Skip to main content

ଆଇଏସ୍‌ଆଇର ଡ୍ରୋନ୍‌ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ/ଶ୍ରୀନଗର, ୩।୭: ଜୁନ୍‌ ୨୬-୨୭ ମଧ୍ୟରାତ୍ରିରେ ଜମ୍ମୁସ୍ଥିତ ବାୟୁସେନା ଘାଟିକୁ ପାକିସ୍ତାନୀ ଡ୍ରୋନ୍‌ ଟାର୍ଗେଟ କରିଥିଲା। ଏହି ହାଇସିକ୍ୟୁରିଟି ଜୋନ୍‌ର ଟେକ୍ନିକାଲ ଏରିଆରେ ଲଗାତର ଘଟିଥିବା ଦୁଇଟି ଆର୍‌ଡିଏକ୍ସ ବିସ୍ଫୋରଣ ଯଦିଓ ବିଶେଷ କ୍ଷୟକ୍ଷତି ଘଟାଇ ପାରିନାହିଁ, ତଥାପି ଭାରତର ଚିନ୍ତା ବଢ଼ାଇଦେଇଛି। କାରଣ ଏହା ପରେ ଉପତ୍ୟକାରେ ୬ ଦିନ ମଧ୍ୟରେ ୧୩ ଥର ଡ୍ରୋନ୍‌ ଦେଖିବାକୁ ମିଳିଲାଣି, ଯାହାକି ଦେଶର ଜାତୀୟ ସୁରକ୍ଷା ପ୍ରତି ଆସନ୍ନ ଏକ ବଡ଼ ବିପଦର ସଙ୍କେତ ଦେଉଛି। କେବଳ ଏତିକି ନୁହେଁ, ଏହି ଆକ୍ରମଣ ଦିନ ଇସ୍‌ଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ଅଫିସ ଉପରେ ମଧ୍ୟ ପାକିସ୍ତାନୀ ଡ୍ରୋନ୍‌ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ଯେଉଁ ଅଞ୍ଚଳରେ ଭାରତୀୟ ହାଇକମିଶନଙ୍କ ଅଫିସ ଅବସ୍ଥିତ ସୁରକ୍ଷା ଦୃଷ୍ଟିରୁ ତାହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନ। ସମ୍ପୃକ୍ତ ଅଞ୍ଚଳରେ ଅନେକ ଦେଶର ଦୂତାବାସ ରହିଥିବାରୁ ପାକିସ୍ତାନ ସରକାର ଓ ସେନାର ବିନା ଅନୁମତିରେ ପକ୍ଷୀ ମଧ୍ୟ ଉଡ଼ିପାରିବ ନାହିଁ। ତେଣୁ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ଉପରେ ଡ୍ରୋନ୍‌ ଉଡ଼ାଣ ପଛରେ ସେଠାକାର କୁଖ୍ୟାତ୍‌ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ)ର ହାତ ଥିବା ସନ୍ଦେହ କରାଯାଉଛି। ଏହାକୁ ପାକିସ୍ତାନର ଏକ ବଡ଼ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କୁହାଯାଉଛି। ଉଚ୍ଚାୟୁକ୍ତଙ୍କ ଅଫିସ ଉପରେ ଡ୍ରୋନ୍‌ ଚକ୍କର କାଟିବା ଘଟଣାରେ ନୂଆଦିଲ୍ଲୀ ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ନିକଟରେ ଦୃଢ଼ ପ୍ରତିବାଦ ଜଣାଇଛି। ଗତ ସପ୍ତାହରେ ଦେଖାଦେଇଥିବା ଏହି ସୁରକ୍ଷାଜନିତ ତ୍ରୁଟିର ଯେପରି ପୁନରାବୃତ୍ତି ନ ଘଟେ ତାହାର ତଦନ୍ତ କରିବା ପାଇଁ ପାକିସ୍ତାନକୁ କୁହାଯାଇଛି। ଇତିମଧ୍ୟରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ ଶ୍ରୀନଗର ଗସ୍ତ କରି ସୁରକ୍ଷା ଅଧିକାରୀମାନଙ୍କ ସହ ଏକାଧିକ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି।
ବାୟୁସେନା ଘାଟି ଉପରେ ଡ୍ରୋନ୍‌ରୁ ବୋମାମାଡ଼ କରାଯିବା ଘଟଣା ପରେ ଭାରତର ସୁରକ୍ଷା ପ୍ରତିଷ୍ଠାନ ଚିନ୍ତିତ ଥିବାବେଳେ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଉପରେ ଡ୍ରୋନ୍‌ ଠାବ ହେବାକୁ ନେଇ ନୂଆଦିଲ୍ଲୀ ଉଦ୍‌ବେଗ ପ୍ରକାଶ କରିଛି। ପାକିସ୍ତାନୀ ଆତଙ୍କବାଦୀମାନେ ଭାରତର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଉପରେ ଆକ୍ରମଣ ପାଇଁ ଡ୍ରୋନ୍‌ ମୁତୟନ କରିଥିବା ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି। ବାୟୁସେନା ଘାଟି ଉପରେ ବୋମାମାଡ଼ର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) କରୁଛି। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଜୁନ୍‌ ୨୬ରେ ଇସ୍‌ଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଉପରେ ଡ୍ରୋନ୍‌ ଉଡ଼ିଥିଲା ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ୍‌ ବାଗ୍‌ଚି ଗଣମାଧ୍ୟମକୁ କହିଛନ୍ତି। ଏହାସହ ପାକିସ୍ତାନ ୨୬/୧୧ ମୁମ୍ବାଇ ଆକ୍ରମଣର ଅପରାଧୀ ଓ ପଠାନ୍‌କୋଟ୍‌ ବାୟୁସେନା ଘାଟି ଉପରେ ୨୦୧୬ରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡଙ୍କୁ ତୁରନ୍ତ ଆଇନର କାଠଗଡ଼ାକୁ ଟାଣି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉ ବୋଲି ବାଗ୍‌ଚି ଦାବି କରିଛନ୍ତି।
ଇତିମଧ୍ୟରେ ଅନ୍ୟ ଏକ ଘଟଣାରେ ଶୁକ୍ରବାର ଅନ୍ତର୍ଜାତୀୟ ସୀମା(ଆଇବି) ସଂଲଗ୍ନ ଭାରତୀୟ ଅଞ୍ଚଳରେ ପାକିସ୍ତାନୀ ଡ୍ରୋନ୍‌ ଉଡ଼ୁଥିବା ଠାବ କରାଯିବା ପରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ପକ୍ଷରୁ ଏହାକୁ ଗୁଳି କରାଯାଇଥିଲା। ଭୋର ୪ଟା ୨୫ ମିନିଟ୍‌ରେ ଜମ୍ମୁ ଉପକଣ୍ଠ ଆର୍ନିଆ ସେକ୍ଟରରେ ଯବାନମାନେ ଉକ୍ତ ଡ୍ରୋନ୍‌କୁ ଠାବ କରିଥିଲେ। ଡ୍ରୋନ୍‌କୁ ଖସାଇବା ପାଇଁ ସେମାନେ ଗୁଳି ଚଳାଇବାରୁ ତାହା ପାକିସ୍ତାନ ପାର୍ଶ୍ୱକୁ ପଳାଇଥିଲା। ବାୟୁସେନା ଘାଟି ଆକ୍ରମଣ ପରେ ଏହା ଥିଲା ୬ ଦିନ ମଧ୍ୟରେ ୧୩ତମ ଡ୍ରୋନ୍‌। ଭାରତର ସୀମାନ୍ତ ଅଞ୍ଚଳ ଉପରେ ନଜର ରଖିବା ଲାଗି ଉକ୍ତ ଡ୍ରୋନ୍‌କୁ ପଠାଯାଇଥିବା ସନ୍ଦେହ କରାଯାଉଛି। ବାୟୁସେନା ଘାଟି ଉପରେ ଡ୍ରୋନ୍‌ରୁ ବୋମାମାଡ଼ ଆତଙ୍କବାଦୀଙ୍କ କାମ। ସେମାନେ ପ୍ରମୁଖ ପ୍ରତିରକ୍ଷା ପ୍ରତିଷ୍ଠାନକୁ ଟାର୍ଗେଟ କରିଥିବା ବାୟୁସେନା ଚିଫ୍‌ ମାର୍ଶାଲ ଆର୍‌.କେ.ଏସ୍‌. ଭଦୌରିଆ ଶୁକ୍ରବାର କହିଛନ୍ତି। ଏହି ଡ୍ରୋନ୍‌ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି ଏବଂ ଏଥିରେ ଆର୍‌ଡିଏକ୍ସ ବ୍ୟବହାର ହୋଇଥିଲା ବୋଲି ଜମ୍ମୁ-କଶ୍ମୀର ପୋଲିସ ଡିଜି ଦିଲ୍‌ବାଗ ସିଂ ସୂଚନା ଦେଇଛନ୍ତି।

୫ ଲଶ୍କର ଆତଙ୍କବାଦୀ ନିହତ, ଯବାନ ଶହୀଦ

ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମା ଜିଲାରେ ଶୁକ୍ରବାର ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ଜିଲା କମାଣ୍ଡରଙ୍କ ସମେତ ୫ ଲଶ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ସୁରକ୍ଷା ବଳ ପକ୍ଷରୁ ପୁଲ୍‌ଓ୍ବାମାର ରାଜପୋରା ଅନ୍ତର୍ଗତ ହାଞ୍ଜିନ୍‌ ଗ୍ରାମରେ ତଲାସି ଅଭିଯାନ ଚାଲିଥିଲା। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ। ଫଳରେ ତଲାସି ଅଭିଯାନ ଏନ୍‌କାଉଣ୍ଟରରେ ପରିଣତ ହୋଇଥିଲା। ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିବା ଜଣେ ଯବାନଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଛି। ନିହତ ଆତଙ୍କବାଦୀମାନେ ଲଶ୍ମର ସଦସ୍ୟ ଓ ସେମାନଙ୍କ ମଧ୍ୟରେ ଜିଲା କମାଣ୍ଡର ନିଶାଜ ଲୋନ୍‌ ଓରଫ ଖିତାବ ରହିଥିବା କଶ୍ମୀର ପୋଲିସ ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି। ଜଣେ ଆତଙ୍କବାଦୀ ପାକିସ୍ତାନୀ ହୋଇଥିବାବେଳେ ତାଙ୍କ ପରିଚୟ ଜଣାପଡ଼ିନାହିଁ।

The post ଆଇଏସ୍‌ଆଇର ଡ୍ରୋନ୍‌ ଷଡ଼ଯନ୍ତ୍ର appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ...