Skip to main content

ସ୍ନେହମୟୀ ମାଆ ଓ ସବା ସାନପୁଅ

ଡ. ଶରତ ଚନ୍ଦ୍ର ରଥ

ଖରାଦିନେ ଅସହ୍ୟ ଗରମ ହେଲେ ଲୋକମାନେ ଅତିଷ୍ଠ ହୋଇପଡ଼ନ୍ତି, ଜୀବଜନ୍ତୁ ଗଛପତ୍ର ଆକୁଳ ବିକଳ ହୋଇପଡ଼ନ୍ତି। ବର୍ଷା ଟିକିଏ ହୁଅନ୍ତା କି! ଏହି କଥା ପରସ୍ପର ଭିତରେ ଲୋକମାନେ କଥା ହୁଅନ୍ତି। ଦିନେ ଦୁଇଦିନ ଭିତରେ କଳାମେଘ ଘୋଟିଆସେ, ବର୍ଷା ହୁଏ, ପରିବେଶ ଶୀତଳି ଯାଏ। ଲୋକେ ଆଶ୍ୱସ୍ତ ହୁଅନ୍ତି। ମାତ୍ର କାହାକୁ କୃତଜ୍ଞତା ଦେବାକୁ ହେବ ଜାଣନ୍ତି ନାହିଁ, ଜାଣିଲେ ମଧ୍ୟ ଦିଅନ୍ତି ନାହିଁ। ଏତେ କଷ୍ଟ କରିବ କିଏ? କାହିଁକି ବା କରିବ। ମାଆର କାମ ଆମର ଯତ୍ନ ନେବା, ନେଲା, ଏଥିପାଇଁ କୃତଜ୍ଞତା ଜଣାଇବା କ’ଣ ଦରକାର? ଆମ ପାଇଁ ଚିନ୍ତା କରିବା ତ ତା’ର କାମ, ଆମ ଶୁଭ ମନାସିବା ତ ତା’ର କାମ, ତାକୁ କୃତଜ୍ଞତା ଜଣାଇଲେ ସେ କହିବ ନ ଜଣାଇଲେ ମଧ୍ୟ କହିବ, ଆଦର କଲେ ସେ କହିବ, ହତାଦର କଲେ ମଧ୍ୟ କହିବ। ମାଆ ହୋଇଛି ପରା…।
ଏଠାରେ ମାଆ ଅର୍ଥରେ ପ୍ରକୃତିର କଥା କୁହାଯାଉଛି। ଅହରହ ପ୍ରକୃତିମାତା ସମସ୍ତଙ୍କର କଲ୍ୟାଣ ପାଇଁ କର୍ମ କରୁଛି, ନିଜ କଥା ଭାବିବାକୁ ତାକୁ ବେଳ ନାହିଁ। ଏ ସମଗ୍ର ସୃଷ୍ଟି ତା’ର। ସମସ୍ତେ ତା’ର ସନ୍ତାନ। କେବଳ ଆମେ ନୁହେଁ ହାତୀ ମଧ୍ୟ, ଝିଟିପିଟି ମଧ୍ୟ ଓ ପିମ୍ପୁଡି ମଧ୍ୟ। ଏତେ ଟିକିଏ ଝିଟିପିଟି ଛୁଆଟିକୁ କିଏ ଶିଖାଇଛି ଚୁପ୍‌ ହୋଇ କାନ୍ଥରେ ଲାଖି ରହିବାକୁ, ମଝିରେ ମଝିରେ ଟିକି ଲାଙ୍ଗୁଡ଼ଟିକୁ ଟିକିଏ ହଲେଇ ଦେବାକୁ, ପାଖକୁ ଟିକି ପୋକଟି ଆସିଲେ ଟକ୍‌କିନା ପାଟିରେ ପକାଇ ଦେବାକୁ। ଯିଏ ଶିଖାଇଛି ସେ ହେଉଛି ପ୍ରକୃତି ମାଆ। ଗଛପତ୍ରକୁ ସୂର୍ଯ୍ୟକିରଣ ମାଧ୍ୟମରେ ଖାଦ୍ୟ ପ୍ରସ୍ତୁତି ଶିଖାଇଛି, କିଏ ପୁଣି କହିଛି ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ଦେବାକୁ; ଯାହା ଏକାନ୍ତ ଆବଶ୍ୟକ ଜୀବଜନ୍ତୁ ଏବଂ ମନୁଷ୍ୟମାନଙ୍କ ପାଇଁ। ସେ ଆଉ କେହି ନୁହେଁ, ପ୍ରକୃତିମାତା। କେଉଁ ପିଲା କ’ଣ ଖାଇବେ- ସେ ଚିନ୍ତା ମାଆର। କିଏ ଭାତ ଖାଇବ ତ କିଏ ରୁଟି ଖାଇବ- ସେ ଚିନ୍ତା ମାଆର। ବାଘ ଯାହା ଖାଇବ, ହାତୀ ତାହା ଖାଇବ ନାହିଁ, ବିଲୁଆ ଯାହା ଖାଇବ, ଠେକୁଆ ତାହା ଖାଇବ ନାହିଁ। ବଣିଚଢ଼େଇ ଯାହା ଖାଇବ, ପାଣିକୁଆ ତାହା ଖାଇବ ନାହିଁ। ଯିଏ ସମସ୍ତଙ୍କ ପେଟ ଚିହ୍ନିଛି ସେ ହେଉଛି ପ୍ରକୃତି ମାତା। ଦୃଶ୍ୟମାନ ହେଉନି ସିନା, ଅଦୃଶ୍ୟରେ ରହି ସମସ୍ତଙ୍କ ପାଇଁ ସବୁକିଛି ସଜାଡ଼ି ରଖିଛି।
ମଣିଷ ହେଉଛି ପ୍ରକୃତି ମାତାର ସବା ସାନପୁଅ, ବୋଧହୁଏ ଅଧିକ ଗେହ୍ଲା। ତା’ ପାଇଁ ଅଧିକ ଆୟୋଜନ ମା’ର। ତା’ର ଶରୀରର ସୁସ୍ଥତା ପାଇଁ କେଉଁ ଋତୁରେ କେଉଁ ଫଳ ଲୋଡ଼ା, କେଉଁ ଭିଟାମିନ୍‌ କେଉଁ ଫଳରେ ରଖାଗଲେ ସେ ତାକୁ ଗ୍ରହଣ କରି ସୁସ୍ଥ ରହିବ, ଏତେ ସବୁ ଚିନ୍ତା ସେ କରିଛି। ସାନପୁଅ ଟିକିଏ ଅଧିକ ସୁକୁମାରିଆ, ସେ ପୃଥିବୀକୁ ଆସିବା ଆଗରୁ ଏତେ ସବୁ ଫଳଗଛ ଓ ଫଳର ଆୟୋଜନ ମାଆ ହିଁ କରିଛି।
ମାଟି, ପାଣି, ପବନ, ଆଲୋକ ଓ ଆକାଶ ପ୍ରଭୃତି ପଞ୍ଚଭୂତ ମାଆର ପ୍ରଥମ ସନ୍ତାନ। ପ୍ରଥମ ସନ୍ତାନକୁ ଅନ୍ୟ ସାନମାନଙ୍କୁ ଶ୍ରଦ୍ଧା ଓ ଆଦର କରିବାକୁ ମାଆ ହିଁ ଶିଖାଇଛି। ସେ ଶିଖାଇଛି ଯେମିତି ବଡ଼ ପିଲାଟି ଶିଖିଛି ସେମିତି। ପରିବାରର ବଡ଼ ପିଲାଟି ପରା, ତା’ର ଦାୟିତ୍ୱଜ୍ଞାନ ସ୍ବତନ୍ତ୍ର। ସେ ଦାୟିତ୍ୱଜ୍ଞାନ ପାଇଁ ଯୁକ୍ତି ଲୋଡ଼ାହୁଏ ନାହିଁ, ଏହା ଏପରି ସ୍ବତଃ ଯେ ତାହାକୁ କଳ୍ପନା କରିହେବ ନାହିଁ। ଏ ଲେଖାଟିର ପାଠକମାନଙ୍କ ଭିତରୁ ଯଦି କିଏ କିଏ ପରିବାରର ବଡ଼ପିଲା ହୋଇଥିବେ, ସେମାନେ ଏକଥାର ମର୍ମକୁ ଅଧିକ ଅନୁଭବ କରିପାରିବେ। ମା’ଙ୍କର କଥା ମାନି ବଡ଼ପୁଅ ଅର୍ଥାତ୍‌ ପଞ୍ଚଭୂତ କେବେ ହେଲେ ସାନମାନଙ୍କୁ ଅବହେଳା କରିନାହାନ୍ତି, ଅସୁବିଧାରେ ପକାଇବା ତ ଦୂରର କଥା। ସାନମାନେ ମଧ୍ୟ ବଡ଼କୁ ମାନିଛନ୍ତି, ସ୍ନେହ ଋଣୀ ହୋଇଛନ୍ତି। କେବଳ ସବା ସାନକୁ ଛାଡ଼ି ଅର୍ଥାତ୍‌ ମଣିଷକୁ ଛାଡ଼ି।
ସବା ସାନ ନିଜର ଅହଂ ଓ ସ୍ବାର୍ଥ ପାଇଁ ମାଟିକୁ ଧ୍ୱସ୍ତ ବିଧ୍ୱସ୍ତ କରୁଛି, ଜଳକୁ ଦୁଇ ଭାଗ ନୁହେଁ କେତେ କେତେ ଭାଗରେ ବିଭକ୍ତ କରୁଛି। ଆକାଶର ବକ୍ଷକୁ ବିଦୀର୍ଣ୍ଣ କରିଦେଉଛି, ବାୟୁମଣ୍ଡଳକୁ ଭରିଦେଉଛି ଧୂଳି ଓ ଧୂଅଁାରେ। ଫଳରେ କେତେ ନା କେତେ ଅଘଟଣ ଘଟୁଛି ଦିନକୁ ଦିନ। ପୃଥିବୀର ବାୟୁମଣ୍ଡଳର ଟ୍ରପୋସ୍ପିୟରରେ ଛିଦ୍ର ଦେବା ଫଳରେ ଅଧିକ ସୂର୍ଯ୍ୟକିରଣ ପୃଥିବୀକୁ ଚାଲି ଆସୁଛି ଏବଂ ପୃଥିବୀର ଉତ୍ତାପ ବୃଦ୍ଧି ହେଉଛି। ଷ୍ଟ୍ରାଟୋସ୍ପିୟର ମଧ୍ୟ ଦିନକୁ ଦିନ କଳୁଷିତ ହୋଇଗଲାଣି। ବିଭିନ୍ନ କାରଣରୁ ବାୟୁମଣ୍ଡଳରୁ ଅମ୍ଳଜାନର ମାତ୍ରା କମିଗଲାଣି ଓ ଅଙ୍ଗାରକାମ୍ଳର ମାତ୍ରା ବଢ଼ିଗଲାଣି। ଫଳରେ ଗ୍ଲୋବାଲ ଓ୍ବାର୍ମିଂର ଭୟାବହତା କ୍ରମେ କ୍ରମେ ଦେଖାଦେଲାଣି। ଏହାର ପ୍ରଭାବରେ ଗ୍ଲାସିୟର ତରଳିଯାଉଛି ଏବଂ ସମୁଦ୍ରର ଜଳପତନ ଆସ୍ତେ ଆସ୍ତେ ବୃଦ୍ଧି ପାଉଛି। ମେରୁ ଅଞ୍ଚଳର ବରଫ ଅସ୍ବାଭାବିକ ଭାବେ ତରଳିବାର ଅବସ୍ଥା ବୈଜ୍ଞାନିକ ତଥା ପରିବେଶବିତ୍‌ମାନଙ୍କୁ ବିବ୍ରତ କରିପକାଉଛି। ଭାରତରେ ଗ୍ଲୋବାଲ ଓ୍ବାର୍ମିଂର ପ୍ରଭାବ ଅନୁଭୂତ ହେଉଛି। ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଗ୍ଲାସିୟର ତରଳି ଯିବାରୁ ଯେଉଁ ଦାରୁଣ ବିପଦ ସୃଷ୍ଟି ହେଲା ତାହା ସମସ୍ତେ ଜାଣନ୍ତି। ସେତେବେଳେ ଅନେକ ଶ୍ରମିକ ଭୂମିଗତ ଟନେଲ ଭିତରେ ରହି ପ୍ରାଣ ହରାଇଲେ, ପୁଣି ନିର୍ମାଣାଧୀନ ତପୋବନ ଡ୍ୟାମ ଜଳର ସ୍ରୋତରେ ଭାସିଗଲା। ଗବେଷଣାରୁ ଜଣାଗଲା ଯେ, ଏହାର କାରଣ ଥିଲା ଗ୍ଲୋବାଲ ଓ୍ବାର୍ମିଂ।
ଅଙ୍ଗାରକାମ୍ଳ ଗ୍ୟାସର ଆଧିକ୍ୟ ହେତୁ ଦିଲ୍ଲୀରେ ମଝିରେ ମଝିରେ ଏପରି ଅବସ୍ଥା ସୃଷ୍ଟି ହେଉଛି ଯେ ଲୋକମାନେ ନିଃଶ୍ୱାସ ପ୍ରଶ୍ୱାସଜନିତ କଷ୍ଟ ଭୋଗ କରୁଛନ୍ତି। ଗ୍ଲେ୍‌ାବାଲ ଓ୍ବାର୍ମିଂର ମୁଖ୍ୟ କାରଣଗୁଡ଼ିକ ଭିତରୁ ପ୍ରାୟ ମଣିଷକୃତ। ଜଙ୍ଗଲରେ ନିଅଁା ଲଗାଇବା, ଜଙ୍ଗଲକ୍ଷୟ କରି ଅକାର୍ଯ୍ୟ ଆଉ କେହି କରୁନାହାନ୍ତି, କରୁଛି ମଣିଷ। ଆବଶ୍ୟକତାଠାରୁ ଅଧିକ କଳକାରଖାନା ପ୍ରତିଷ୍ଠା କରି ବାୟୁମଣ୍ଡଳକୁ ଅତ୍ୟଧିକ ଧୂଆଁ ଓ ଅନ୍ୟାନ୍ୟ ଦୂଷିତ ପଦାର୍ଥ ଛାଡ଼ିବା ଦ୍ୱାରା ବାୟୁମଣ୍ଡଳ ବିପର୍ଯ୍ୟସ୍ତ ହୋଇଯାଉଛି। ମଣିଷର ବସ୍ତୁ ପ୍ରାପ୍ତିର ଲାଳସା ଏତେ ବଢ଼ିଯାଇଛି ଯେ ଜୀବନ ମପା ହେଉଛି ବସ୍ତୁର ମାନଦଣ୍ଡରେ। ବସ୍ତୁ ହିଁ ଜୀବନ ଏବଂ ଜୀବନ ହିଁ ବସ୍ତୁ। ଏକ ପ୍ରକାର ହୋଇଗଲାଣି। ଏଇ ପ୍ରସଙ୍ଗରେ ମନେ ପଡ଼େ ସ୍ବାମୀ ବିବେକାନନ୍ଦଙ୍କର କଥା ପଦେ ଦୁଇପଦ। ସେ କହିଥିଲେ ଯେ, ଆବଶ୍ୟକତା ବଢ଼ୁ, ମାତ୍ର ସେଇ ବଢ଼ିବା ଏକ ସୀମା ଭିତରେ ରହୁ। ସୀମାପାର ହୋଇ ବଢ଼ି ନ ଯାଉ।
ବାସ୍ତବରେ ଏଇ ସୀମା ରେଖାଟିକୁ ମଣିଷ ଏକ ପ୍ରକାର ଭୁଲିଗଲାଣି। ସେ ନିଜ କୁରାଢ଼ି ନିଜ ଗୋଡ଼ରେ ମାରିବାକୁ ଯାଉଛି- ଏକଥା ଜାଣି ପାରୁନାହିଁ। ହୁଏତ ବେଳେବେଳେ ଜାଣିପାରୁଛି ମାତ୍ର ସେଥିରୁ ନିବୃତ୍ତ ରହିପାରୁ ନାହିଁ। ମାଆ ତା’ର କ୍ଷତାକ୍ତ ହେଉ ଅଥବା ରକ୍ତାକ୍ତ ହେଉ, ବିପର୍ଯ୍ୟସ୍ତ ହେଉ ଅଥବା ଧ୍ୱସ୍ତ ବିଧ୍ୱସ୍ତ ହେଉ, ସେ ଆଡ଼କୁ ତା’ର ନିଘାନାହିଁ। ଏହା କ’ଣ କେଉଁଠି ହୁଏ? ମାଆ ଭଲରେ ନ ରହିଲେ ପୁଅ କ’ଣ ଭଲରେ ରହେ କିମ୍ବା ପୁଅ ଭଲରେ ନ ରହିଲେ ମା’ କ’ଣ ଭଲରେ ରହେ। ମାଆର ଆଖିରୁ ଲୁହ ଝରାଇ ପୁଅ କ’ଣ ସୁଖରେ ରହେ? ପ୍ରକୃତି କେବଳ ମାଆ ନୁହେଁ, ଗୁରୁ, ଗୁରୁଜନ ଭୂମିକାରେ ଅବତୀର୍ଣ୍ଣ ମଧ୍ୟ। ଶିକ୍ଷାବିତ୍‌ ରୁଷୋଙ୍କ ମତରେ “Nature is the Great master, Follow th master”, ସମଗ୍ର ମାନବ ଜାତିର ଆଦର ଓ ସମ୍ମାନ ପ୍ରକୃତି ମାତା ପ୍ରତି ଯେତେ ବଢ଼ିବା କଥା ସେତେ ବଢ଼ୁ ନାହିଁ-ଏହା ହିଁ ପରିତାପର ବିଷୟ।
ପ୍ରାକ୍ତନ ପ୍ରଫେସର, ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର, ମୋ:୯୪୩୭୭୫୬୨୪୦

The post ସ୍ନେହମୟୀ ମାଆ ଓ ସବା ସାନପୁଅ appeared first on Dharitri Odia News.



Popular posts from this blog

କ୍ଷତିପୂରଣ ଲାଗି ବଢ଼ିପାରେ ଜିଏସ୍‌ଟି

ନୂଆଦିଲ୍ଲୀ,୩୧।୭-କରୋନା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କ ଟିକସ ଜନିତ ଆୟ ବର୍ତ୍ତମାନ କମିଛି। ଫଳରେ ରାଜ୍ୟଗୁଡିକର ଅଂଶ ପ୍ରଦାନ କରିବା ଦିଗରେ ବର୍ତ୍ତମାନ କଷ୍ଟକର ହେଉଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ବଡ ବଡ ରାଜ୍ୟକୁ ବାଦ୍‌ ଦେଲେ ଅଧିକାଂଶ ରାଜ୍ୟଗୁଡ଼ିକର ଆୟ କେନ୍ଦ୍ରଠାରୁ ମିଳୁଥିବା ଜିଏସ୍‌ଟି ଉପରେ ନିର୍ଭର କରିଥାଏ। ଲକ୍‌ଡାଉନ ଯୋଗୁ ଜିଏସ୍‌ଟି ଆଦାୟ ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏଭଳି ସ୍ଥିତିରେ କେନ୍ଦ୍ର ସମ୍ପୂର୍ଣ୍ଣ ହାତ ଟେକି ଦେଇଥିବା ଜଣାପଡିଛି। କେନ୍ଦ୍ର ଚାହୁଁଛି ଯେ, ରାଜ୍ୟଗୁଡ଼ିକ ବଜାରରୁ ଋଣ ଉଠାନ୍ତୁ। ରାଜସ୍ବ ମାମଲାରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଇନଗତ ଲଢ଼େଇ ଆରମ୍ଭ ହୋଇଯାଇଛି। ବଜାରରୁ ଋଣ ଉଠାଇବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି କେରଳ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ତାକୁ ବିରୋଧ କରୁଛନ୍ତି। କେନ୍ଦ୍ର ନିଜର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରୁ ବୋଲି ରାଜ୍ୟଗୁଡିକ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ବଜାରରୁ ଋଣ କରୁ ଏବଂ ରାଜ୍ୟଗୁଡିକ ଯେଉଁ ରାଜସ୍ବରେ ଯେଉଁ କ୍ଷତି ସହୁଛନ୍ତି ତା’ର ଭରଣା କରୁ ବୋଲି ରାଜ୍ୟଗୁଡିକ ଯୁକ୍ତିରେ କହିଛନ୍ତି। ୨୦୧୭ରେ ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ସମୟରେ କେନ୍ଦ୍ର ସରକାର କହିଥିଲେ ଯେ, ରାଜ୍ୟଗୁଡ଼ିକର ରାଜସ୍ବ ହ୍ରାସକୁ କେନ୍ଦ୍ର ଭରଣା କରିବ। ଆଗାମୀ ୫ ବର୍ଷ ଯାଏ ଏଭଳି ...

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବା ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସୁଦ୍ଧା ସରକାର ସ୍ପଷ୍ଟ କରିବାକୁ ପ୍ରୟାସ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ନ୍ୟାୟାଳୟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗରେ କିଛି ଆର୍ଥତ୍କ ମାମଲା ଜଡିତ ରହିଛି। ପ୍ରସଙ୍ଗଗୁଡିକୁ ବିଚାରକରିବା ଲାଗି ସମୟର ଆବଶ୍ୟକତା ରହିଛି। ଅକ୍ଟୋବର ପହିଲାରେ ମୋରାଟୋରିୟମ ମାମଲାର ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ, ଋଣ କିସ୍ତି ପ୍ରଦାନ କରିବାକୁ ସକ୍ଷମ ହେଉ ନ ଥିବା ଆକାଉଣ୍ଟଗୁଡିକୁ ଆଗାମୀ ୨ ମାସ ଯାଏ ଏନ୍‌ପିଏ ଘୋଷଣା କରା ନ ଯାଉ। ସୋମବାର ହୋଇଥିବା ଶୁଣାଣିରେ ...