ଓ୍ବିମ୍ବେଲଡନ,୩୦।୬: ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଆମେରିକାର ଭେନସ ଓ୍ବିଲିୟମ୍ସ। ଏଥିସହ ସେ କ୍ୟାରିୟରର ୯୦ତମ ଗ୍ରାଣ୍ଡସ୍ଲାମ ମ୍ୟାଚ ଖେଳିବାର ସୌଭାଗ୍ୟଲାଭ କରିଛନ୍ତି। ପ୍ରଥମ ରାଉଣ୍ଡରେ ସେ ରୋମାନିଆର ମିହାଏଲ ବୁଜାର୍ନେସ୍କୁଙ୍କୁ ୭-୫, ୪-୬, ୬-୩ ସେଟ୍ରେ ପରାସ୍ତ କରିଛନ୍ତି। ୫ ଥର ଚାମ୍ପିୟନ ଭେନସ ଏଠାରେ ଓ୍ବାଇଲ୍ଡ କାର୍ଡ ମାଧ୍ୟମରେ କ୍ୟାରିୟରର ୨୩ତମ ଓ୍ବିମ୍ବେଲଡନ ଖେଳୁଛନ୍ତି। ମହିଳା ଡ୍ର’ର ସବୁଠାରୁ ବୟସ୍କା ୪୧ ବର୍ଷୀୟ ଭେନସ ଗତ ଫେବୃୟାରୀ ପରେ ଆଉ କୌଣସି ମ୍ୟାଚ ଜିତିପାରି ନ ଥିଲେ। ଭେନସ ଦ୍ୱିତୀୟ ରାଉଣ୍ଡରେ ଟ୍ୟୁନିସିଆର ଓନ୍ସ ଜାବେଉରଙ୍କୁ ଭେଟିବେ। ଜାବେଉର ପ୍ରଥମ ରାଉଣ୍ଡରେ ସ୍ବିଡେନର ରିବେକା ପିଟରସନଙ୍କୁ ପରାସ୍ତ କରିଥିଲେ। ପୁରୁଷ ସିଙ୍ଗଲ୍ସର ଏକ ମ୍ୟାଚରେ ଆଲେକଜାଣ୍ଡର ଜେଭରେଭ ୬-୩, ୬-୪, ୬-୧ ସେଟ୍ରେ ଟାଲୋନ ଗ୍ରିକସ୍ପୋରଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚତ୍ଛନ୍ତି। ସେହିପରି ସେବାଷ୍ଟିଆନ କୋର୍ଡା ୬-୩, ୬-୪, ୬-୭(୫/୭), ୭-୬(୭/୫) ସେଟ୍ରେ ଆଲେକ୍ସ ଡି ମିନାଉରଙ୍କୁ ଏବଂ ଡାନ୍ ଇଭାନ୍ସ ୭-୬(୭/୪), ୬-୨, ୭-୫ ସେଟ୍ରେ ଫେଲିସିଆନୋ ଲୋପେଜଙ୍କୁ ହରାଇଛନ୍ତି। ମହିଳା ସିଙ୍ଗଲ୍ସରେ ଆଞ୍ଜେଲିକ୍ କର୍ବର ୬-୪, ୬-୩ ସେଟ୍ରେ ନିନା ଷ୍ଟୋଜାନୋଭିକ୍ଙ୍କୁ ପରାସ୍ତ କରିଛନ୍ତି। ସେହିପରି ଆଶ୍ଲେ ବାର୍ଟି ୬-୧, ୬-୭(୧/୭), ୬-୧ ସେଟ୍ରେ କାର୍ଲା ସୁଆରେଜ ନାଭାରୋଙ୍କୁ ଏବଂ ଶେଲ୍ବି ରୋଜର୍ସ ୬-୧, ୫-୭, ୬-୩ ସେଟ୍ରେ ସାମନ୍ତା ସ୍ତୋସୁରଙ୍କୁ ହରାଇଛନ୍ତି। କରୋଲିନା ପ୍ଲିସ୍କୋଭା ମଧ୍ୟ ୭-୫, ୬-୪ ସେଟ୍ରେ ଟାମାରା ଜିଡାନସେକ୍ଙ୍କୁ ପରାସ୍ତ କରିଛନ୍ତି।
The post ଦ୍ୱିତୀୟ ରାଉଣ୍ଡରେ ଭେନସ, ଜେଭରେଭ appeared first on Dharitri Odia News.