Skip to main content

ଭୟଙ୍କର ସ୍ଥିତିରେ ଆମ ବିଦ୍ୟାଳୟ

ରାଜୀବ କର୍ମି

ସରକାର ନିଜସ୍ବ ବିଦ୍ୟାଳୟକୁ ପିଲା ଅଭାବରୁ ବନ୍ଦ କରୁଛନ୍ତି, ଅଥଚ ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତକୁ ଗଢ଼ିଥିବା ହଜାର ହଜାର ହାଇସ୍କୁଲକୁ ସମ୍ପୂର୍ଣ୍ଣ ଅନୁଦାନ ଦେଉ ନାହାନ୍ତି। କାରଣ ଯାହା ହେଉନା କାହିଁକି ସରକାରୀ କଳ ପିଲାମାନଙ୍କୁ ନିଜ ବିଦ୍ୟାଳୟରେ ରଖିପାରିଲେ ନାହିଁ। କୋଟି କୋଟି ଟଙ୍କାର ଅନୁଦାନ, ହଜାର ହଜାର କର୍ମଚାରୀ ଦିନ ରାତି ପରିଶ୍ରମ କରି ବି ନିଜ ବିଦ୍ୟାଳୟକୁ ବଞ୍ଚେଇ ପାରୁ ନାହାନ୍ତି; ଯାହାଫଳରେ ସରକାର ହାତ ଟେକି ଦେଇ ମୂଳୁ ମାଇଲେ ଯିବ ସରି ଲକ୍ଷ୍ୟରେ ବାଧ୍ୟ ହୋଇ ବିଦ୍ୟାଳୟକୁ ବନ୍ଦ କରୁଛନ୍ତି। ଅନ୍ୟ ଦିଗରେ ପରିଚାଳନା କମିଟିମାନେ ନିଜସ୍ବ ଉଦ୍‌ଯୋଗରେ ପଞ୍ଚାୟତ ସ୍ତରରେ ଉଚ୍ଚ ବିଦ୍ୟାଳୟଟିଏ ଖୋଲି ଅନେକ ପିଲାଙ୍କ ପାଇଁ ଶିକ୍ଷା ଗ୍ରହଣ କରିବାର ସୁଯୋଗ ସୃଷ୍ଟି କରିଛନ୍ତି। ସେହି ଅଞ୍ଚଳରେ ଯଦି ବେସରକାରୀ ଉଦ୍ୟମରେ ବିଦ୍ୟାଳୟଟିଏ ଖୋଲାଯାଇ ନ ଥାନ୍ତା ତେବେ ସେହି ପିଲାମାନେ ନିଶ୍ଚିତ ଭାବରେ ଅଧାରେ ପାଠ ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତେ। ଆଉ ଯଦି ସରକାରଙ୍କୁ ଭରସା କରାଯାଇଥାନ୍ତା ତେବେ ଆହୁରି ଅନେକ ବର୍ଷ ଅପେକ୍ଷା କରିବାକୁ ପଡ଼ିଥାନ୍ତା। କହିବା ବାହୁଲ୍ୟ ଯେ ସରକାରଙ୍କ ଅଧିକାଂଶ ବୋଝକୁ କମିଟି ଦ୍ୱାରା ପରିଚାଳିତ ଏହି ବ୍ଲକ୍‌ ଗ୍ରାଣ୍ଟ ବିଦ୍ୟାଳୟଗୁଡ଼ିକ ହିଁ ହାଲୁକା କରୁଛନ୍ତି। କିନ୍ତୁ ଏମାନଙ୍କୁ ପୂର୍ଣ୍ଣ ଅନୁଦାନ ଦେଇ ସରକାରୀ ବିଦ୍ୟାଳୟର ମାନ୍ୟତା ଦେବାରେ ସରକାର କୁନ୍ଥୁ କୁନ୍ଥୁ ହେଉଛନ୍ତି।
ବେସରକାରୀ ବ୍ୟତିରେକ ଆମ ରାଜ୍ୟରେ ଦୁଇ ପ୍ରକାର ବ୍ୟବସ୍ଥାରେ ହାଇସ୍କୁଲ ଚାଲିଛି। ଗୋଟିଏ ସରକାର ନିଜେ ଗଢ଼ିଥିବା ବିଦ୍ୟାଳୟ ସମୂହ ଏବଂ ଅନ୍ୟଟି କମିଟି ପରିଚାଳିତ ଅର୍ଥାତ୍‌ ସରକାରୀ ସ୍ବୀକୃତ ଏବଂ ଅନୁଦାନପ୍ରାପ୍ତ। ସରକାରଙ୍କ ୨୦ା୦୩ା୧୯୮୯ର ନିଷ୍ପତ୍ତି ଅନୁସାରେ କମିଟିମାନେ ନିଜସ୍ବ ଉଦ୍ୟମରେ ବିଦ୍ୟାଳୟ ଖୋଲିବେ ଏବଂ ସରକାର ସେହି ବିଦ୍ୟାଳୟଗୁଡ଼ିକୁ ପର୍ଯ୍ୟାୟ କ୍ରମେ ହାତକୁ ନେବେ। କ୍ରମଶଃ ସରକାର ଅନୁଦାନ ଦେଇ ସେହି ବିଦ୍ୟାଳୟଗୁଡ଼ିକର ଉନ୍ନତି ସାଧନ କରିବେ। କିନ୍ତୁ ବିଗତ ଦିନଗୁଡ଼ିକର ଅଭିଜ୍ଞତାରୁ ଦେଖାଯାଉଛି ସରକାର ଏହି ବିଦ୍ୟାଳୟଗୁଡ଼ିକୁ ମଧ୍ୟ ଅବହେଳା କରିଆସୁଛନ୍ତି। ଯଦିଓ ଉଭୟ ବିଦ୍ୟାଳୟରେ ସମସ୍ୟା ରହିଛି କିନ୍ତୁ କମିଟି ପରିଚାଳିତ ବିଦ୍ୟାଳୟଗୁଡ଼ିକ ସରକାରୀ ସ୍ନେହରୁ ବିଭିନ୍ନ ଭାବରେ ବଞ୍ଚିତ। ସରକାରୀ ବିଦ୍ୟାଳୟଗୁଡ଼ିକ ସରକାର ନିଜସ୍ବ ଢଙ୍ଗରେ ପରିଚାଳନା କରୁଥିବା ବେଳେ, କମିଟି ପରିଚାଳିତ ବିଦ୍ୟାଳୟଗୁଡ଼ିକୁ ସରକାର ସାବତ ମା’ର ପୁଅ ଭଳି ପରିଚାଳନା କରୁଛନ୍ତି। ଆମ ରାଜ୍ୟରେ ପାଖାପାଖି ୩୦୦୦ ହାଇସ୍କୁଲ ପରିଚାଳନା କମିଟି ଉଦ୍ୟମରେ ଆରମ୍ଭ କରାଯାଇ ଚାଲି ଆସୁଛି; ଯେଉଁଥିରୁ ୭୦ ଭାଗ ବିଦ୍ୟାଳୟକୁ ସରକାର ବିଭିନ୍ନ ସମୟରେ ଅଳ୍ପ ଅଳ୍ପ କରି ଅନୁଦାନ ଦେଇ ଆସୁଛନ୍ତି। କେତେକ ବିଦ୍ୟାଳୟ ୧୦୦ ଭାଗ, କିଛି ୭୫ଭାଗ, କିଛି ୬୦ ଭାଗ ଏବଂ କିଛି ୪୦ ଭାଗ ଅନୁଦାନ ପାଇ ଆସୁଛନ୍ତି। ଆଉ କିଛି ବିଦ୍ୟାଳୟ ଅଛି ଯେଉଁମାନେ କି ଉପରୋକ୍ତ କୌଣସି ଶ୍ରେଣୀଭୁକ୍ତ ନୁହନ୍ତି। ସେହି ବିଦ୍ୟାଳୟଗୁଡ଼ିକ ୧୦୦ ଭାଗ ନିଜସ୍ବ ଖର୍ଚ୍ଚରେ ବିଦ୍ୟାଳୟ ଚଳାଉଛନ୍ତି। ସରକାର ୧୦୦ ଭାଗ ଅନୁଦାନ ଦେଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଭାବରେ ସରକାରୀ ନୁହେଁ।
ଏହି ବିଦ୍ୟାଳୟଗୁଡ଼ିକ ଭୋଗୁଥିବା ବିଭିନ୍ନ ଅସୁବିଧାର ଏକ ଉଦାହରଣ ଏଠାରେ ନିଆଯାଇ ପାରେ। ଆମ ଅଞ୍ଚଳରେ ସ୍ଥାନୀୟ ନେତୃତ୍ୱରେ କମିଟି ତରଫରୁ ଏକ ଉଚ୍ଚ ବିଦ୍ୟାଳୟ ଆରମ୍ଭ କରାଯାଇଥିଲା ୧୯୮୭ ମସିହାରେ। ପ୍ରଥମେ ବିଦ୍ୟାଳୟରେ ପିଲାସଂଖ୍ୟା ବୃଦ୍ଧି ପାଇଁ ୪/୫ ବର୍ଷ ପାଠ ଛାଡ଼ି ବାହାରେ ବୁଲୁଥିବା ପିଲାଙ୍କୁ ଖୋଜି ଖୋଜି ଭର୍ତ୍ତି କରାଯାଇଥିଲା। ଅନେକ ପିଲା ଏଠାରେ ଶିକ୍ଷା ପାଇ ବିଭିନ୍ନ ସମ୍ମାନାସ୍ପଦ ପଦ ପଦବୀରେ ଅଛନ୍ତି ତ କିଛି ଭଲ ଚାକିରି କରୁଛନ୍ତି। ସେହି ବିଦ୍ୟାଳୟ ଶହ ଶହ ପିଲାଙ୍କର ଉଚ୍ଚ ଶିକ୍ଷା ପାଇଁ ସୁଯୋଗ ସୃଷ୍ଟି କରିଛି। ହେଲେ ତା’ ତୁଳନାରେ ବିଗତ ୩୪ ବର୍ଷ ଭିତରେ ସେହି ବିଦ୍ୟାଳୟର କୌଣସି କ୍ଷେତ୍ରରେ ବି ଉନ୍ନତି ହୋଇନାହିଁ। ତିନୋଟି ପଞ୍ଚାୟତରେ ଗୋଟିଏ ବିଦ୍ୟାଳୟ ପୁଣି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଥଚ ସରକାର ଏହା ପ୍ରତି ଦୃଷ୍ଟି ଦେଉ ନାହାନ୍ତି। ସରକାରଙ୍କ ତରଫରୁ ୧୦୦ ଭାଗ ବ୍ଲକ୍‌ ଗ୍ରାଣ୍ଟ ପାଉଛି ଅଥଚ କୌଣସି ଶିକ୍ଷକ ଆଜି ବି ସରକାରୀ ବିଦ୍ୟାଳୟ ପରି ପୂରା ସ୍କେଲର ଦରମା ପାଉ ନାହାନ୍ତି। ପୂରା ଦରମା ମିଳିବା ପୂର୍ବରୁ କେତେକ ଶିକ୍ଷକ ଅବସର ନେଇ ସାରିଲେଣି। ଉପଯୁକ୍ତ ଶ୍ରେଣୀ ଗୃହ ନାହିଁ। ନବମ ଏବଂ ଦଶମ ଶ୍ରେଣୀ ଉଭୟରେ ୩୬୫ ପିଲା ଅଛନ୍ତି। ପିଲା ତୁଳନାରେ ଭିତ୍ତି ଭୂମି ନାହିଁ। ଅନ୍ୟାନ୍ୟ ଶିକ୍ଷଣ ସାମଗ୍ରୀର ଘୋର ଅଭାବ ରହିଛି। ସମ୍ପୂର୍ଣ୍ଣ ସରକାରୀ ଅନୁଦାନ ମିଳୁ ନ ଥିବାରୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ମାଟ୍ରିକ୍‌ ପାସ୍‌ ହାର ମଧ୍ୟ ଖରାପ ନୁହେଁ। ସରକାରଙ୍କ ନିଜସ୍ବ ବିଦ୍ୟାଳୟର ସମକକ୍ଷ ବିଦ୍ୟାଳୟଟିଏ, ହେଲେ ସରକାରଙ୍କ ସମ୍ପୂର୍ଣ୍ଣ ଦୃଷ୍ଟି ୩୪ ବର୍ଷ ପରେ ବି ପଡ଼ିପାରିଲା ନାହିଁ। ଏଭଳି ସ୍ଥିତି ସବୁ ଜିଲାରେ ଅଛି।
ଜଣେ ସରକାରୀ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କଲେ ସିଧାସଳଖ ମୋଟା ଅଙ୍କର ଦରମା ପାଇଥାଏ ନତୁବା ୬ ବର୍ଷ ପରେ ନିୟମିତ ହୋଇ ସରକାରୀ ଶିକ୍ଷକ ଭାବରେ ପରିଗଣିତ ହୋଇଥାଏ। କିନ୍ତୁ ସ୍ବୀକୃତ ଏବଂ ଅନୁଦାନପ୍ରାପ୍ତ ଶିକ୍ଷକମାନେ ବର୍ଷ ବର୍ଷ ଧରି ବିନା ଦରମା କିମ୍ବା କମ୍‌ ଦରମାରେ ସେଇ ସମାନ କାମ କରନ୍ତି। ନିଜର ପରିବାର ଚଳେଇବା ପାଇଁ ଅନ୍ୟ ଆୟ ପନ୍ଥାରେ ନିର୍ଭର କରିବାକୁ ପଡ଼ୁଥିବାରୁ ସକାଳୁ ବିଲରେ ଯାଇ ଚାଷ କରିବେ ଏବଂ ସମୟ ହେଲେ ବିଦ୍ୟାଳୟକୁ ଯାଇ ସନ୍ଧ୍ୟାରେ ଫେରି ପୁଣି ବିଲକୁ ଯିବେ। ଏହି ଭଳିଆ ଅନୁଭବ ଅନେକ ଶିକ୍ଷକଙ୍କର ଥିବ। କେବେ ସରକାରୀ ଅନୁଦାନ ମିଳିବ ସେଇ ଆଶାରେ ବର୍ଷ ବର୍ଷ ଧରି ଆଶା ଆଉ ସରକାରୀ ଆଶ୍ୱାସନାରେ କିଛି ଶିକ୍ଷକଙ୍କର ଜୀବନ ବିତିଯାଏ। ପୂରା ଦରମା ପାଇଲା ବେଳକୁ ଚାକିରି ସରିଯାଇଥାଏ। କିନ୍ତୁ ସେମାନେ ପାଠ ପଢ଼ାରେ ଅବହେଳା କରନ୍ତି ନାହିଁ। ସରକାରଙ୍କର କିନ୍ତୁ ଏହିଭଳି ବିଦ୍ୟାଳୟ ପ୍ରତି ସବୁପ୍ରକାର ଲଗାମ ଥାଏ। ଯେପରି କି ଜନଗଣନା, ଭୋଟ କାର୍ଯ୍ୟକ୍ରମରେ ସାମିଲ କରିବା ଇତ୍ୟାଦି। ଏହି ବିଦ୍ୟାଳୟର ଶିକ୍ଷକମାନେ ଅବସର କାଳୀନ ପେନ୍‌ସନର ଅନ୍ତର୍ଭୁକ୍ତ ନୁହନ୍ତି କି ସପ୍ତମ ବେତନ ଆୟୋଗଙ୍କ ପରିସରଭୁକ୍ତ ମଧ୍ୟ ନୁହନ୍ତି। ଏହି ବିଦ୍ୟାଳୟଗୁଡ଼ିକୁ ସରକାର ଭିତ୍ତିଭୂମିର ବିକାଶ ପାଇଁ ଅନୁଦାନ ଦିଅନ୍ତି ନାହିଁ। ଏଥିପାଇଁ କେତେବେଳେ ବିଧାୟକ ପାଣ୍ଠି ତ କେତେବେଳେ ସାଂସଦ ପାଣ୍ଠି ଉପରେ ନିର୍ଭର କରିବାକୁ ପଡ଼େ। ସମ୍ପୂର୍ଣ୍ଣ ସରକାରୀ ହୋଇ ନ ଥିବାରୁ ସ୍ଥାନୀୟ ନେତାଙ୍କ ହସ୍ତକ୍ଷେପ ରହେ। ଫଳରେ ବିଦ୍ୟାଳୟ ଚଳେଇବା ଆହୁରି ଜଟିଳ ହୋଇପଡ଼େ।
ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ଅନୁସାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଅଛି। ତେଣୁ ହାଇସ୍କୁଲଗୁଡ଼ିକ ଏହାର ପରିସରଭୁକ୍ତ ହେଉ ନାହାନ୍ତି। ସରକାର କୌଶଳ କ୍ରମେ ଅଷ୍ଟମ ଶ୍ରେଣୀକୁ ହାଇସ୍କୁଲରୁ ଅଲଗା କରି ସମସ୍ତ ହାଇସ୍କୁଲଗୁଡ଼ିକୁ ଶିକ୍ଷା ଅଧିକାରରୁ ବାଦ୍‌ ଦେଇଛନ୍ତି। କିଛି ମାଧ୍ୟମିକ ବିଦ୍ୟାଳୟକୁ ମଧ୍ୟ ହାଇସ୍କୁଲକୁ ଉନ୍ନୀତ କରାଯାଇଛି। ଆଉ କିଛି ବିଦ୍ୟାଳୟରେ ନାମକୁ ମାତ୍ର ନବମ ଏବଂ ଦଶମ ଶ୍ରେଣୀ ଖୋଲା ଯାଇଛି। କିନ୍ତୁ ସେହି ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ଆହୁରି ନଗଣ୍ୟ। ଅନେକ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି। ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ହାଇସ୍କୁଲ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି। ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକୀୟ ଭିତ୍ତିଭୂମି ନାହିଁ। ତାଲିମପ୍ରାପ୍ତ ଶିକ୍ଷକ ନାହାନ୍ତି। ଅର୍ଥାତ୍‌ ପିଲାମାନଙ୍କୁ ନିଜର ଭାଗ୍ୟ ଉପରେ ଛାଡ଼ି ଦିଆଯାଇଛି।
ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ହେଉ କି ଅଣ-ଅନୁଦାନପ୍ରାପ୍ତ ହାଇସ୍କୁଲ ହେଉ ଉଭୟଙ୍କର ସ୍ଥିତି ଶୋଚନୀୟ। ଏପରି କି ସରକାରଙ୍କ ନିଜସ୍ବ ବିଦ୍ୟାଳୟର ଅବସ୍ଥା ବି କିଛି ଭଲ ନୁହଁ। ମାତ୍ର ଅନୁଦାନପ୍ରାପ୍ତ ବିଦ୍ୟାଳୟ ତୁଳନାରେ ଭଲ। ସରକାର ଏ ବିଷୟକୁ ହୃଦୟଙ୍ଗମ କରି ବିହିତ ପଦକ୍ଷେପ ନେବା ଜରୁରୀ। ପ୍ରଥମତଃ ଏହି ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିର ବିକାଶ ପାଇଁ ସିଧାସଳଖ ସରକାରୀ ଅନୁଦାନର ବ୍ୟବସ୍ଥା। ଦ୍ୱିତୀୟତଃ ସରକାରୀ ବିଦ୍ୟାଳୟ ପରି ଏହି ବିଦ୍ୟାଳୟରେ ମଧ୍ୟ ପିଲାଙ୍କ ଶିକ୍ଷଣ ସ୍ତର ବୃଦ୍ଧି ନିମନ୍ତେ ଆବଶ୍ୟକୀୟ ଅନୁଦାନ ଏବଂ ପଦକ୍ଷେପ। ତୃତୀୟତଃ ଆବଶ୍ୟକତା ଅନୁସାରେ ସରକାରୀ ଶିକ୍ଷକ ନିଯୁକ୍ତି। ଚତୁର୍ଥତଃ ଏହି ଅନୁଦାନପ୍ରାପ୍ତ ବିଦ୍ୟାଳୟରୁ ବ୍ଲକ୍‌ ଗ୍ରାଣ୍ଟ ଉଚ୍ଛେଦ କରି ପୂର୍ଣ୍ଣ ସରକାରୀ ବିଦ୍ୟାଳୟର ମାନ୍ୟତା ଜରୁରୀ। ଶେଷରେ ଏହି ବ୍ଲକ୍‌ ଗ୍ରାଣ୍ଟ ହାଇସ୍କୁଲର ପିଲାମାନଙ୍କୁ ପାତରଅନ୍ତର ନ କରି ସରକାରୀ ବିଦ୍ୟାଳୟର ପିଲା ପାଉଥିବା ସୁବିଧା ସୁଯୋଗ ଦେବା ଉଚିତ।
ଶଗଡ଼ା, ବୌଦ୍ଧ, ମୋ: ୮୩୨୮୮୪୮୧୪୫

The post ଭୟଙ୍କର ସ୍ଥିତିରେ ଆମ ବିଦ୍ୟାଳୟ appeared first on Dharitri Odia News.



Popular posts from this blog

କ୍ଷତିପୂରଣ ଲାଗି ବଢ଼ିପାରେ ଜିଏସ୍‌ଟି

ନୂଆଦିଲ୍ଲୀ,୩୧।୭-କରୋନା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କ ଟିକସ ଜନିତ ଆୟ ବର୍ତ୍ତମାନ କମିଛି। ଫଳରେ ରାଜ୍ୟଗୁଡିକର ଅଂଶ ପ୍ରଦାନ କରିବା ଦିଗରେ ବର୍ତ୍ତମାନ କଷ୍ଟକର ହେଉଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ବଡ ବଡ ରାଜ୍ୟକୁ ବାଦ୍‌ ଦେଲେ ଅଧିକାଂଶ ରାଜ୍ୟଗୁଡ଼ିକର ଆୟ କେନ୍ଦ୍ରଠାରୁ ମିଳୁଥିବା ଜିଏସ୍‌ଟି ଉପରେ ନିର୍ଭର କରିଥାଏ। ଲକ୍‌ଡାଉନ ଯୋଗୁ ଜିଏସ୍‌ଟି ଆଦାୟ ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏଭଳି ସ୍ଥିତିରେ କେନ୍ଦ୍ର ସମ୍ପୂର୍ଣ୍ଣ ହାତ ଟେକି ଦେଇଥିବା ଜଣାପଡିଛି। କେନ୍ଦ୍ର ଚାହୁଁଛି ଯେ, ରାଜ୍ୟଗୁଡ଼ିକ ବଜାରରୁ ଋଣ ଉଠାନ୍ତୁ। ରାଜସ୍ବ ମାମଲାରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଇନଗତ ଲଢ଼େଇ ଆରମ୍ଭ ହୋଇଯାଇଛି। ବଜାରରୁ ଋଣ ଉଠାଇବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି କେରଳ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ତାକୁ ବିରୋଧ କରୁଛନ୍ତି। କେନ୍ଦ୍ର ନିଜର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରୁ ବୋଲି ରାଜ୍ୟଗୁଡିକ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ବଜାରରୁ ଋଣ କରୁ ଏବଂ ରାଜ୍ୟଗୁଡିକ ଯେଉଁ ରାଜସ୍ବରେ ଯେଉଁ କ୍ଷତି ସହୁଛନ୍ତି ତା’ର ଭରଣା କରୁ ବୋଲି ରାଜ୍ୟଗୁଡିକ ଯୁକ୍ତିରେ କହିଛନ୍ତି। ୨୦୧୭ରେ ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ସମୟରେ କେନ୍ଦ୍ର ସରକାର କହିଥିଲେ ଯେ, ରାଜ୍ୟଗୁଡ଼ିକର ରାଜସ୍ବ ହ୍ରାସକୁ କେନ୍ଦ୍ର ଭରଣା କରିବ। ଆଗାମୀ ୫ ବର୍ଷ ଯାଏ ଏଭଳି ...

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବା ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସୁଦ୍ଧା ସରକାର ସ୍ପଷ୍ଟ କରିବାକୁ ପ୍ରୟାସ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ନ୍ୟାୟାଳୟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗରେ କିଛି ଆର୍ଥତ୍କ ମାମଲା ଜଡିତ ରହିଛି। ପ୍ରସଙ୍ଗଗୁଡିକୁ ବିଚାରକରିବା ଲାଗି ସମୟର ଆବଶ୍ୟକତା ରହିଛି। ଅକ୍ଟୋବର ପହିଲାରେ ମୋରାଟୋରିୟମ ମାମଲାର ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ, ଋଣ କିସ୍ତି ପ୍ରଦାନ କରିବାକୁ ସକ୍ଷମ ହେଉ ନ ଥିବା ଆକାଉଣ୍ଟଗୁଡିକୁ ଆଗାମୀ ୨ ମାସ ଯାଏ ଏନ୍‌ପିଏ ଘୋଷଣା କରା ନ ଯାଉ। ସୋମବାର ହୋଇଥିବା ଶୁଣାଣିରେ ...