ନୂଆଦିଲ୍ଲୀ,୩୧।୧(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହାଙ୍କୁ ଆଉ ଏକ ନୂଆ ଗୁରୁଦାୟିତ୍ୱ ମିଳିଛି। ସେ ଏସିଆନ୍ କ୍ରିକେଟ କାଉନସିଲ (ଏସିସି)ର ଅଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ନାଜମୁଲ ହାସନ ପାପୋନଙ୍କ ସ୍ଥାନରେ ସେ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିବେ। ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ସିଂ ଧୂମାଲ ଏ ନେଇ ଟୁଇଟରରେ ସୂଚନା ଦେଇଛନ୍ତି। ଏଥିପାଇଁ ସେ ଜୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ନେତୃତ୍ୱରେ ଏସିସି ସଫଳତାର ଶୀର୍ଷକୁ ଛୁଇଁବ ଓ ଏସିଆର କ୍ରିକେଟରମାନେ ନିଶ୍ଚିତ ଲାଭବାନ ହୋଇପାରିବେ ବୋଲି ସେ ଉଲ୍ଲେଖ କରିଛନ୍ତି। ଏସିଆ କପ୍ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଏସିସିକୁ ଦାୟିତ୍ୱ ପ୍ରଦାନ କରାଯାଇଥାଏ। କୋଭିଡ୍-୧୯ ପାଇଁ ଏସିଆ କପ୍ର ୨୦୨୦ ସଂସ୍କରଣ ଆସନ୍ତା ଜୁନ୍ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପ୍ରଥମେ ପାକିସ୍ତାନ ଏସିଆ କପ୍ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା। ତେବେ ବର୍ତ୍ତମାନ ଏହି ଟୁର୍ନାମେଣ୍ଟ ଶ୍ରୀଲଙ୍କା କିମ୍ବା ବାଂଲାଦେଶରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି।
The post ଏସିସି ଅଧ୍ୟକ୍ଷ ଭାବେ ଜୟ ଶାହା ନିର୍ବାଚିତ appeared first on Dharitri Odia News.