Skip to main content

ଭିନ୍ନ ରହିବେନି ଭିନ୍ନକ୍ଷମ

ଅନୁଗୋଳ ଅଫିସ, ୨୭।୨ ଜନ୍ମରୁ ହେଉ ଅବା ରୋଗ କି ଦୁର୍ଘଟଣା, ବିଭିନ୍ନ କାରଣରୁ ଭିନ୍ନକ୍ଷମ ହୋଇଯାଇଥିବା ବ୍ୟକ୍ତିଙ୍କୁ ଶାରୀରିକ ଭାବେ ସକ୍ଷମ କରାଯିବ। କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଲଗାଇ ସେମାନଙ୍କୁ ସାଧାରଣଙ୍କ ପରି ଜୀବନ ଅତିବାହିତ ପାଇଁ ସୁଯୋଗ ଦିଆଯିବ। ଏଥିନିମନ୍ତେ ସରକାରଙ୍କ ପକ୍ଷରୁ ଅନୁଗୋଳ ଜିଲାରେ ସ୍ଥାପନ କରାଯାଉଛି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର। ଭୁବନେଶ୍ୱର ଓ ସୁନ୍ଦରଗଡ଼ ପରେ ଏହା ରାଜ୍ୟର ୩ୟ କେନ୍ଦ୍ରର ମାନ୍ୟତା ପାଇବାକୁ ଯାଉଛି। ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ନଚେତ୍‌ ଏପ୍ରିଲ ପ୍ରଥମ ସପ୍ତାହରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇ ଭିନ୍ନକ୍ଷମଙ୍କୁ ସକ୍ଷମ କରାଯିବା ଉଦ୍ୟମ ଆରମ୍ଭ କରିବାକୁ ଅନୁଗୋଳ ଜିଲା ପ୍ରଶାସନ ଲକ୍ଷ୍ୟ ରଖିଛି।

ଅନୁଗୋଳ ସହରସ୍ଥିତ କଦମ ପଡ଼ିଆ ସମ୍ମୁଖରେ ଥିବା ଜିଲା ସାମାଜିକ ସୁରକ୍ଷା ସଶକ୍ତୀକରଣ ବିଭାଗ କାର୍ଯ୍ୟାଳୟରେ ଏହି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ସ୍ଥାପନ କରାଯିବ। ଏ ନେଇ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହାକୁ ବି.ଆର୍‌. ବାୟୋମେଡିକାଲ ପ୍ରାଇଭେଟ୍‌ ଲିମିଟେଡ୍‌ ପରିଚାଳନା କରିବ ବୋଲି ପ୍ରଶାସନ ପକ୍ଷରୁ ଚୁକ୍ତି କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୬ଟି ଗୃହ ନିର୍ମାଣ କରାଯାଉଥିବାବେଳେ ୨ଟି ଗୃହରେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ତିଆରି କରାଯିବ। ଅବଶିଷ୍ଟ ୪ ରୁମ୍‌ରେ ରୋଗୀଙ୍କୁ ଚିକିତ୍ସାସେବା ଯୋଗାଇ ଦିଆଯିବ। ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେବା ପରେ ଭିନ୍ନକ୍ଷମଙ୍କୁ ଆତ୍ମନିର୍ଭରଶୀଳ କରାଯିବାକୁ ତ୍ୱରିତ ପଦକ୍ଷେପ ନିଆଯିବ। ସେମାନେ ଯେପରି ଆଉ କାହା ଉପରେ ବୋଝ ହୋଇ ରହିବେ ନାହିଁ ଓ ତତ୍‌ଜନିତ ମାନସିକ ଚିନ୍ତାରୁ ମୁକ୍ତି ପାଇବେ ସେ ଦିଗରେ ଉଦ୍ୟମ କରାଯିବ। ଏପରିକି ଭିନ୍ନକ୍ଷମଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ପ୍ରଦାନ କରାଯିବ। ଏପରି କି ଯାତାୟାତ ବାବଦ ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ। ସେହିପରି ଭିନ୍ନକ୍ଷମଙ୍କ ଶରୀରରେ ଲାଗିବାକୁ ଥିବା କୃତ୍ରିମ ଅଙ୍ଗର ମାପ କମ୍ପ୍ୟୁଟର ମାଧ୍ୟମରେ ନିଆଯିବ। ଫଳରେ ଏ ନେଇ ଭବିଷ୍ୟତରେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ)ରୁ ଏଥିପାଇଁ ଅର୍ଥ ମଞ୍ଜୁର କରାଯାଇଛି। ପାଖାପାଖି ୧୯ କୋଟି ଟଙ୍କା ମଧ୍ୟରୁ ୧୨ କୋଟି ଟଙ୍କା ଯନ୍ତ୍ରାଂଶ କିଣିବାରେ ବ୍ୟୟ କରାଯିବାକୁ ଧାର୍ଯ୍ୟ କରାଯାଇଥିବାବେଳେ ଭିତ୍ତିଭୂମି ଓ ରକ୍ଷଣାବେକ୍ଷଣାରେ ଅବଶିଷ୍ଟ ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ସ୍ନାୟୁଜନିତ ରୋଗରେ ପୀଡ଼ିତଙ୍କୁ ଏଠାରେ ରୋବୋଟିକ୍ସ ଥେରାପି ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ପ୍ରତିଶ୍ରୁତି ଅନୁଯାୟୀ ଅନୁଗୋଳରେ ଏହି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ନିର୍ମାଣ ହେଉଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

 

ଖୁବ୍‌ଶୀଘ୍ର ମିଳିବ ସେବା
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏହି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ନିର୍ମାଣ କରାଯାଉଛି। ବିଦେଶରୁ ଆସୁଥିବା ଅତ୍ୟାଧୁନିକ ଯନ୍ତ୍ରାଂଶ ଲାଗିବା ପରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେବ। ଢେଙ୍କାନାଳ, ବୌଦ୍ଧ, ଦେବଗଡ଼ ଜିଲାର ଭିନ୍ନକ୍ଷମଙ୍କୁ ମାଗଣାରେ ସେବା ଯୋଗାଇ ଦିଆଯିବ। କିନ୍ତୁ କୃତ୍ରିମ ଅଙ୍ଗ କିମ୍ବା ହ୍ବିଇଲ ଚେୟାର ବାବଦରେ କେତେ ଶୁଳ୍କ ନିଆଯିବ ସେ ନେଇ ନିଷ୍ପତ୍ତି ହୋଇନାହିଁ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ

ସ୍ନାୟୁ ରୋଗୀଙ୍କ ଥେରାପି ହେବ
ଏହି କେନ୍ଦ୍ରରେ କେବଳ ଭିନ୍ନକ୍ଷମ ନୁହନ୍ତି, ସ୍ନାୟୁ ଜନିତ ରୋଗୀଙ୍କୁ ଥେରାପି ବ୍ୟବସ୍ଥା କରାଯିବ। ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଏକ ଏଜେନ୍ସି ଦ୍ୱାରା ଏହାର ପରିଚାଳନା କରିବାକୁ ସ୍ଥିର କରାଯାଇଛି। ଏହି ସେବା ଆରମ୍ଭ ହେଲେ ଅନୁଗୋଳ ସହ ଅନ୍ୟ ଜିଲାର ଭିନ୍ନକ୍ଷମମାନେ ସୁବିଧା ପାଇବେ।
-ମାଧବ ଚନ୍ଦ୍ର ବରାଡ଼, ଜିଲା ସାମାଜିକ ସୁରକ୍ଷା ଅଧିକାରୀ

ଭିନ୍ନକ୍ଷମଙ୍କ ପାଇଁ ବିଦ୍ୟାଳୟ ହେଉ
ଭିନ୍ନକ୍ଷମଙ୍କ ପାଇଁ ସୁବିଧା କରିବା ଭଳି ପୁନର୍ବାସ କେନ୍ଦ୍ରର ବ୍ୟବସ୍ଥା ପୂର୍ବରୁ ଅନୁଗୋଳରେ ନ ଥିଲା। ଏବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏପରି ଏକ କେନ୍ଦ୍ର ଖୋଲାଯିବା ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାଦ୍ୱାରା ଅନୁଗୋଳ ସହ ଅନ୍ୟ ଜିଲାର ଭିନ୍ନକ୍ଷମମାନେ ଉପକୃତ ହୋଇପାଇବେ। ଭିନ୍ନକ୍ଷମ ବିଦ୍ୟାଳୟଟିଏ ହେଲେ ଆହୁରି ଭଲ ହୁଅନ୍ତା।
-ସୁଶ୍ରୀସଙ୍ଗୀତା ମହାନ୍ତି, ଅନୁଗୋଳ

ଖର୍ଚ୍ଚାନ୍ତରୁ ମୁକ୍ତି ମିଳିବ
ଅଙ୍ଗ ହରାଇଥିବା ବ୍ୟକ୍ତି ବହୁ ମାନସିକ ଚାପରେ ଥାନ୍ତି। କୃତ୍ରିମ ଅଙ୍ଗ ଲଗାଇ ସାଧାରଣଙ୍କ ପରି ହେବାକୁ ସେମାନେ ବାହାରକୁ ଯାଇ ବହୁ ଅର୍ଥ ଖର୍ଚ୍ଚ କରିଥାନ୍ତି। ଅନୁଗୋଳରେ ଏହି ସୁବିଧା ଭିନ୍ନକ୍ଷମଙ୍କୁ ଯୋଗାଇ ଦିଆଯିବା ନିଶ୍ଚିତ ଉତ୍ତମ ବ୍ୟବସ୍ଥା। ଏହାଦ୍ୱାରା ଜିଲାର ଭିନ୍ନକ୍ଷମମାନେ ସେହି ଖର୍ଚ୍ଚାନ୍ତରୁ ରକ୍ଷା ପାଇବେ। ହାଇଟେକ ମେଶିନ ବିଦେଶରୁ ଆସୁଥିବାରୁ ଲୋକମାନେ ଏଠାରେ ଉତ୍ତମ ସେବା ପାଇପାରିବେ।
-ପ୍ରତାପ ମହାପାତ୍ର, ଅନୁଗୋଳ

The post ଭିନ୍ନ ରହିବେନି ଭିନ୍ନକ୍ଷମ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...