Skip to main content

ବିକାଶ ଖୋଜୁଛି ବୁଦ୍ଧେଶ୍ୱର ପୀଠ

ଭୁବନ, ୩୧।୧(ଡି.ଏନ.ଏ.) ଇତିହାସ ଏବଂ କିମ୍ବଦନ୍ତୀକୁ ନେଇ ସମୃଦ୍ଧ। ପର୍ଯ୍ୟଟନସ୍ଥଳୀର ମାନ୍ୟତା ମଧ୍ୟ ମିଳିଛି। ଅନୁଦାନ ଆସୁଛି। ଶ୍ରଦ୍ଧାଳୁ ଦେଉଛନ୍ତି ଲକ୍ଷାଧିକ ଟଙ୍କା ଦାନ। ହେଲେ ଅର୍ଥର ସଦ୍‌ବିନିଯୋଗ ହୋଇପାରୁ ନ ଥିବାରୁ ଐତିହାସିକ ବୁଦ୍ଧେଶ୍ୱର ଶୈବପୀଠର ବିକାଶ ଅଟକିଛି। ଅବଧି ସରିଯାଇଥିବାବେଳେ ପରିଚାଳନା କମିଟି ପୁନର୍ଗଠନ ଲାଗି ଦେବୋତ୍ତର ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହିଁ, ଯାହାକୁ ନେଇ ବୁଦ୍ଧିଜୀବୀ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିରେ ଅବସ୍ଥିତ ଦ୍ୱାଦଶ ଶତାବ୍ଦୀର ଐତିହ୍ୟସମ୍ପନ୍ନ ବୁଦ୍ଧେଶ୍ୱର ଶୈବପୀଠ। ୮ ଏକର ଜମି ଉପରେ ପରିବ୍ୟାପ୍ତ ଏହି ମନ୍ଦିରକୁ ୨୦୦୮ରେ ମିଳିଛି ପର୍ଯ୍ୟଟନସ୍ଥଳୀର ମାନ୍ୟତା। ଜିଲା ପର୍ଯ୍ୟଟନ ତାଲିକାରେ ୯ ଏବଂ ରାଜ୍ୟସ୍ତରରେ ୩୦୭ ନମ୍ବରରେ ରହିଛି ଏହି ପ୍ରାଚୀନ ମନ୍ଦିର। ମୁଖ୍ୟମନ୍ଦିରକୁ ବାଦ୍‌ ଦେଲେ ଏହାର ଚାରିପଟେ ପାର୍ବତୀ ମନ୍ଦିର, ଶନି ମନ୍ଦିର, ହନୁମାନ ମନ୍ଦିର, ଗଣେଶ ମନ୍ଦିର, ଲକ୍ଷ୍ମୀନାରାୟଣ ମନ୍ଦିର ଏବଂ ତ୍ରିନାଥ ମନ୍ଦିର ରହିଛି। ମହାଶିବରାତ୍ରି, ବଡ଼ଓଷା, ଗଣେଶ ପୂଜା, ହନୁମାନ ଜୟନ୍ତୀ ଭଳି ପର୍ବପର୍ବାଣି ଏଠାରେ ଜାକଜମକର ସହ ପାଳିତ ହୋଇଥାଏ। ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ, ମାନସିକଧାରୀ, ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ହେଲେ ମନ୍ଦିରର ଆନୁଷଙ୍ଗିକ ବିକାଶ କାର୍ଯ୍ୟ ଯେଉଁ ଭଳି ହେବା କଥା ତାହା ହେଉ ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।
ମନ୍ଦିର ସୁପରିଚାଳନା ଲାଗି ସ୍ଥାନୀୟ ଲୋକଙ୍କୁ ନେଇ ପ୍ରତି ଦୁଇବର୍ଷରେ ଥରେ କମିଟି ଗଠନ କରାଯାଇଥାଏ। ୨୦୧୮ ଜାନୁୟାରୀ ୧୮ରେ ଶେଷଥର ପାଇଁ କମିଟି ଗଠନ ହୋଇଥିଲା। ଅବଧି ଶେଷ ହୋଇଯାଇଥିବାବେଳେ କମିଟି ପୁନର୍ଗଠନ ଲାଗି ଆନ୍ତରିକତା ପ୍ରକାଶ ପାଉନାହିଁ। ସେହିପରି ରାଜସ୍ବ ଆଦାୟ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ୪ ଦୋକାନ ଘର ନିର୍ମାଣ କରାଯାଇଛି। ବର୍ଷିକିଆ ଭିତ୍ତିରେ ଏଗୁଡ଼ିକ ନିଲାମ ଦିଆଯାଇଥାଏ। ହେଲେ ଅବଧି ପୂରିଯାଇଥିଲେ ମଧ୍ୟ ଏହାର ନିଲାମ ହୋଇପାରିନାହିଁ। ମନ୍ଦିରରେ କାର୍ଯ୍ୟରତ ୫ ପୂଜକଙ୍କୁ ଦେବୋତ୍ତର ବିଭାଗ ପକ୍ଷରୁ ସେଭଳି କୌଣସି ଆର୍ଥିକ ସହାୟତା ପ୍ରଦାନ କରାଯାଉ ନ ଥିବାରୁ ସେମାନଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପୀଠ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟକ ଅନୁକୂଳ ବାତାବରଣ ସୃଷ୍ଟି କରିବା ଲାଗି ମନ୍ଦିର ଦକ୍ଷିଣ ପାର୍ଶ୍ୱରେ ପ୍ରବାହିତ ବ୍ରାହ୍ମଣୀ ନଦୀର ଶାଖା ବୁଦ୍ଧେଶ୍ୱର ନାଳ ପୁନରୁଦ୍ଧାର, ସନ୍ତରଣ ବ୍ୟବସ୍ଥା, ପର୍ଯ୍ୟଟକଙ୍କ ପାଇଁ ବୋଟିଂ ସୁବିଧା, କଲ୍ୟାଣ ମଣ୍ଡପ, ଶିବମନ୍ଦିରରୁ ବ୍ରାହ୍ମଣୀ ନଦୀ ଦେଇ ଦଲାର ପାହାଡ଼କୁ ରୋପଓ୍ବେ ଏବଂ ପ୍ରମୋଦ ଉଦ୍ୟାନ ନିର୍ମାଣ ଲାଗି ବିଭିନ୍ନ ସମୟରେ ପ୍ରସ୍ତାବ ଦିଆଯାଇଛି। ସେହିପରି ଜଗନ୍ନାଥ ମନ୍ଦିର-ବୁଦ୍ଧେଶ୍ୱର ପୀଠ-ହିଙ୍ଗୁଳା ପୀଠ-ରଗଡ଼ି ଅଷ୍ଟଶମ୍ଭୁ ମନ୍ଦିରକୁ ନେଇ ପର୍ଯ୍ୟଟନ କରିଡ଼ର କରିବା ସହ ଗମନାଗମନ ସୁବିଧା ଲାଗି ଉନ୍ନତମାନର ରାସ୍ତା ନିର୍ମାଣ କରିବାକୁ ପ୍ରଶାସନ ନିକଟରେ ଦାବି କରାଯାଇଛି। ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୬୦ ଲକ୍ଷ ଟଙ୍କା ବ୍ୟୟରେ ମନ୍ଦିରର ମୁଖ୍ୟଫାଟକ, ଶୌଚାଳୟ ନିର୍ମାଣ ହୋଇଛି। ହେଲେ ଅନ୍ୟାନ୍ୟ କାର୍ଯ୍ୟ କେବଳ ଦାବି ଏବଂ ପ୍ରସ୍ତାବରେ ଅଟକି ରହିଛି। ପୀଠ ଚାରିପଟେ ପାଚେରି ନ ଥିବାରୁ ଶତାଧିକ ବାଲି ବୋଝେଇ ଭାରିଯାନ ଏହାର ନିକଟ ଦେଇ ଦୈନନ୍ଦିନ ଯାତାୟାତ କରୁଛି। ଫଳରେ ପ୍ରମୁଖ ଆକର୍ଷଣ ବକୁଳବନ, ମନ୍ଦିର ପରିବେଶ ଏବଂ ସୌନ୍ଦର୍ଯ୍ୟକରଣ ନଷ୍ଟ ହେଉଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ କୁହନ୍ତି, ମନ୍ଦିର ପରିଚାଳନା କମିଟି ପୁନର୍ଗଠନ ଏବଂ ଅନ୍ୟାନ୍ୟ ଦାବି ପୂରଣ ଲାଗି ଅଞ୍ଚଳବାସୀ ଲିଖିତ ଅଭିଯୋଗ କରିଛନ୍ତି। ଏହାର ସମାଧାନ ଲାଗି ଉଦ୍ୟମ କରାଯାଉଛି। ଜିଲା ପ୍ରଶାସନ ସହିତ ଆଲୋଚନା କରି ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ। ଏ ନେଇ ଜିଲା ଦେବୋତ୍ତର ଅଧିକାରୀ ତଥା ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ କୁହନ୍ତି, କରୋନା ପାଇଁ କମିଟି ଗଠନ ହୋଇପାରିନାହିଁ। ଦୋକାନ ନିଲାମ ବିଳମ୍ବ ହୋଇଛି। ଖୁବ୍‌ଶୀଘ୍ର ଏହା ହେବ। ପୀଠର ଅନ୍ୟାନ୍ୟ ଆନୁଷଙ୍ଗିକ ବିକାଶମୂଳକ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କରାଯିବ।

ଦାବି ଉପସ୍ଥାପନା କରାଯାଇଛି
ମନ୍ଦିର ପରିଚାଳନା କମିଟି ଅବଧି ସରିଯାଇଛି। ଏହାର ପୁନର୍ଗଠନ କରିବା ଲାଗି ବହୁବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ଗୁରୁତ୍ୱ ଦେଲେ ବୁଦ୍ଧେଶ୍ୱର ଶୈବପୀଠ ଜିଲାର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ ହୋଇପାରନ୍ତା।
-ନନ୍ଦକିଶୋର ସାହୁ, ମନ୍ଦିର ପରିଚାଳନା କମିଟି ସଭାପତି

ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି
ଐତିହାସିକ ବୁଦ୍ଧେଶ୍ୱର ଶୈବପୀଠର ମହାତ୍ମ୍ୟ ସୁଦୂରପ୍ରସାରୀ ହେବାରେ ଲାଗିଛି। ବର୍ଷତମାମ ଏଠାରେ ହେଉଥିବା ପର୍ବପର୍ବାଣି ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି। ଏହାର ବିକାଶ ଲାଗି ଅନେକ ପ୍ରସ୍ତାବ ସରକାରଙ୍କୁ ଦିଆଯାଇଛି। ସେଗୁଡ଼ିକ ପୂରଣ କରାଗଲେ ସମସ୍ୟା ଦୂର ହୋଇପାରନ୍ତା।
-କୁଞ୍ଜବିହାରୀ ଚିନ୍ନରା, ଆଇନଜୀବୀ

ନୂତନ ପରିଚାଳନା କମିଟି ଗଢ଼ାଯାଉ
ନୂଆ ଭୁବନଠାରୁ ବୁଦ୍ଧେଶ୍ୱର ଶୈବପୀଠକୁ ରାସ୍ତା ନିର୍ମାଣ କରାଯାଇଛି। ନୂଆ ଭୁବନ ଛକରେ ଏକ ମୁଖଶାଳା କରାଗଲେ ଏହା ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରିବ। ନୂତନ ମନ୍ଦିର ପରିଚାଳନା କମିଟି ଗଠନ କରିବା ସହ ପୀଠ ଚାରିପଟେ ସୁରକ୍ଷା ପାଚେରି ନିର୍ମାଣ କରିବା ଜରୁରୀ ହୋଇପଡ଼ିଛି।
-ନାରାୟଣ ସାହୁ, ବରିଷ୍ଠ ଚିତ୍ରଶିଳ୍ପୀ

ଉନ୍ନତୀକରଣ ହେଲେ ବଢ଼ିବ ଗୌରବ
ବୁଦ୍ଧେଶ୍ୱର ଶୈବପୀଠ ଭୁବନର ପରିଚୟ। ଏହାର ଉନ୍ନତୀକରଣ ହେଲେ ଅଞ୍ଚଳର ଗୌରବ ବଢ଼ିବ। ବିଶେଷ କରି ବ୍ରାହ୍ମଣୀ ନଦୀରୁ ମନ୍ଦିର ଯାଏ କଂକ୍ରିଟ ରାସ୍ତା ନିର୍ମାଣ ଏବଂ ବନ ବିଭାଗ ପକ୍ଷରୁ ନଦୀପଠାରେ କରାଯାଇଥିବା ବନୀକରଣ ଅଞ୍ଚଳର ବିକାଶ କରାଗଲେ ପୀଠ ପରିସର ଅଧିକ ଆକର୍ଷଣୀୟ ହେବ।
-ବାସନ୍ତୀ ପୃଷ୍ଟି, ଗ୍ରାମବାସୀ

ଦୀର୍ଘଦିନରୁ ଅବହେଳିତ ହୋଇ ରହିଛୁ
ଠାକୁରଙ୍କ ସେବା କରି ବାର୍ଦ୍ଧକ୍ୟରେ ପହଞ୍ଚତ୍ଲୁଣି। ଶ୍ରଦ୍ଧାଳୁଙ୍କ ଦକ୍ଷିଣାରେ ପରିବାର ପ୍ରତିପୋଷଣ ହେଉଥିଲା। ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବା ପରେ ଦେବୋତ୍ତର ବିଭାଗ ଦାୟିତ୍ୱ ଦେଇଛି। ହେଲେ ୫ ପୂଜକ ଅବହେଳିତ ହୋଇ ରହିଛୁ। ଆମ ସୁଖସୁବିଧା କେହି ବୁଝୁନାହାନ୍ତି।
-ମହେଶ୍ୱର ମିଶ୍ର, ନିତ୍ୟ ପୂଜକ

The post ବିକାଶ ଖୋଜୁଛି ବୁଦ୍ଧେଶ୍ୱର ପୀଠ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ...