Skip to main content

ସମିତି ବଢ଼ାଉଛି ବିହନ ସମସ୍ୟା

ପାଲଲହଡ଼ା,୩ା୭ ଚାଷ ପାଇଁ ସଜବାଜ ହେଉଥିବା ଚାଷୀ ପାଇବେ ଧାନ ବିହନ। ଚଳିତବର୍ଷ ଏଥିପାଇଁ ଆଗୁଆ ବ୍ୟବସ୍ଥା କରାଯାଇଛି। ଗୋଟିଏ ପରିବର୍ତ୍ତେ ଦୁଇଟି ଗୋଦାମରୁ ଯୋଗାଣ ହୋଇଛି। ଅତୀତର ତ୍ରୁଟି ଆଉ ଦୋହରାଯିବ ନାହିଁ ବୋଲି ଅନୁଗୋଳ ଜିଲା କୃଷି ବିଭାଗ କହୁଥିବା ବେଳେ ପାଲଲହଡ଼ା ଉପଖଣ୍ଡରେ ବିହନ ନିଅଣ୍ଟିଆ ସ୍ଥିତି ସୃଷ୍ଟି ହୋଇଛି। ଫଳରେ ଏଠାକାର ଚାଷୀ ଅଣପଞ୍ଜୀକୃତ ବ୍ୟବସାୟିକ ସଂସ୍ଥାଠାରୁ ଚଢ଼ା ଦରରେ ଧାନ ବିହନ କିଣିବାକୁ ବାଧ୍ୟ ହେଉଛନ୍ତି। ବ୍ଲକରେ ଥିବା ୧୧ଟି କୃଷି ସମବାୟ ସମିତି ପ୍ରକୃତ ଆବଶ୍ୟକତା ସମ୍ପର୍କରେ ନ ବୁଝି ଚାହିଦାର ମାତ୍ର ୨୫ ପ୍ରତିଶତ ବିହନ ଆଣିଥିବାରୁ ସମସ୍ୟା ବଢ଼ିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ପାଲଲହଡ଼ା ଉପଖଣ୍ଡ ଏକ କୃଷି ବହୁଳ ଅଞ୍ଚଳ। ପରିବା, କଦଳୀ, ତରଭୁତ ଚାଷ ଉପରେ ଏଠାକାର ଚାଷୀ ଜୋର୍‌ ଦେଉଥିଲେ ମଧ୍ୟ ପ୍ରମୁଖ ସ୍ଥାନରେ ରହିଛି ଧାନ। ଉପଖଣ୍ଡର ପ୍ରାୟ ୧୦ ହଜାର ୫୧୦ ହେକ୍ଟର ଜମିରେ ଚଳିତବର୍ଷ ଧାନ ଚାଷ ହେବ। ଏଥିପାଇଁ ୪ ହଜାର ୫୦୦ କୁଇଣ୍ଟାଲ ବିହନ ଚାଷୀଙ୍କ ନିକଟରେ ପହଞ୍ଚିବା କଥା। କିନ୍ତୁ ଉପଖଣ୍ଡରେ ଥିବା ୧୧ଟି ସମବାୟ ସମିତି ଚଳିତ ବର୍ଷ ମାତ୍ର ୧୧୨୦ କୁଇଣ୍ଟାଲ ଧାନ ବିହନ ବିକ୍ରି ପାଇଁ ଆଣିଥିବା ବେଳେ ବେସରକାରୀ ଭାବେ ଜଣେ ମାତ୍ର ବ୍ୟବସାୟୀ ୫୧.୫୦ କୁଇଣ୍ଟାଲ ବିହନ ଆଣିଛନ୍ତି। ସେହିପରି ବ୍ଲକ କୃଷି ବିଭାଗ ପକ୍ଷରୁ ବିହନ ପ୍ରସ୍ତୁତ ନିମନ୍ତେ ପାଖାପାଖି ୧୨୦ କୁଇଣ୍ଟାଲ ଯୋଗାଇ ଦିଆଯାଇଛି। ଚାଷୀଙ୍କ ଆବଶ୍ୟକତା ତୁଳନାରେ ଏହା ମାତ୍ର ୨୫ ପ୍ରତିଶତ ହୋଇଥିବାରୁ ସପ୍ତାହେ ମଧ୍ୟରେ ସମିତିରୁ ବିହନ ଶେଷ ହୋଇଯାଇଛି। ଫଳରେ ବାରମ୍ବାର ସମିତିକୁ ଧାଉଁଥିଲେ ମଧ୍ୟ ଚାଷୀଙ୍କୁ ଖାଲି ହାତରେ ଫେରିବାକୁ ପଡ଼ୁଛି। ସରକାର ଧାର୍ଯ୍ୟ କରିଥିବା ଦର ଅନୁଯାୟୀ ପିଣ୍ଡ ଧାନ (ଫାଉଣ୍ଡେଶନ) କୁଇଣ୍ଟାଲ ପ୍ରତି ୩୦୫୩ ଟଙ୍କା, ପ୍ରାମାଣିକ (ସାର୍ଟିଫାଏଡ) ବିହନ ୧୦ ବର୍ଷରୁ ଊର୍ଦ୍ଧ୍ୱ ପାଇଁ ୧୯୫୦ ଟଙ୍କା ଏବଂ ୧୦ ବର୍ଷରୁ କମ୍‌ କିସମ ପାଇଁ ୨୨୮୦ ଟଙ୍କା ବିକ୍ରୟ ମୂଲ୍ୟ ରଖାଯାଇଛି। କିନ୍ତୁ ଉପଖଣ୍ଡରେ ବିହନ ନ ଥିବାରୁ ଏହାର ସୁଯୋଗ ନେଉଛନ୍ତି ଅଣପଞ୍ଜୀକୃତ ବିହନ ବ୍ୟବସାୟିକ ସଂସ୍ଥା। ସେମାନେ ସରକାରୀ ଦର ଠାରୁ ୩ରୁ ୪ ଗୁଣ ଅଧିକା ଦରରେ ବିହନ ବିକ୍ରି କରୁଛନ୍ତି। ସରକାରୀ ଭାବେ ପିଣ୍ଡ ଧାନ ବା ପ୍ରାମାଣିକ ଧାନ ବିହନ ବିକ୍ରୟ ପାଇଁ ଉପଯୁକ୍ତ ଥିବାବେଳେ ଅଣପଞ୍ଜୀକୃତ ସଂସ୍ଥା ଭରସାଯୋଗ୍ୟ (ଟ୍ରୁଥ୍‌ ଲେବୁଲ) କିସମ ନଁାରେ ବିଭିନ୍ନ ବେସରକାରୀ ସଂସ୍ଥାର ପଞ୍ଜୀକରଣ ଦେଖାଇ କୁଇଣ୍ଟାଲ ପ୍ରତି ୪୨୫୦ ଟଙ୍କାରୁ ଆରମ୍ଭ କରି ୭୦୦୦ ଟଙ୍କାରେ ବିହନ ବିକ୍ରି କରୁଛନ୍ତି। ଏହାବାଦ ସଙ୍କର ଜାତୀୟ ବିହନ କିଲୋଗ୍ରାମ ପ୍ରତି ୩୦୦ ରୁ ୪୦୦ ଟଙ୍କା ନେଉଥିବାରୁ ଚାଷୀ ଶୋଷଣର ଶିକାର ହେଉଛନ୍ତି। ଏ ଦିଗରେ ଜିଲା କୃଷି ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଉପଖଣ୍ଡର ଚାଷୀମାନେ ଦାବି କରିଛନ୍ତି।
ସୋସାଇଟି ସମ୍ପୂର୍ଣ୍ଣ ବିଫଳ
ପାଲଲହଡ଼ା ଉପଖଣ୍ଡର ଚାଷୀମାନଙ୍କ ପାଇଁ କେତେ ବିହନର ଆବଶ୍ୟକତା ରହିଛି ତାହା କେବେ ଏଠାକାର ସୋସାଇଟି ବୁଝିନାହିଁ। ତେଣୁ କମ୍‌ ପରିମାଣର ବିହନ ଅଣାଯାଉଥିବାରୁ ଚାଷୀମାନେ ବାଧ୍ୟ ହୋଇ ଅଣପଞ୍ଜୀକୃତ ସଂସ୍ଥାଠାରୁ ଚଢ଼ା ଦରରେ ବିହନ କିଣୁଛି।
– ନୀଳାମ୍ବର ପ୍ରଧାନ, ଚାଷୀ, ପାଲଲହଡ଼ା
କୃଷି ବିଭାଗ ନୀରବଦ୍ରଷ୍ଟା
ପାଲଲହଡ଼ାରେ ଥିବା ୧୧ଟି ସମବାୟ ସମିତି ଚାଷୀମାନଙ୍କୁ ଆବଶ୍ୟକ ପରିମାଣର ଧାନ ବିହନ କି ସାର କେବେ ଯୋଗାଇ ପାରୁନି। ଏଠାରେ କୃଷି ବିଭାଗ କାର୍ଯ୍ୟାଳୟ ଥିଲେ ବି ନ ଥିଲା ଭଳି। କାରଣ ଅଫିସକୁ ଯୋଗାଯୋଗ କଲେ କିଛି ଜାଣିନୁ ବୋଲି ଉତ୍ତର ମିଳୁଛି।
ଦୁଷ୍ମନ୍ତ କୁମାର ପ୍ରଧାନ, ଚାଷୀ, ପାଲଲହଡ଼ା
ଗ୍ରାମସେବକମାନେ ତଥ୍ୟ ଦେଉନାହାନ୍ତି
ଗ୍ରାମସେବକମାନେ ଚାଷୀମାନଙ୍କ ସହ ବିହନ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରି ପ୍ରତିବର୍ଷ ସମବାୟ ସମିତିକୁ ପ୍ରକୃତ ତଥ୍ୟ ଦେବା କଥା, ଯାହା ସେମାନେ କରୁନାହାନ୍ତି। ତେଣୁ ଗତବର୍ଷ ଗୁଡ଼ିକରେ ମଗାଯାଇଥିବା ବିହନ ଅନୁପାତରେ ବିହନ ଅଣାଯାଉଛି। ଏହାଛଡ଼ା ବଳକା ରହିଲେ ସମିତି ସମ୍ପାଦକଙ୍କୁ ଦାୟୀ କରାଯାଉଛି। ସେଥିପାଇଁ ଏପରି ଅସୁବିଧା ଉପୁଜୁଛି।
-ସୁଶୀଲ କୁମାର ପ୍ରଧାନ, ସମ୍ପାଦକ
ବଡସଡ଼ା ଏବଂ ଶଙ୍ଖମୁର ସମବାୟ ସମିତି
ପର୍ଯ୍ୟାପ୍ତ ପରିମାଣର ବିହନ ଅଛି
କୃଷି ସମବାୟ ସମିତି ପକ୍ଷରୁ ଯେତିକି ଧାନ ବିହନ ଯୋଗାଣ ପାଇଁ କୁହାଯାଇଥିଲା ତାହା ଦିଆଯାଇଛି। ଜିଲାରେ ପର୍ଯ୍ୟାପ୍ତ ପରିମାଣର ବିହନ ଅଛି। କୌଣସି ସଂସ୍ଥା ଚଢ଼ା ଦରରେ ବିହନ ବିକ୍ରି କରିବା ଅନୁଚିତ। ଏ ନେଇ ଚାଷୀମାନଙ୍କ ନିକଟରୁ ଅଭିଯୋଗ ମିଳିଲେ ତଦନ୍ତ କରାଯିବ।
-ଆଶିଷ କୁମାର ପ୍ରଧାନ
ବିହନ ଉତ୍ପାଦନ ଅଧିକାରୀ, ଅନୁଗୋଳ
ଧାର୍ଯ୍ୟ ଦରଠାରୁ ଅଧିକ ନେବା ଅନୁଚିତ
ସମବାୟ ସମିତି ଓ ଜଣେ ଅନୁମତିପ୍ରାପ୍ତ ବ୍ୟବସାୟୀ ବିହନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ବ୍ୟତୀତ ଅନ୍ୟ କୌଣସି ସଂସ୍ଥା ବିହନ ବିକ୍ରି କରିବା କଥା ନୁହେଁ। ସରକାରୀ ଧାର୍ଯ୍ୟ ଦର ଠାରୁ ମଧ୍ୟ ଅଧିକା ନେବା ଅନୁଚିତ। କୌଣସି ସଂସ୍ଥା ଚଢ଼ା ମୂଲ୍ୟ ନେଉଥିଲେ ଚାଷୀମାନେ ଆମକୁ ଜଣାନ୍ତୁ।
-ଚନ୍ଦ୍ରମୋହନ ପାତ୍ର, ବ୍ଲକ କୃଷି ଅଧିକାରୀ, ପାଲଲହଡ଼ା

The post ସମିତି ବଢ଼ାଉଛି ବିହନ ସମସ୍ୟା appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...