Skip to main content

ଅଭିମନ୍ୟୁ ବିଶ୍ୱର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର

ନୂଆଦିଲ୍ଲୀ, ୨।୭-ଭାରତୀୟ ବଂଶୋଦ୍ଭବ ଆମେରିକାର ଅଭିମନ୍ୟୁ ମିଶ୍ର ବିଶ୍ୱର ସର୍ବକନିଷ୍ଠ ଚେସ୍‌ ଗ୍ରାଣ୍ଡମାଷ୍ଟର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ହଙ୍ଗେରୀର ବୁଦାପେଷ୍ଟଠାରେ ଅନୁଷ୍ଠିତ ଟୁର୍ନାମେଣ୍ଟରେ ତୃତୀୟ ଗ୍ରାଣ୍ଡମାଷ୍ଟର ନର୍ମ ପୂରଣ ସହ ସେ ଏହି କୃତିତ୍ୱ ଅର୍ଜନ କରିଛନ୍ତି। ନ୍ୟୁ ଜର୍ସିରେ ରହୁଥିବା ୧୨ ବର୍ଷୀୟ ଅଭିମନ୍ୟୁ ଗ୍ରାଣ୍ଡମାଷ୍ଟର ଟାଇଟଲ ପାଇଁ ଆବଶ୍ୟକ ୨୫୦୦ ୟେଲୋ ରେଟିଂ ମାଇଲଖୁଣ୍ଟ ମଧ୍ୟ ସ୍ପର୍ଶ କରି ସାରିଛନ୍ତି। ଏ କ୍ଷେତ୍ରରେ ଅଭିମନ୍ୟୁ ରୁଷିଆ ଗ୍ରାଣ୍ଡମାଷ୍ଟର ସର୍ଗି କାର୍ଜାକିନ୍‌ଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୦୧୬ ଓ୍ବାଲର୍‌ଡ ଚାମ୍ପିୟନ ଚ୍ୟାଲେଞ୍ଜର କାର୍ଜାକିନ୍‌ ୨୦୦୨ ଅଗଷ୍ଟ ୧୨ରେ ୧୨ ବର୍ଷ ୭ ମାସର ହୋଇଥିବାବେଳେ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରି ୧୯ ବର୍ଷ ଧରି ରେକର୍ଡର ଅଧିକାରୀ ଥିଲେ। ୨୦୦୯ ଫେବୃୟାରୀ ୫ରେ ଜନ୍ମିତ ଅଭିମନ୍ୟୁ ୧୨ ବର୍ଷ ୪ ମାସ ୨୫ ଦିନର ହୋଇଥିବାବେଳେ ବିଶ୍ୱର ଏହି ସର୍ବୋଚ୍ଚ ଚେସ୍‌ ଟାଇଟଲ ହାସଲ କରିଛନ୍ତି। ବୁଦାପେଷ୍ଟରେ ଗତ କିଛିମାସ ଧରି ରହିଥିବା ଅଭିମନ୍ୟୁ କ୍ରମାଗତ ଟୁର୍ନାମେଣ୍ଟମାନ ଖେଳି ଗ୍ରାଣ୍ଡମାଷ୍ଟର ହେବାରେ ରେକର୍ଡ କରିଛନ୍ତି।
ପାଖାପାଖି ୨୦ ବର୍ଷର ରେକର୍ଡ ଭାଙ୍ଗିଥିବାରୁ ସାମାନ୍ୟ ଦୁଃଖିତ ହୋଇଥିଲେ ହେଁ ଅଭିମନ୍ୟୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି କାର୍ଜାକିନ୍‌। ରେକର୍ଡ ଦିନେ ନା ଦିନେ ଭାଙ୍ଗିବ ବୋଲି ଜାଣିଥିଲି। ତେବେ ଶୀଘ୍ର ହେଉ କି ବିଳମ୍ବରେ କେହି ଜଣେ ଭାରତୀୟ ଏହି ରେକର୍ଡ ଭାଙ୍ଗିବ ବୋଲି ମୋର ଦୃଢ଼ ବିଶ୍ୱାସ ଥିଲା। ହେଲେ ଶୀଘ୍ର ଏହି ରେକର୍ଡ ଭାଙ୍ଗି ନ ଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ଅଭିମନ୍ୟୁଙ୍କ କ୍ୟାରିୟର ଏବେ ଆରମ୍ଭ ମାତ୍ର, ଆଗକୁ ସେ ଜଣେ ଶ୍ରେଷ୍ଠ ଚେସ୍‌ ଖେଳାଳି ହୋଇ ବାହାରିବା ନେଇ ଆଶା କରୁଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି କାର୍ଜାକିନ।
ଅଭିମନ୍ୟୁ ୧୩ ଥର ବିଶ୍ୱ ଚେସ୍‌ ଚାମ୍ପିୟନ ଗ୍ରାଣ୍ଡମାଷ୍ଟର ଗ୍ୟାରୀ କାସ୍ପାରୋଭଙ୍କଠାରୁ ଟ୍ରେନିଂ ନେଉଥିଲେ। ଚେସ୍‌ ଡଟ୍‌ କମ୍‌ ରିପୋର୍ଟ ଅନୁସାରେ ୨୦୧୯ ନଭେମ୍ବରରେ ୧୦ ବର୍ଷ ୯ ମାସ ୩ ଦିନର ହୋଇଥିବାବେଳେ ଅଭିମନ୍ୟୁ ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ଟାଇଟଲ ହାସଲ କରିଥିଲେ। ଏହା ମଧ୍ୟ ଏକ ରେକର୍ଡ ଥିଲା। ଅଭିମନ୍ୟୁଙ୍କ କୋଚ୍‌ ଗ୍ରାଣ୍ଡମାଷ୍ଟର ଅରୁଣ ପ୍ରସାଦ ମଧ୍ୟ ନିଜ ପ୍ରିୟ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କଠିନ ପରିଶ୍ରମ କରୁଥିବାରୁ ଅଭିମନ୍ୟୁ ଏହି ସଫଳତାର ହକ୍‌ଦାର ଥିଲେ। ସେ ଏହି ମାଇଲଖୁଣ୍ଟ ସ୍ପର୍ଶ କରିବା ପଛରେ ତାଙ୍କ ବାପାଙ୍କ ଅବଦାନ କିଛି କମ୍‌ ନୁହେଁ। ସେ ଏଥିପାଇଁ ଅନେକ କିଛି ତ୍ୟାଗ କରିଛନ୍ତି। ବ୍ୟକ୍ତିଗତଭାବେ ଏହା ମୋ ପାଇଁ ସବୁଠାରୁ ବଡ଼ ସଫଳତା ବୋଲି ଅରୁଣ ପ୍ରସାଦ କହିଛନ୍ତି। ଚେସ୍‌ ଇତିହାସ ଦେଖିବାକୁ ଗଲେ କେବଳ ୫ ଜଣ ଖେଳାଳି ନିଜ ୧୩ତମ ଜନ୍ମଦିନ ପାଳିବା ପୂର୍ବରୁ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିଛନ୍ତି। ଗ୍ରାଣ୍ଡମାଷ୍ଟର ଗୁକେଶ ଡି. ମଧ୍ୟ କାର୍ଜାକିନ୍‌ଙ୍କ ରେକର୍ଡ ଭାଙ୍ଗିବାର ନିକଟତର ହୋଇଥିଲେ। ସେ ୧୨ ବର୍ଷ ୭ ମାସ ୧୭ ଦିନର ହୋଇଥିବାବେଳେ ଏହି ସଫଳତା ପାଇଥିଲେ। ଯାହାକି କାର୍ଜାକିନଙ୍କ ରେକର୍ଡଠାରୁ ସେ ୧୭ ଦିନ ଅଧିକ ସମୟ ନେଇଥିଲେ।
ଚେସ୍‌ ସବୁ ବୟସ ବର୍ଗର ବ୍ୟକ୍ତିଙ୍କର ଖେଳ ବୋଲି ପ୍ରମାଣିତ ହୋଇଛି। ଚେସ୍‌ ଡଟ୍‌ କମ୍‌ ଅନୁସାରେ ଭେନିଜୁଏଲାର ଜଣେ ୮୮ ବର୍ଷୀୟ ଖେଳାଳି ନିକଟରେ ଫିଡେ ମାଷ୍ଟର ଟାଇଟଲ ହାସଲ କରିଛନ୍ତି।

The post ଅଭିମନ୍ୟୁ ବିଶ୍ୱର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ...