Skip to main content

ନୂତନ ନନ୍ଦିଗ୍ରାମ

ପଶ୍ଚିମବଙ୍ଗର ନନ୍ଦିଗ୍ରାମ କହିଲେ ଅନେକ ଇତିହାସ ମନେପଡ଼େ। ଟାଟାର ନାନୋ ଗାଡ଼ି ସଙ୍ଗୁରରେ ହେବ ବୋଲି ବାମପନ୍ଥୀ ସରକାର ନିଷ୍ପତ୍ତି ନେବାବେଳକୁ ଠିକ୍‌ ସେହି ସମୟରେ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ ସୃଷ୍ଟି କରାଯିବ ବୋଲି ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ନିଷ୍ପତ୍ତି ନେଇଥିଲେ। ନନ୍ଦିଗ୍ରାମରେ ପୋଲିସ ଗୁଳିରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଓଡ଼ିଶାରେ ମଧ୍ୟ ପାଖାପାଖି ସେହି ସମୟରେ କଳିଙ୍ଗନଗରରେ ଟାଟା କମ୍ପାନୀ ସପକ୍ଷରେ ଯାଇ ପୋଲିସ ୧୩ ଆଦିବାସୀଙ୍କୁ ହତ୍ୟା କରିଥିଲା। ଭାରତର କର୍ପୋରେଟ୍‌ ଜଗତର ସମ୍ଭବତଃ ଏହା ଥିଲା ପ୍ରଥମ ଆଖିଦୃଶିଆ ଆକ୍ରମଣ। ସେହି ଆକ୍ରମଣକୁ ବିରୋଧ କରିବାକୁ ଓଡ଼ିଶାରେ କେହି ବାହାରି ନ ଥିବାବେଳ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ତତ୍‌କାଳୀନ ବାମପନ୍ଥୀ ସରକାର ବିରୋଧରେ ଆନ୍ଦୋଳନ ବଢ଼ାଇଥିଲେ। ଏହି ଆନ୍ଦୋଳନ ଶୀର୍ଷରେ ପହଞ୍ଚିବାବେଳକୁ ପଶ୍ଚିମବଙ୍ଗରେ ନିର୍ବାଚନ ହେଲା। ୩୪ ବର୍ଷରୁ ଅଧିକ ସମୟ ଧରି ଶାସନ କରୁଥିବା ବାମପନ୍ଥୀଙ୍କ ପତନ ଘଟି ତୃଣମୂଳ କଂଗ୍ରେସ ୨୦୧୧ରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ସରକାର ଗଠନ କଲା। ଏବେ ମମତାଙ୍କ ଶାସନର ୧୦ ବର୍ଷ ପୂର୍ତ୍ତି ହେବାକୁ ଯାଉଛି ଓ ପୁନର୍ବାର ନନ୍ଦିଗ୍ରାମ ଆଲୋଚନାକୁ ଆସିଛି।
ଦେଶର ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ନିର୍ବାଚନରେ ପଶ୍ଚିମବଙ୍ଗ ଅନ୍ୟତମ। କେବଳ ଏହି ରାଜ୍ୟରେ ୮ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଉଛି। ଏପ୍ରିଲ ପହିଲାରେ ହେବାକୁ ଥିତ୍ବା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ନିର୍ବାଚନ ପ୍ରଚାର ୩୦ ମାର୍ଚ୍ଚରେ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ନନ୍ଦିଗ୍ରାମରୁ ମମତା ବାନାର୍ଜୀ ଏବଂ ଟିଏମ୍‌ସି ଛାଡ଼ି ଭାଜପାରେ ଯୋଗ ଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାକୁ ଯାଉଥିବା କୁହାଯାଉଛି। ଭାଜପା ତରଫରୁ ପ୍ରଚାର କରାଯାଉଛି ଯେ, ବଙ୍ଗାଲ କି ବେଟି ମମତା ଓ ଭୂମିପୁତ୍ର ଶୁଭେନ୍ଦୁ। ଏହାର ଅର୍ଥ ହେଲା ଅତି ଚତୁରତାର ସହ ମମତାଙ୍କୁ ସମ୍ମାନ ଦେଇ ସମଗ୍ର ବଙ୍ଗାଳୀ ଜାତିର ‘କନ୍ୟା’ର ଆଖ୍ୟା ଦେଲାବେଳେ ନିଜର ସନ୍ତାନ କିମ୍ବା ଭୂୂମିପୁତ୍ରର ଆଖ୍ୟା ଦେଇ ଶୁଭେନ୍ଦୁଙ୍କୁ ଆଗୁଆ ରଖିବାର ଚେଷ୍ଟା କରାଯାଉଛି। କେବଳ ଅସୁବିଧାଟି ହେଲା ଯେ, ବଙ୍ଗଳୀ ଭାଷାରେ କନ୍ୟାକୁ କେହି ‘ବେଟି’ କହନ୍ତି ନାହିଁ। ସେଠାକାର ଶବ୍ଦ ହେଉଛି ‘ମେ’। କିନ୍ତୁ ଭାଜପାରେ ଅଧିକାଂଶ ନେତା ହିନ୍ଦୀ ଭାଷାଭାଷୀ ଥିବା ହେତୁ ସ୍ଲୋଗାନ ଲେଖୁଥିବା ଲୋକ ମଧ୍ୟ ବଙ୍ଗାଳୀ ବେଟି ବୋଲିି ଉଲ୍ଲେଖ କରିଛନ୍ତି। ପୂର୍ବରୁ ଶୁଭେନ୍ଦୁ ଥିଲେ ତୃଣମୂଳ କଂଗ୍ରେସର ଟାଣୁଆ ନେତା। ଡିସେମ୍ବର ୨୦୨୦ରେ ଅମିତ ଶାହାଙ୍କ ଦ୍ୱାରା ଆୟୋଜିତ ସଭାରେ ଶୁଭେନ୍ଦୁ ଭାଜପାରେ ଯୋଗ ଦେଇ ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବା ଘୋଷଣା କରିଥିଲେ। ମମତା ଏଠାରୁ ଲଢ଼ିଲେ ତାଙ୍କୁ ୫୦,୦୦୦ ଭୋଟରେ ହରାଇବେ ବୋଲି ଶୁଭେନ୍ଦୁ ଉକ୍ତ ସଭାରେ ଦୃଢ଼ତା ପ୍ରକାଶ କରିଥିତ୍ଲେ। ଅଧିକାରୀଙ୍କ ଆହ୍ବାନକୁ ଗ୍ରହଣ କରି ମମତା ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବା ଲାଗି ଘୋଷଣା କଲେ ।
ଶୁଭେନ୍ଦୁଙ୍କ ପରିବାରର ରାଜନୈତିକ ଗଡ଼ କୁହାଯାଉଥିତ୍ବା ନନ୍ଦିଗ୍ରାମରୁ ୨୦୧୬ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଭାବେ ସେ ୬୭% ଭୋଟ ପାଇ ବିଜୟୀ ହୋଇଥିଲେ। ଅର୍ଥାତ୍‌ ଶୁଭେନ୍ଦୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଅବଦୁଲ କାଦିର ଶେଖଙ୍କ ଠାରୁ ୮୧,୨୩୦ ଭୋଟ ବ୍ୟବଧାନରେ ଜିଣିଥିଲେ।
ନନ୍ଦିଗ୍ରାମ ଲଢ଼େଇର ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଏଡ଼ାଇ ହେବ ନାହିଁ। କ୍ଷମତାସୀନ ତୃଣମୂଳ କଂଗ୍ରେସକୁ ପ୍ରତାରଣା କରି ଭାଜପାରେ ଯୋଗ ଦେଇଥିବା କେତେକ ବିଧାୟକ, ମନ୍ତ୍ରୀ ଏବଂ ନେତାଙ୍କ ମଧ୍ୟରୁ ଶୁଭେନ୍ଦୁ ଅଧିକାରୀ ଥିଲେ ସବୁଠାରୁ ଆଗୁଆ। ଏକ ସମୟରେ ଶୁଭେନ୍ଦୁଙ୍କୁ ତୃଣମୂଳ କଂଗ୍ରେସ ଭିତରେ ମମତାଙ୍କର ଉତ୍ତରାଧିକାରୀ ଭାବେ ଦେଖାଯାଉଥିଲା। ପରବର୍ତ୍ତୀ ସମୟରେ ଯେତେବେଳେ ମମତାଙ୍କ ପୁତୁରା ଦଳରେ ଆଧିପତ୍ୟ ଜାହିର କଲେ ସେତେବେଳେ ଶୁଭେନ୍ଦୁଙ୍କ ଗୁରୁତ୍ୱ ହ୍ରାସ ପାଇଲା। ନିଜର ଭବିିଷ୍ୟତ ଦେଖି ନ ପାରି ଶୁଭେନ୍ଦୁ ଦଳବଦଳ କରିଥିଲେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦିଅନ୍ତି। ସେଭଳି ବିଶ୍ୱାସଘାତକଙ୍କୁ ଉଚିତ ଶିକ୍ଷା ଦେବା ଲାଗି ମମତାଙ୍କର ନିଷ୍ପତ୍ତି ନନ୍ଦିଗ୍ରାମକୁ କରିଦେଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଟ ରଣକ୍ଷେତ୍ର। ପ୍ରଚାରର ଶେଷ ଦିନରେ ଅନୁଷ୍ଠିତ ସମାବେଶରେ ଉଦ୍‌ବୋଧନ ଦେଇ ମମତା ଘୋଷଣା କରିଛନ୍ତି ଯେ, ତାଙ୍କର ନନ୍ଦିଗ୍ରାମରେ ପ୍ରବେଶ କରିବା ଅର୍ଥ ହେଲା ସେଠାରେ ମମତା ରହିବେ। ସିଙ୍ଗୁରଠାରୁ ନନ୍ଦିଗ୍ରାମକୁ ଅଧିକ ଗୁରୁତ୍ୱ ଦେବେ ଏବଂ ସେଠାକାର ମହିଳାଙ୍କୁ ସମ୍ମାନ ଜଣାଇବା ସହିତ ବାମପନ୍ଥୀ ଭୋଟରଙ୍କୁ ଭାଜପାକୁ ଭୋଟ ନ ଦେବା ପାଇଁ ଅନୁରୋଧ କରିଛନ୍ତି।
ରାଜନୀତି ଓ ନିର୍ବାଚନ ବ୍ୟତୀତ ନନ୍ଦିଗ୍ରାମର ଏକ କୌତୂହଳ ଦିଗ ମଧ୍ୟ ସୃଷ୍ଟି ହେଲାଣି। ଆଜି ପର୍ଯ୍ୟନ୍ତ ନିଜକୁ ଧର୍ମନିରପେକ୍ଷ କହି ଆସୁଥିବା ମମତା ବାନାର୍ଜୀ ଏବେ ଏକ ବ୍ରାହ୍ମଣ ପରିବାରର କନ୍ୟା ବୋଲି କହି ନନ୍ଦିଗ୍ରାମର ଅନେକ ଛୋଟବଡ଼ ମନ୍ଦିର ଦର୍ଶନ କରୁଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶୁଭେନ୍ଦୁ ଅଧିକାରୀ ମଧ୍ୟ ବ୍ରାହ୍ମଣ ହୋଇଥିବାରୁ ମମତାଙ୍କୁ ନିଜର ହିନ୍ଦୁପଣିଆ ଦର୍ଶାଇବାକୁ ପଡ଼ୁଛି। କେବଳ ସେତିକି ନୁହେଁ, ଭାଜପାର ଆକ୍ରମଣରେ ମମତାଙ୍କ ଭଳି ଟାଣୁଆ ନେତାଙ୍କୁ ମଧ୍ୟ ନିଜର ଉଚ୍ଚଜାତି ପରିଚୟ ଦେବାକୁ ବାଧ୍ୟ କରୁଛି। ଏହା ହେଉଛି ଆଧୁନିକ ଭାରତୀୟ ରାଜନୀତିରେ ମୋଡ଼। ଯେତେବେଳେ ସମଗ୍ର ପୃଥିବୀ ବୈଜ୍ଞାନିକ ଏବଂ ଅର୍ଥନୈତିକ ଚିନ୍ତାଧାରାରେ ଆଧୁନିକ ହେବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ ଭାରତୀୟଙ୍କ ଦୃଷ୍ଟିକୁ ଜୋର ଜବରଦସ୍ତ ପୁରାତନ ଚିନ୍ତା ଆଡ଼କୁ ମୋଡ଼ି ଦିଆଯାଉଛି।

The post ନୂତନ ନନ୍ଦିଗ୍ରାମ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...