Skip to main content

କରୋନା ଆଣିଛି ନିଦ୍ରା ବିଶୃଙ୍ଖଳା

ଡା.ସମ୍ରାଟ କର

ରାଜ୍ୟର ସମସ୍ତ ସହରାଞ୍ଚଳରେ ପୂର୍ବଭାବେ ସପ୍ତାହାନ୍ତ ଶନିବାର ଓ ରବିବାର ଲକ୍‌ଡାଉନ ଆରମ୍ଭ ହୋଇଛି। ଯଦିଓ ଏହା ପୂର୍ବରୁ ବିଶେଷକରି ଦ୍ୱୈତନଗରୀରେ ରାତି ନଅରୁ ପରଦିନ ସକାଳ ପାଞ୍ଚ ପର୍ଯ୍ୟନ୍ତ କର୍ଫ୍ୟୁ ରହୁଛି। ବାସ୍ତବ କଥା ହେଉଛି, ଦେଶବ୍ୟାପୀ କରୋନା ଦ୍ୱିତୀୟ ଲହର ପରେ ତମାମ ଶଟ୍‌ଡାଉନ୍‌ ସମ୍ଭାବ୍ୟ ଘୋଷଣାକୁ ଚିନ୍ତା କରି କିଛି ଲୋକଙ୍କର କହିବାକୁ ଗଲେ ତାଙ୍କ ନିଦ ହଜିଗଲାଣି। ସେମାନଙ୍କ ମନରେ ଅହେତୁକ ଅବସନ୍ନତା, ଉତ୍କଣ୍ଠା ଆଦି ବଢ଼ିବା ସହ ନିଦ୍ରା ବିଶୃଙ୍ଖଳା ବି ପ୍ରମୁଖ ଅସ୍ବାଭାବିକତା ଭାବେ ଉଭା ହେଉଛି। ସରସତା ଆଣିବା ଲାଗି ରାତି ଅନିଦ୍ରା ରହି ଦୀର୍ଘକାୟ ଟେଲି ଧାରାବାହିକଗୁଡ଼ିକୁ ଏକାଧିକ୍ରମେ ଉପଭୋଗ କରିବା, ଅସୀମ ଅନ୍‌ଲାଇନ୍‌ ଗେମ୍‌ ଖେଳିବା ଓ ଭିଡିିଓ ଚାଟିଂ ଭଳି ବିକୃତ ଅଭ୍ୟାସ ଆପଣାଇବା ଯୋଗୁ ଆମ୍ଭମାନଙ୍କର ପ୍ରାକୃତିକ ନିଦ୍ରାଚକ୍ରରେ ଘୋର ବିଭ୍ରାଟ ଦେଖାଦେଇଛି। ଏ ଅବସରରେ ନିଦ୍ରା ବିଶୃଙ୍ଖଳା ସମ୍ପର୍କରେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ମଧ୍ୟ ଆଶାତୀତ ଭାବେ ବଢ଼ିଯାଇଛି। କରୋନା ବେଳେ ନିଜର ସ୍ବାସ୍ଥ୍ୟ, ରୋଜଗାର ଓ ଆର୍ଥିକ ସୁରକ୍ଷାକୁ ନେଇ ବ୍ୟସ୍ତ ବିବ୍ରତ ହୋଇପଡ଼ିବା ସହ ସ୍ଥଳବିଶେଷରେ ଘରେ ବସି ଧାର୍ଯ୍ୟ କାର୍ଯ୍ୟ କରିବା ଓ ସେହି ସମୟରେ ପରିବାରର ଭଲମନ୍ଦ ଆଦି ବୁଝିବା ଘଟଣା ନିଦ୍ରାକୁ ବହୁ ମାତ୍ରାରେ ପ୍ରଭାବିତ କରିଛି। ନିକଟରେ ଏକ ସର୍ଭେର ତଥ୍ୟ ଅନୁଯାୟୀ ଅଧିକାଂଶ ଲୋକ ଦୈନିକ ଛଅଘଣ୍ଟାରୁ କମ୍‌ ଶୋଉଛନ୍ତି। ଅନେକେ ମଧ୍ୟ ସମ୍ପୂର୍ଣ୍ଣ ନିଦ୍ରାହୀନତା ଭୋଗୁଛନ୍ତି। ଅତ୍ୟନ୍ତ ଦୁଶ୍ଚିନ୍ତା ଓ ବ୍ୟସ୍ତବିବ୍ରତ ହିଁ ନିଦ୍ରାଚକ୍ରରେ ଏଭଳି ନକାରାତ୍ମକ ପ୍ରଭାବ ପକାଇଥାଏ।
ଏଇ କାରଣରୁ ସେମାନେ ଶାରୀରିକ ଏବଂ ମାନସିକ ଅସୁସ୍ଥତାର ଶିକାର ହୋଇପଡ଼ୁଛନ୍ତି। ସେମାନଙ୍କଠାରେ ସ୍ମୃତି ବିଭ୍ରମତା ଦେଖାଦେଉଛି । ଖୁବ୍‌ କମ୍‌ ସମୟ ଶୋଉଥିବାରୁ ମାନସିକ ଚାପ ଏବଂ ଉଚ୍ଚ ରକ୍ତଚାପ ଦେଖାଦେଉଛି । ସମଗ୍ର ପୃଥିବୀରେ ନିଦ୍ରା ଅଭ୍ୟାସ (ସ୍ଲିପ୍‌ ହାବିଟ୍‌) ଉପରେ ନିକଟରେ ‘ଏସି ନିଏଲସନ୍‌ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାଯାଇଛି, ଭାରତୀୟମାନେ ହିଁ ସବୁଠୁ ବେଶୀ ନିଦ୍ରାହୀନତାର ଶିକାର ହୋଇଥାଆନ୍ତି। ଏସିଆ ମହାଦେଶରେ ଭାରତ ଆଗରେ ଅଛି। ଅଧିକାଂଶ ଭାରତୀୟ ୬ ଘଣ୍ଟାରୁ କମ୍‌ ଶୋଇଥା’ନ୍ତି। ଏମାନଙ୍କ ଭିତରୁ ୪୫% କହନ୍ତି- ଲଗାତର ଦୀର୍ଘ ସମୟ ଧରି କାମ କରିବା ଫଳରେ ସେମାନେ ଶୋଇବାକୁ ସମୟ ପାଇନଥା’ନ୍ତି। ଏଇ ସମସ୍ୟା ଲାଗି ରହିଲେ ନିଦ୍ରାହୀନତା ଏକ ଅଭ୍ୟାସରେ ପରିଣତ ହୋଇଯାଏ। ଚାହିଁଲେ ବି ନିଦ ସହଜେ ଆସେ ନାହିଁ। ନିଦରେ ଭାରତୀୟ ଲୋକ ସବୁଠୁ ଆଗରେ ଥିଲାବେଳେ ଦ୍ୱିତୀୟରେ ସାଉଦିଆରବ ଓ ତୃତୀୟରେ ଚାଇନା ରହିଛି। ସେହିପରି ଭାରତୀୟମାନଙ୍କ ତୁଳନାରେ ଅନ୍ୟାନ୍ୟ ପ୍ରଗତିଶୀଳ ରାଷ୍ଟ୍ରଗୁଡ଼ିକ ନିଦ୍ରାହୀନତାରେ ଅନେକ ପଛରେ ଅଛନ୍ତି- ୩୪% ଆମେରିକୀୟ, ୩୨% ୟୁରୋପୀୟ ଏବଂ ୨୭% ଜାପାନୀମାନେ ନିଦ୍ରାହୀନତା ଭୋଗନ୍ତି। ଟଙ୍କା ରୋଜଗାର କରିବା ଏବଂ ସଞ୍ଚୟ କରିବାର ପ୍ରବଳ ଆକାଂକ୍ଷା ଏହାର ଏକମାତ୍ର କାରଣ ବୋଲି ମନୋବିଜ୍ଞାନୀମାନେ କହନ୍ତି। ଅର୍ଥ ଏବଂ ପ୍ରାଚୁର୍ଯ୍ୟ ପଛରେ ଅନ୍ଧଭଳି ଦୌଡ଼ିବା ଫଳରେ ଭାରତୀୟମାନେ କ୍ଳାନ୍ତି ମେଣ୍ଟାଇବା ପାଇଁ ସମୟ ପାଉନାହାନ୍ତି । ବଡ଼ ବଡ଼ କମ୍ପାନୀ ଏବଂ ଅନ୍ତର୍ଦ୍ଦେଶୀୟ ସଂସ୍ଥାରେ କାମ କରୁଥିବା ପଦସ୍ଥ ଅଫିସରମାନେ ବ୍ୟକ୍ତିଙ୍କ ନଁା ଭୁଲିଯାଉଥିବା ବେଳେ କେଉଁ ଜିନିଷ କେଉଁଠି ରଖିଛନ୍ତି ତାହା ମଧ୍ୟ ମନେପକେଇ ପାରନ୍ତି ନାହିଁ । ବଜାରକୁ ଗଲେ କ’ଣ କିଣିବେ ଠିକ୍‌ସେ ମନେ ପକେଇ ପାରିନଥା’ନ୍ତି। ଗୋଟିଏ ଦିନର ନିଦ୍ରାହୀନତା ମସ୍ତିଷ୍କର ସ୍ମୃତିଶକ୍ତିକୁ ଅନେକ କ୍ଷତି ପହଞ୍ଚାଇଥାଏ। ବଡ଼ ବଡ଼ ସହରରେ ମାନସିକ ରୋଗ ବିଶେଷଜ୍ଞମାନଙ୍କ ପାଖକୁ ପ୍ରତିଦିନ ୫ରୁ ୧୦ଜଣ ଏହିଭଳି ରୋଗୀ ଆସିଥା’ନ୍ତି ଚିକିତ୍ସା ପାଇଁ। ପାଞ୍ଚବର୍ଷ ପୂର୍ବେ ଏ ସଂଖ୍ୟା ଖୁବ୍‌ ସୀମିତ ଥିଲା। ଏବେ ଦିନର ବାରଘଣ୍ଟା ଏବଂ ରାତିର ବାରଘଣ୍ଟା ମଧ୍ୟ ଆଧୁନିକ ମଣିଷଙ୍କୁ ନିଅଣ୍ଟ ହେଉଛି। ସମ୍ପୂର୍ଣ୍ଣ ରାତିଟା ବିତିଯାଉଛି ଟିଭି, ନାଇଟ୍‌ ପାର୍ଟି ଏବଂ ଇଣ୍ଟରନେଟ ଶର୍ଫିଙ୍ଗରେ। ନିଦ୍ରାହୀନତା ମସ୍ତିଷ୍କକୁ ମାନ୍ଦା କରିଦେବା ସହିତ ସମଗ୍ର ସ୍ନାୟୁ ବିଭାଗକୁ କ୍ଷତିଗ୍ରସ୍ତ କରିଥାଏ। ବିଶେଷଜ୍ଞମାନେ କହନ୍ତି- ଏହା ହେଉଛି ବର୍ତ୍ତମାନର ସହରୀ ମଣିଷମାନଙ୍କ ସବୁଠୁ ବଡ଼ ସ୍ବାସ୍ଥ୍ୟ ସମସ୍ୟା। ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି- ନିଦ୍ରାହୀନତା ଶରୀରର ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦେଇଥାଏ। ଏଥିପାଇଁ ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ ଏବଂ ଡାଏବେଟିସ୍‌ ଭଳି ରୋଗ ଦେଖାଦେଇଥାଏ।
ଆଜିକାଲି ଦେଖାଯାଉଛି, ବିଦ୍ୟାର୍ଥୀମାନେ ଦିନ ଅପେକ୍ଷା ରାତିରେ ହିଁ ପଢ଼ାପଢ଼ି ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ତରୁଣ ତରୁଣୀମାନଙ୍କ ପାଇଁ ୯.୨ ଘଣ୍ଟା ନିଦ୍ରା ଶରୀର ଏବଂ ମସ୍ତିଷ୍କ ପାଇଁ ଖୁବ୍‌ ଭଲ। ପିଲାଙ୍କ ସହିତ ବେଶି ସମୟ ଗପି ସେମାନଙ୍କ ନିଦ୍ରାକୁ ବ୍ୟାଘାତ କରିବା ଉଚିତ ନୁହେଁ। ବାପା-ମା’ଙ୍କ ଡେରିରେ ଶୋଇବାର କୁପ୍ରଭାବ ସେମାନଙ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଆସନ୍ତୁ, ଆଖିରୁ ନିଦ ଛଡ଼ାଇ ବ୍ୟସ୍ତମୟ ହେବାର ପ୍ରତିପାଦନ କରି ନିଜ ଶରୀରକୁ ନଷ୍ଟ ନ କରିବା ପାଇଁ ଶପଥ ନେବା।
ମାନସିକ ରୋଗ ବିଶେଷଜ୍ଞ, ଦି’ବେନ,
ପୁରୀଘାଟ ରୋଡ୍‌, କଟକ,
ମୋ: ୯୧୩୨୪୩୩୩୩୩

The post କରୋନା ଆଣିଛି ନିଦ୍ରା ବିଶୃଙ୍ଖଳା appeared first on Dharitri Odia News.