ପାରାଦୀପ,୨୯।୩(ସ୍ବ:ପ୍ର.): ପାରାଦୀପ ବନ୍ଦରକୁ ଆସିଥିବା ଏମ୍ଭି ଏପିଜେ କାୟର୍ସ ନାମକ ପଣ୍ୟବାହୀ ଜାହାଜରେ ଥିବା ୨୮ଜଣ ନାବିକଙ୍କ ମଧ୍ୟରୁ ୧୫ ଜଣଙ୍କ ଠାରେ କରୋନା ଭୂତାଣୁ ଥିବା ଜଣାପଡିଛି। ପରେ ସମସ୍ତ ଆକ୍ରାନ୍ତଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ୨ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
ଏହି ଜାହାଜ ଟୁଟିକୋରିନ ପୋର୍ଟରୁ ଆସିଥିଲା। ରବିବାର ସନ୍ଧ୍ୟାରେ ଜାହାଜ ଆଙ୍କରେଜ ଏରିଆରେ ଥିଲା ଏବଂ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ ବେଳେ ଏହି ଖବର ଜଣାପଡିଥିଲା। ଅନ୍ୟ ୧୩ ଜଣଙ୍କୁ ଏବେ କ୍ବାରାଣ୍ଟାଇନରେ ରଖାଯାଇଛି। ଏହି ଜାହାଜ କୋଷ୍ଟାଲ ପରିବହନରେ ନିୟୋଜିତ। ଟୁଟିକୋରିନ ପୋର୍ଟ ଛାଡିବା ପୂର୍ବରୁ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ବୋଲି ଇମିଗ୍ରେସନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏବେ ଉକ୍ତ ଜାହାଜକୁ ସାନିଟାଇଜ କରାଯିବ ବୋଲି ବନ୍ଦର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଜାହାଜ ସେହି ଆଙ୍କରେଜ ଏରିଆରେ ରହିବ। ବନ୍ଦର ଭିତରେ ଅନ୍ୟ କୌଣସି ଜାହାଜର ନାବିକ ଓ ଅନ୍ୟ କର୍ମଚାରୀ ଶ୍ରମିକଙ୍କ ଠାରେ କୌଣସି ବିପଦ ନାହିଁ ବୋଲି ବନ୍ଦର ଚିକିତ୍ସାଳୟର ସିଏମ୍ଓ ଡା. ପ୍ରହଲ୍ଲାଦ ପଣ୍ଡା କହିଛନ୍ତି।
The post ପାରାଦୀପ ବନ୍ଦରରେ ଲାଗିଲା ଜାହାଜ: ୧୫ କରୋନା ପଜିଟିଭ, ୨ ଗୁରୁତର appeared first on Dharitri Odia News.