍ୟବଶତଃ ଘଟିଲା। ଅବଶ୍ୟ ଅନେକ ସାମଞ୍ଜସ୍ୟ ମଧ୍ୟରେ ଉଭୟଙ୍କ କାରଣ ଭିନ୍ନ। ଉଭୟେ କ୍ୟାନ୍‌ସର ଦ୍ୱାରା ଆକ୍ରାନ୍ତ ହୋଇ ପ୍ରାଣତ୍ୟାଗ କଲେ। ଉଭୟଙ୍କ ମୃତ୍ୟୁର ଦୁରାରୋଗ୍ୟ ବ୍ୟାଧି ସମ୍ବନ୍ଧରେ ଲୋକେ ଅବଗତ। ଏପରି କି ରିଷିଙ୍କ ନ୍ୟୁୟର୍କରେ ଦୀର୍ଘଦିନ ଚିକିତ୍ସା ଖବର ଥରକୁ ଥର ପ୍ରକାଶିତ ହୋଇଥିଲା। କରୋନାରୁ ମରଣ ନ ହେଲେ ମଧ୍ୟ କରୋନା କଟକଣା ରିଷିଙ୍କ ଅନୁଗାମୀଙ୍କୁ ଗୃହବନ୍ଦୀ କରିଥିଲା। ଜୀବଦଶାରେ ସେ ଜଣେ ଦୂରଦ୍ରଷ୍ଟା ପରି ଆତଙ୍କିତ ହୋଇଥିଲେ ଯେ, ଲୋକେ ତାଙ୍କ ମୃତଦେହ କାନ୍ଧେଇବାକୁ ଆଗଭର ହୋଇ ନ ପାରନ୍ତି। ଏହି ଦୃଶ୍ୟ ମୋଟାମୋଟି ଭାବେ ରିଷିଙ୍କ ପ୍ରସଙ୍ଗରେ ବାସ୍ତବରେ ରୂପାୟିତ ହେଲା। ସେ ବିନୋଦଙ୍କ ଶେଷ ଯାତ୍ରା ସମ୍ପର୍କରେ ଯେଉଁ କ୍ରୋଧ ପ୍ରକଟ କରିଛନ୍ତି, ଏହା ଆମ ସାମାଜିକ ସଂସ୍କାରର ଅନୁକୂଳ। ଚାଣକ୍ୟ ନୀତିରେ ଉଲ୍ଲେଖ ହୋଇଛି:-”ଆତୁରେ ବ୍ୟସନ ପ୍ରାପ୍ତେ ଦୁର୍ଭିକ୍ଷଃ ଶତ୍ରୁ ସଙ୍କଟେ, ରାଜଦ୍ୱାରେ ଶ୍ମଶାନ ଚ ଯତିଷ୍ଠତି ସବାନ୍ଧବଃ।“ପ୍ରକୃତ ବନ୍ଧୁ କିଏ? ଉକ୍ତ ଚାରି ଶ୍ରେଣୀ ମଧ୍ୟରେ ଜଣକର ମୃତ୍ୟୁ ପରେ ଶ୍ମଶାନ ଭୂମିରେ ଯିଏ ରହେ, ତାକୁ ବନ୍ଧୁ ଭାବେ ଚାଣକ୍ୟ ସମ୍ମାନ ଦେଇଛନ୍ତି। ତେଣୁ ଉକ୍ତ ଘଟଣା ଦ୍ୱାରା ଆମେ ଜାଣିପାରିବା ଯେ, ଆମର ସଚ୍ଚା ବନ୍ଧୁ କିଏ। ଅବଶ୍ୟ ବିନୋଦଙ୍କ ଅସଂଖ୍ୟ ଉପରଠାଉରିଆ ବନ୍ଧୁମାନଙ୍କ ଅସଲ ପରିଚୟ ଏଥିରୁ ଆମେ ଜାଣି ପାରିବା। ରିଷିଙ୍କ କ୍ଷେତ୍ରରେ କିନ୍ତୁ ଏମିତି ବନ୍ଧୁ-ନିରୂପଣ ଭ୍ରମାତ୍ମକ। ରିଷିଙ୍କ ମୃତଦେହ ପଛରେ କମ୍‌ ବ୍ୟକ୍ତି ଯିବାର କାରଣ ହେଉଛି କୋଭିଡ୍‌-୧୯ ସଂକ୍ରମଣ। ତାଙ୍କର ମାରାତ୍ମକ ରୋଗ ନୁହେଁ। ସମକାଳରେ ଅନ୍ୟ ଏକ ଘଟଣା ଏହାର ଉଜ୍ଜ୍ୱଳ ଦୃଷ୍ଟାନ୍ତ। ‘ପାନ୍‌ ସିଂ ତୋମାର’, ‘ହିନ୍ଦୀ ମିଡିୟମ୍‌’ ଚଳଚ୍ଚିତ୍ରରେ ଫିଲ୍ମ ଫେୟାର ଶ୍ରେଷ୍ଠ ଅଭିନେତା ରୂପେ ପୁରସ୍କୃତ ହୋଇ ଅପାର ଜନପ୍ରିୟତା ହାସଲ କରିଥିବା ଇର୍‌ଫାନ୍‌ ଖାନ (୧୯୬୭-୨୦୨୦) ୨୯ ଏପ୍ରିଲ୍‌ ୨୦୨୦ରେ ଅଣ-କରୋନା ରୋଗ(ନ୍ୟୁରୋ-ଏଣ୍ଡ୍ରୋକ୍ରାଇନ୍‌ ଟ୍ୟୁମର)ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏଥିପାଇଁ ସେ ଦୀର୍ଘଦିନ ୟୁକେରେ ଚିକିତ୍ସିତ ହୋଇଥିଲେ। କିନ୍ତୁ ତାଙ୍କର ବିଷାଦମୟ ଅନ୍ତିମ ଯାତ୍ରାବେଳେ ମଧ୍ୟ ଫ୍ୟାନ୍‌ଙ୍କ ସଂଖ୍ୟା ନଗଣ୍ୟ ଥିଲା। ଏହା ପଛରେ ଖଳନାୟକ ହେଉଛି ସଂକ୍ରାମକ କୋଭିଡ୍‌-୧୯ର ସର୍ବସାଧାରଣରେ ଭୟ।
ତେଣୁ ଆମର ହୃଦ୍‌ବୋଧ ହୁଏ ଯେ, ସଂପ୍ରତି ଜଣେ ସାଧାରଣ ରୋଗରୁ ମଧ୍ୟ ଦୁର୍ଭାଗ୍ୟବଶତଃ ପ୍ରାଣ ହରାଇଲେ, ସେ ହତଭାଗା। ହୁଏତ କେହି କେହି କହିପାରନ୍ତି ଯେ, ଏହି ରୋଗରେ କେବଳ ବୃଦ୍ଧମାନଙ୍କ(ଯଥା: ରିଷି କପୁର) ସମସ୍ୟା। କିନ୍ତୁ ଏହା ବିଭିନ୍ନ ବୟସ ବର୍ଗ ଉପରେ ନିର୍ଭର କରେନାହିଁ। ପାଶ୍ଚାତ୍ୟ ଦେଶରେ ପରିସ୍ଥିତି ଭିନ୍ନ ହୋଇପାରେ। କିନ୍ତୁ ଆମ ଦେଶର ଗୋଟିଏ ପରିସଂଖ୍ୟାନ ସୂଚାଏ ଯେ, ବରିଷ୍ଠମାନଙ୍କ ମଧ୍ୟରୁ ଶତକଡ଼ା ୬୩.୨ ଆରୋଗ୍ୟ ହେଉଥିବା ବେଳେ ଯୁବପିଢ଼ିର ଏହି ହାର କମ୍‌, ଅର୍ଥାତ୍‌ ୪୦ ଭାଗ। ଇଣ୍ଡିଆ ଟୁଡେରେ ମଧ୍ୟ ଏହି ସମ୍ଭାବନା ସୂଚିତ: ୟଙ୍ଗ ଇଣ୍ଡିଆନ୍ସ କମ୍ପ୍ରାଇଜ୍‌ ମୋର ଦାନ ହାଫ୍‌ ଅଫ୍‌ କନ୍‌ଫାର୍ମଡ କୋଭିଡ୍‌-୧୯ କେସେସ୍‌- ଡିଆର୍‌ୟୁ। ତେଣୁ ଏହି ମୃତକଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଏକ ଗୁରୁତର ପ୍ରସଙ୍ଗ ସାଂପ୍ରତିକ ସମୟରେ।
ଦୁର୍ଭାଗ୍ୟର ବିଷୟ ଯେ, ଅଣ-କୋଭିଡ୍‌ ବ୍ୟକ୍ତିଙ୍କ ଦେହାବସାନ ହେଲେ ମଧ୍ୟ ଲକ୍‌ଡାଉନ୍‌ ଫଳରେ ମୃତକମାନେ ସମାଜର ଆଶାନୁରୂପ, ଉଚିତ ସହୃଦୟତାରୁ ବଞ୍ଚତ୍ତ ହୋଇଥାନ୍ତି, ଯଦିଚ ଏହି ତୁଙ୍ଗ ବ୍ୟକ୍ତିମାନଙ୍କ ନିଜର କୌଣସି ଭୁଲ୍‌ ନାହିଁ। ଦୃଷ୍ଟାନ୍ତସ୍ବରୂପ, ନିର୍ଦ୍ଦେଶକ ବାସୁ ଚାଟ୍ଟାର୍ଜୀ(ବୟସ ୯୦, ମୃତ୍ୟୁ ୪ ଜୁନ୍‌ ୨୦୨୦), କୋରିଓଗ୍ରାଫର ସରୋଜ ଖାନ(ବୟସ ୭୧/୩ ଜୁଲାଇ), କ୍ରକେଟ ଖେଳାଳି ଓ ୟୁପି କ୍ୟାବିନେଟ୍‌ ଚେତନ ଚୌହାନ(ବୟସ ୭୩/୧୬ ଅଗଷ୍ଟ)। ଏହି ବରିଷ୍ଠମାନେ ଯଥାକ୍ରମେ ବାର୍ଦ୍ଧକ୍ୟଜନିତ ରୋଗ, ହୃଦ୍‌ଘାତ ଓ ଶ୍ୱାସରୁଦ୍ଧ, କିଡ୍‌ନୀ ବେମାରରେ ପୀଡ଼ିତ ଥିଲେ। ଆମ ରାଜ୍ୟର ଓଡ଼ିଆ ଫିଲ୍ମର ଟାଇଟନ୍‌ ଭାବେ ପରିଚିତ ଅଭିନେତା ବିଜୟ ମହାନ୍ତି ୨୦ ଜୁଲାଇ ୨୦୨୦ରେ ସତୁରି ବର୍ଷ ବୟସରେ ହୃଦ୍‌ଘାତର ଶିକାର ହେଲେ। ତାଙ୍କ ବିଦାୟ ଦ୍ୱାରା ଓଡ଼ିଆ ଫିଲ୍ମରେ ଗୋଟିଏ ଯୁଗର ଅବସାନ ଘଟିଲା। ତେବେ ତାଙ୍କୁ ଆମେ କ’ଣ ଉପଯୁକ୍ତ ଭାବେ ଅନ୍ତିମ ମର୍ଯ୍ୟାଦା ଦେଇପାରିଲେ? ଏହାର କାରଣ ହେଉଛି ଲକ୍‌ଡାଉନ୍‌। କୋଭିଡ୍‌-୧୯ ସଂଭୂତ କଠୋର କଟକଣା ଓ କଡ଼ା ନୀତିନିୟମ।
ଅବିଶ୍ୱାସ ଓ ଭୟର ପ୍ରଭାବ ଏବେ ଏତେ ଉତ୍କଟ ଓ ତିକ୍ତ ଯେ, ଲୋକେ ମୃତକର କରୋନା ଟେଷ୍ଟ ରିପୋର୍ଟ ନ ଆସିଲେ ମୃତଦେହକୁ ଦୀର୍ଘ ସମୟ ପକାଇ ରଖୁଛନ୍ତି। ଅନ୍ତିମ ସଂସ୍କାର କରୁନାହାନ୍ତି। ଏହା ଯେଉଁ ଅସନ୍ତୋଷକୁ ଜନ୍ମ ଦେଲା, ଏହାକୁ ନଜରରେ ରଖି ରାଜ୍ୟ ସରକାର ଜିଲାପାଳ, ଏସ୍‌ପି, ପୌର ନିଗମ କମିଶନର, ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ କୁଆଡ଼େ ୨୮, ଜୁଲାଇ ୨୦୨୦ରେ ନିର୍ଦ୍ଦେଶ ଦେଇଥିବା ପ୍ରକାଶ, ସନ୍ଦେହଯୁକ୍ତ କୋଭିଡ୍‌-୧୯ ମୃତକଙ୍କ ପରୀକ୍ଷା ରିପୋର୍ଟକୁ ଜଗିବା ଅନାବଶ୍ୟକ।
ମୋ: ୯୪୩୭୦୨୬୬୫୧

The post କରୋନା କାଳରେ ମୃତକ appeared first on Dharitri Odia News.



Popular posts from this blog

ପ୍ରଚାର ମୋଡ଼ ବଦଳାଇଲେ କମଲା ହାରିସ୍‌

ଓ୍ବାଶିଂଟନ,୧୪/୮:ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଆମେରିକାର ରାଜନୈତିକ ପାଣିପାଗରେ ଉଷ୍ମତା ଭରିଦେଇଛି। ବିଶେଷକରି ଭାରତୀୟ ବଂଶୋଦ୍ଭବ କାଲିଫର୍ନିଆ ସିନେଟର କମଲା ହାରିସ୍‌ ଡେମୋକ୍ରାଟିକ୍‌ ପାର୍ଟିରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ପରେ ତାଙ୍କ ପ୍ରେସିଡେନ୍ସିଆଲ ନୋମିନି ଜୋ ବିଡେନଙ୍କ ପ୍ରଚାର ରୋଚକ ମୋଡରେ ପହଞ୍ଚତ୍ଛି। ବିଡେନ ଓ ହାରିସ୍‌ ବୁଧବାର ପ୍ରଥମଥର ପାଇଁ ଗୋଟିଏ ମଞ୍ଚରେ ଛିଡ଼ାହୋଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ହ୍ବାଇଟ୍‌ ହାଇସ୍‌ ରେକର୍ଡ ଶେୟାର କରିଛନ୍ତି। ରିପବ୍ଲିକାନ ଟ୍ରମ୍ପ୍‌ ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ନୁହନ୍ତି ବୋଲି ଦୁହେଁ ସମାଲୋଚନା କରିଛନ୍ତି। ୭୭ ବର୍ଷୀୟ ଶ୍ୱେତାଙ୍ଗ ଜୋ ବିଡେନ ମଙ୍ଗଳବାର ୫୫ ବର୍ଷୀୟା କମଲା ହାରିସ୍‌ଙ୍କୁ ତାଙ୍କର ଭାଇସ୍‌ ପ୍ରେସିଡେନ୍ସିଆଲ ରନିଂ ମେଟ୍‌ ଭାବେ ଚୟନ କରିଥିଲେ। ଆମେରିକାର ଏକ ବଡ଼ ରାଜନୈତିକ ଦଳରୁ ଜଣେ କୃଷ୍ଣକାୟ ମହିଳା ଭାବେ ଏହି ଦୌଡ଼ିରେ ସାମିଲ ହେବାରେ ହାରିସ୍‌ ହେଉଛନ୍ତି ପ୍ରଥମ। ଏହାର ଦିନକ ପରେ ଦୁଇନେତା ଡେଲାଓ୍ବେରସ୍ଥିତ ଓ୍ବିଲମିଙ୍ଗଟନରେ ପ୍ରଥମଥର ପାଇଁ ଗୋଟିଏ ମଞ୍ଚରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ ବିଡେନ କହିଥିଲେ, ଉପରାଷ୍ଟ୍ରପତି ପଦ ଲାଗି ହାରିସ୍‌ ଜଣେ ସ୍ମାର୍ଟ, ଟାଣୁଆ ଏବଂ ଆମେରିକାର ମଧ୍ୟବିତ୍ତଙ୍କ ପାଇଁ ଲଢ଼ୁଆ ପ୍ରାର୍ଥୀ। କିପରି କଠୋର ନିଷ୍ପତ୍ତି ନିଆଯାଏ ତାଙ୍କୁ ଭଲ

କୁଶଳୀ ଶିଳ୍ପୀ ନିହଣ ସଙ୍ଗେ ଅସ୍ତ୍ର ବି ଧରୁଥିଲେ

ପୂର୍ବ ଆଲୋଚନାରେ (ଧରିତ୍ରୀ, ୨୬ା୪ା୨୧) ‘ମଗୋ ଜାତୀୟ ବ୍ରାହ୍ମଣ’ଙ୍କ ପ୍ରସଙ୍ଗ ଆମେ ଆଲୋଚନା କରିଥିଲେ। ପ୍ରାଚୀନ ଭାରତର ଇତିହାସ ପୁସ୍ତକରେ ବା ଭଗବତ୍‌ ଶରଣ ଉପାଧ୍ୟାୟ ଏ ସମ୍ପର୍କିତ ମତ ଦେବାପରେ ଡ. ରାମ୍‌ଜୀ ଉପାଧ୍ୟାୟ ଏହି ମତକୁ ଆଗେଇ ନେଇଥିଲେ। ମଗୋମାନେ ତୃତୀୟ ଶତାବ୍ଦୀରେ ଭାରତକୁ ଆସି ସୂର୍ଯ୍ୟଙ୍କ ଉପାସନା କରିଥିଲେ ବୋଲି ଲେଖିବା ପରେ କେତେକ ଐତିହାସିକ କୁଶାଣ ଯୁଗରେ ସୂର୍ଯ୍ୟ ଉପାସନା ଇରାନରୁ ଭାରତକୁ ଆସିଥିଲା ବୋଲି ମତ ଦେଇଥିଲେ। ବାସ୍ତବରେ କୁଶାଣ ଯୁଗ ପୂର୍ବରୁ ଭାରତରେ ସୂର୍ଯ୍ୟ ଉପାସନା ପ୍ରଚଳିତ ଥିଲା। ବେଦ ହିଁ ଏହାର ପ୍ରମାଣ। ତୃତୀୟ ଶତକ ପୂର୍ବରୁ ରାମାୟଣ, ମହାଭାରତ, କେତେକ ପୁରାଣ ଓ ତନ୍ତ୍ରଗ୍ରନ୍ଥ ଲେଖା ସରିଥିଲା। ମହାଭାରତରେ ସେତେବେଳକୁ ସୂର୍ଯ୍ୟ ହୋଇ ସାରିଥିଲେ ‘ବ୍ରହ୍ମଶାଶ୍ୱତ’। ପୁରାଣ ଶାସ୍ତ୍ରରେ ସୂର୍ଯ୍ୟଙ୍କର କ୍ରାନ୍ତିବୃତ୍ତିକୁ ସୂର୍ଯ୍ୟରଥ ବୋଲି ପ୍ରମାଣ କରାଯାଇ ସାରିଲାଣି। ଜ୍ୟୋତିଷ ତତ୍ତ୍ୱର ରହସ୍ୟ ପୁରାଣ ଶାସ୍ତ୍ରରେ ସ୍ଥାନ ପାଇ ସାରିଥିଲା। ସୂର୍ଯ୍ୟଙ୍କ ରଥ ବେଦମୟ, ମୁହୂର୍ତ୍ତକେ ୩୪ ଲକ୍ଷ ୮୦୦ ଯୋଜନ ଏହି ରଥ ଗତିକରେ। ଗୋଟିଏ ଚକ ହେଉଛି ସମ୍ବତ୍ସର। ୧୨ ମାସର ପ୍ରତୀକ ୧୨ଟି ଅର। ୬ ଋତୁ ପରି ୬ଟି ପଇ। ଅରୁଣ ହେଉଛନ୍ତି ସାରଥି। ଦତ୍ତାତ୍ରେୟ ତନ୍ତ୍ରରେ ସୂର୍ଯ୍ୟଙ୍କର ରଥର ରହସ୍ୟ ସବିଶେଷ ବର୍ଣ୍ଣନା ହୋଇ ସାରିଥିଲା। ସ୍ଥାପତ୍ୟ କଳାର ଏତେସବୁ ରହସ୍ୟ ଓଡ଼ିଆ ଶିଳ୍ପୀ ଜାଣିଥିଲେ। ବ

ବିଜିୟୁ, ଆର୍କଜେନ ୟୁନିଭର୍ସିଟି ସହ ଆଇସିଏସ୍‌ଆଇର ଚୁକ୍ତି

ଭୁବନେଶ୍ୱର: ଦି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କମ୍ପାନୀ ସେକ୍ରେଟାରିଜ ଅଫ୍‌ ଇଣ୍ଡିଆ(ଆଇସିଏସ୍‌ଆଇ) ପକ୍ଷରୁ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି(ବିଜିୟୁ) ଭୁବନେଶ୍ୱର ଏବଂ ଜାମସେଦପୁରସ୍ଥିତ ଆର୍କଜେନ୍‌ ୟୁନିଭର୍ସିଟି ସହ ଏକାଡେମିକ ସହବନ୍ଧନ ଏମ୍‌ଓୟୁରେ ସାମିଲ ହୋଇଛି। ଛାତ୍ରୀଛାତ୍ର ଏବଂ ଅଂଶୀଦାରଙ୍କ ଉନ୍ନତି ତଥା ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ଏଭଳି ଏକ ଚୁକ୍ତି ବିଶେଷ ଭାବେ ସହାୟକ ହେବ ବୋଲି ଆଇସିଏସ୍‌ଆଇ ସଭାପତି ସିଏସ୍‌ ଆଶିଷ ଗର୍ଗ ସୂଚନା ଦେଇଛନ୍ତି। ଉଭୟ ବିଶ୍ୱବିଦ୍ୟାଳୟ ଆଇସିଏସ୍‌ଆଇ ସହ ମିଳିତ ହୋଇ କାମ କରିବାକୁ ଆଗେଇ ଆସିଥିବାରୁ ସେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଛାତ୍ରୀଛାତ୍ରଙ୍କ ଉନ୍ନତି ଦିଗରେ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନିଆଯାଉଥିବା ଉପସଭାପତି ସିଏସ୍‌ ନାଗେନ୍ଦ୍ର ରାଓ କହିଛନ୍ତି। ନୂଆ ସହବନ୍ଧନ ଦ୍ୱାରା ଉଭୟ ଅନୁଷ୍ଠାନ ଲାଭବାନ ହୋଇପାରିବେ ବୋଲି ବିଜିୟୁ କୁଳପତି ପ୍ରଫେସର ପି.ପି. ମାଥୁର ମତ ପ୍ରକାଶ କରିଥିଲେ। ଏଭଳି ପଦକ୍ଷେପ ପାଇଁ ଅର୍କଜେନ ୟୁନିଭର୍ସିଟି କୁଳପତି ଡ.ଏସ୍‌.ଏସ୍‌.ରାଜି ଆଇସିଏସ୍‌ଆଇକୁ ଧନ୍ୟବାଦ ପ୍ରଦାନ କରିଛନ୍ତି। The post ବିଜିୟୁ, ଆର୍କଜେନ ୟୁନିଭର୍ସିଟି ସହ ଆଇସିଏସ୍‌ଆଇର ଚୁକ୍ତି appeared first on Dharitri Odia News .