Skip to main content

ଭୁବନେଶ୍ୱରରେ ହୋଇପାରେ ଇଣ୍ଡିଆନ ଓମେନ୍ସ ଲିଗ୍‌

ଭୁବନେଶ୍ୱର, ୨୮।୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ସରକାର କ୍ରୀଡ଼ାକୁ ଅଗ୍ରାଧିକାର ଦେଇ ଆସିଛନ୍ତି। ରାଜ୍ୟରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଉପଲବ୍ଧ କରାଯାଉଥିବାବେଳେ ହକି ପରି ଜାତୀୟ ଦଳର ପ୍ରାୟୋଜକ ରହିଛନ୍ତି। କୌଣସି ନିର୍ଦ୍ଦିଷ୍ଟ କ୍ରୀଡ଼ାରେ ସୀମିତ ନ ରହି ବିଭିନ୍ନ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ଉନ୍ନତି ପାଇଁ ପ୍ରୟାସ ଜାରି ରହିଛି। ଏହି କ୍ରମରେ ରାଜ୍ୟରେ ଫୁଟ୍‌ବଲର ଲୋକପ୍ରିୟତା ବଢ଼ାଇବା ପାଇଁ ମଧ୍ୟ ଉଦ୍ୟମ ଜୋରଦାର ହୋଇଛି। ଏଠାରେ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ) ଓ ଆଇ-ଲିଗ୍‌ ପରି ଜାତୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇସାରିଛି। ଏବେ ପ୍ରଥମ ଥର ପାଇଁ ଇଣ୍ଡିଆନ ଓମେନ୍ସ ଲିଗ୍‌ ଆୟୋଜନର ଆଭାସ ମିଳିଛି। ଶନିବାର ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ୍‌)ର ଜର୍ସି ଉନ୍ମୋଚନ ଉତ୍ସବରେ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଅନୁରୋଧ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ସ୍ବତନ୍ତ୍ର ସଚିବ ବିଶାଳ କୁମାର ଦେବ ଏହାକୁ ନେଇ ସବୁଜ ସଙ୍କେତ ଦେଇଛନ୍ତି। ଉଦ୍ୟମ ଜାରି ରହିଛି, ସବୁକିଛି ଠିକ୍‌ ରହିଲେ ଆମେ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ଚେଷ୍ଟା କରିବୁ ବୋଲି ବିଶାଲ କହିଛନ୍ତି। ଏଆଇଏଫ୍‌ଏଫ୍‌ ସହିତ ରାଜ୍ୟ ସରକାର ଏବଂ ଫାଓର ଉତ୍ତମ ସମ୍ପର୍କ ରହିଛି। ଫଳରେ ଭୁବନେଶ୍ୱରରେ ଇଣ୍ଡିଆନ୍ସ ଓମେନ୍ସ ଲିଗ୍‌ର ୫ମ ସଂସ୍କରଣ ଆୟୋଜନ ସମ୍ଭାବନା ବଢ଼ି ଯାଇଛି।

୨୦୨୨ ଗୁରୁତ୍ୱପୂର୍ଣ୍ଣ
”ଓଡ଼ିଶା ଆଜି କ୍ରୀଡ଼ା କ୍ଷେତ୍ରରେ ଯାହା ବି କିଛି ଅଗ୍ରଗତି କରିଛି ସବୁକିଛି ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଯାଉଛି। କାରଣ ଏହା ସମ୍ପୂର୍ଣ୍ଣ ଭାବରେ ତାଙ୍କର ଚିନ୍ତାଧାରା। ଏହାକୁ ସାକାର ରୂପ ଦେବାକୁ ଆମେ ସମସ୍ତେ ସୈନିକଭଳି କାର୍ଯ୍ୟ କରୁଛୁ। ଆଜି ଆମ ପାଇଁ ଖୁସିର ଦିନ, ଓଡ଼ିଶା ଓମେନ୍ସ ଲିଗ୍‌ ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଏବଂ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଆୟୋଜନ ହେବାକୁ ଯାଉଛି। ଫୁଟ୍‌ବଲକୁ ଓଡ଼ିଶା ଅଗ୍ରାଧିକାର ଦେଇ ଆସିଛି। ଲିଗ୍‌ କଥା ଦେଖିଲେ ଇଣ୍ଡିଆନ ସୁପରଲିଗ୍‌ରେ ମଧ୍ୟ ଆମର ଏକ ଦଳ ଖେଳୁଛି। ଇକୋ ସିଷ୍ଟମ୍‌ରେ କ୍ରୀଡ଼ାର କିପରି ସାମଗ୍ରିକ ବିକାଶ ହୋଇପାରିବ ତା’ ଉପରେ ଧ୍ୟାନ ଦିଆଯାଉଛି। ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଏବଂ ଓଡ଼ିଶା ଏଫ୍‌ସି କ୍ଲବର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ତୃଣମୂଳ ସ୍ତରରୁ କିପରି ପ୍ରତିଭାମାନେ ଚିହ୍ନଟ ହୋଇପାରିବେ, ହାଇପରଫର୍ମାନ୍ସ ସେଣ୍ଟରରୁ ଫାଇଦା ଉଠାଇ ଖେଳାଳିମାନେ କିପରି ଉଚ୍ଚସ୍ତରରେ ସୁଯୋଗ ପାଇପାରିବେ ତାହା ମଧ୍ୟ ନଜରରେ ରଖାଯାଉଛି। ଫୁଟ୍‌ବଲ କ୍ଷେତ୍ରରେ ୨୦୨୨ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। କାରଣ ଏହି ବର୍ଷ ଆମେ ୨ଟି ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛୁ। ଏଏଫ୍‌ସି କପ୍‌ ଆୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଥିବାବେଳେ ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ ବିଶ୍ୱକପ ଆୟୋଜନ କରିବୁ। ଫୁଟ୍‌ବଲ ହେଉ କିମ୍ବା ହକି ଆମ ରାଜ୍ୟର ଖେଳାଳି କିପରି ଅଧିକରୁ ଅଧିକ ଜାତୀୟ ଦଳରେ ସ୍ଥାନ ପାଇବେ ତାହା ବିଚାର କରାଯାଉଛି“ ବୋଲି ବିଶାଳ କହିଛନ୍ତି। ଚଳିତ ଆଇଏସ୍‌ଏଲ୍‌ ସିଜନରେ ଓଡ଼ିଶା ଏଫ୍‌ସି ପ୍ରଦର୍ଶନ ଖରାପ ରହିଛି। ଏ ସମ୍ପର୍କରେ କ୍ଲବ କର୍ମକର୍ତ୍ତାଙ୍କ ସହିତ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ମଧ୍ୟ ଆଲୋଚନା ହେବ ବୋଲି ବିଶାଳ କହିଛନ୍ତି। ସେହିପରି ଓଡ଼ିଶା ସରକାର ଜାତୀୟ ହକି ଦଳର ପ୍ରାୟୋଜକ ହୋଇଥିଲେ ହେଁ ରାଜ୍ୟ ଆସୋସିଏଶନ ସହଯୋଗୀ ସଦସ୍ୟ ରହିଛି। ତେବେ ଏହା ହକି ଇଣ୍ଡିଆ ଓ ରାଜ୍ୟ ଆସୋସିଏଶନ ଭିତରର କଥା ବୋଲି ବିଶାଳ ପ୍ରକାଶ କରିଛନ୍ତି।

The post ଭୁବନେଶ୍ୱରରେ ହୋଇପାରେ ଇଣ୍ଡିଆନ ଓମେନ୍ସ ଲିଗ୍‌ appeared first on Dharitri Odia News.



Popular posts from this blog

କ୍ଷତିପୂରଣ ଲାଗି ବଢ଼ିପାରେ ଜିଏସ୍‌ଟି

ନୂଆଦିଲ୍ଲୀ,୩୧।୭-କରୋନା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କ ଟିକସ ଜନିତ ଆୟ ବର୍ତ୍ତମାନ କମିଛି। ଫଳରେ ରାଜ୍ୟଗୁଡିକର ଅଂଶ ପ୍ରଦାନ କରିବା ଦିଗରେ ବର୍ତ୍ତମାନ କଷ୍ଟକର ହେଉଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ବଡ ବଡ ରାଜ୍ୟକୁ ବାଦ୍‌ ଦେଲେ ଅଧିକାଂଶ ରାଜ୍ୟଗୁଡ଼ିକର ଆୟ କେନ୍ଦ୍ରଠାରୁ ମିଳୁଥିବା ଜିଏସ୍‌ଟି ଉପରେ ନିର୍ଭର କରିଥାଏ। ଲକ୍‌ଡାଉନ ଯୋଗୁ ଜିଏସ୍‌ଟି ଆଦାୟ ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏଭଳି ସ୍ଥିତିରେ କେନ୍ଦ୍ର ସମ୍ପୂର୍ଣ୍ଣ ହାତ ଟେକି ଦେଇଥିବା ଜଣାପଡିଛି। କେନ୍ଦ୍ର ଚାହୁଁଛି ଯେ, ରାଜ୍ୟଗୁଡ଼ିକ ବଜାରରୁ ଋଣ ଉଠାନ୍ତୁ। ରାଜସ୍ବ ମାମଲାରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଇନଗତ ଲଢ଼େଇ ଆରମ୍ଭ ହୋଇଯାଇଛି। ବଜାରରୁ ଋଣ ଉଠାଇବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି କେରଳ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ତାକୁ ବିରୋଧ କରୁଛନ୍ତି। କେନ୍ଦ୍ର ନିଜର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରୁ ବୋଲି ରାଜ୍ୟଗୁଡିକ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ବଜାରରୁ ଋଣ କରୁ ଏବଂ ରାଜ୍ୟଗୁଡିକ ଯେଉଁ ରାଜସ୍ବରେ ଯେଉଁ କ୍ଷତି ସହୁଛନ୍ତି ତା’ର ଭରଣା କରୁ ବୋଲି ରାଜ୍ୟଗୁଡିକ ଯୁକ୍ତିରେ କହିଛନ୍ତି। ୨୦୧୭ରେ ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ସମୟରେ କେନ୍ଦ୍ର ସରକାର କହିଥିଲେ ଯେ, ରାଜ୍ୟଗୁଡ଼ିକର ରାଜସ୍ବ ହ୍ରାସକୁ କେନ୍ଦ୍ର ଭରଣା କରିବ। ଆଗାମୀ ୫ ବର୍ଷ ଯାଏ ଏଭଳି ...

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବା ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସୁଦ୍ଧା ସରକାର ସ୍ପଷ୍ଟ କରିବାକୁ ପ୍ରୟାସ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ନ୍ୟାୟାଳୟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗରେ କିଛି ଆର୍ଥତ୍କ ମାମଲା ଜଡିତ ରହିଛି। ପ୍ରସଙ୍ଗଗୁଡିକୁ ବିଚାରକରିବା ଲାଗି ସମୟର ଆବଶ୍ୟକତା ରହିଛି। ଅକ୍ଟୋବର ପହିଲାରେ ମୋରାଟୋରିୟମ ମାମଲାର ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ, ଋଣ କିସ୍ତି ପ୍ରଦାନ କରିବାକୁ ସକ୍ଷମ ହେଉ ନ ଥିବା ଆକାଉଣ୍ଟଗୁଡିକୁ ଆଗାମୀ ୨ ମାସ ଯାଏ ଏନ୍‌ପିଏ ଘୋଷଣା କରା ନ ଯାଉ। ସୋମବାର ହୋଇଥିବା ଶୁଣାଣିରେ ...