Skip to main content

ଜେଲ ଗଲେ ପ୍ରେମିକ

ଯାଜପୁର ଅଫିସ୍‌/ରସୁଲପୁର/ଯାଜପୁର ଟାଉନ,୩୦ା୧: ଯାଜପୁର ଜିଲା କୁଆଖିଆ ଥାନା ମୂଳାପାଳ ଛକ ନିକଟରୁ ବୁଧବାର ସକାଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ଜବତ ହୋଇଥିଲା। ତାଙ୍କ ମୃତଦେହକୁ ଦୁଇଜଣ ସ୍କୁଟିରେ ଆଣି ଫୋପାଡ଼ିଥିବା ଏକ ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି। ଝରାଫୁଲଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ପୋଲିସ ଏ ନେଇ ତଦନ୍ତ ଚଳାଇଛି। ଝରାଫୁଲ ଆଦିବାସୀ ସମ୍ପ୍ରଦାୟର ବୋଲି ଜଣାପଡ଼ିବା ପରେ ମାମଲାରେ ଏସ୍‌ସି ଏସ୍‌ଟି ଦଫା ଯୋଡ଼ାଯାଇଛି। ଏହାସାଙ୍ଗକୁ ତଦନ୍ତକାରୀ ଅଧିକାରୀ ମଧ୍ୟ ବଦଳିଛନ୍ତି। ତଦନ୍ତ ଦାୟିତ୍ୱ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁଙ୍କଠାରୁ ଏସ୍‌ଡିପିଓ ଚିନ୍ମୟ ନାୟକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷରେ ଯାଜପୁର ଜିଲା ପୋଲିସ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୋଲିସ ସହାୟତାରେ ଗୁରୁବାର ଗିରଫ କରିଥିବା ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁଙ୍କୁ ଶୁକ୍ରବାର ଜିଲା ଦୌରାଜଜ୍‌ଙ୍କ କୋର୍ଟକୁ ଚାଲାଣ କରିଛି। ବିଚାରପତି ରାକେଶଙ୍କୁ ଯାଜପୁର ଜିଲା କାରାଗାରକୁ ପଠାଇ ଦେଇଛନ୍ତି। କୁଆଖିଆ ପୋଲିସ ରାକେଶକୁ ୫ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା। ଏହାର ଶୁଣାଣି ଆସନ୍ତା ୧ ତାରିଖରେ କରିବା ପାଇଁ କୋର୍ଟ ଦିନଧାର୍ଯ୍ୟ କରିଛନ୍ତି।
ଝରାଫୁଲଙ୍କ ଘର ମୟୂରଭଞ୍ଜ ଜିଲା ଯଶିପୁର ଥାନା ବୁନ୍ଦେଇପୋଷି ଗ୍ରାମରେ। ରାକେଶଙ୍କ ଘର ଭୁବନେଶ୍ୱର ଏୟାରଫିଲ୍ସ ଥାନା ସୁନ୍ଦରପଦା ତଳସାହି ଅଞ୍ଚଳରେ। ସେ ଜଣେ ପାଇପ୍‌ ମିସ୍ତ୍ରି। ଯାଜପୁର ଟାଉନଥାନାରେ ରାକେଶଙ୍କୁ ଏସ୍‌ଡିପିଓ ନାୟକ ଓ କୁଆଖିଆ ଥାନାଧିକାରୀ ସ୍ବାଇଁ ପଚରାଉଚରା ବେଳେ ସେ ଅନେକ କଥା କହିଛନ୍ତି। ଏ ସମ୍ପର୍କରେ କୁଆଖିଆ ଥାନାଧିକାରୀ ସ୍ବାଇଁ କହିଛନ୍ତି ଯେ, ଲକ୍‌ଡାଉନ ସମୟରେ ରାକେଶ ବୁନ୍ଦେଇପୋଷିରେ ପାଇପ୍‌ ବିଛା କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ଝରାଫୁଲଙ୍କ ସହ ତାଙ୍କର ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ଝରାଫୁଲ ଭୁବନେଶ୍ୱରରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ରହି ପଢ଼ୁଥିଲେ। ଲକ୍‌ଡାଉନ ସମୟରେ ସେ ଘରକୁ ପଳାଇଥିଲେ। ଗତ ୨୪ ତାରିଖରେ ସମ୍ପର୍କୀୟଙ୍କ ଘରୋଇ ପାର୍ଟିରେ ଯୋଗଦେବା ପାଇଁ ସେ ଭୁବନେଶ୍ୱର ଆସିଥିଲେ। ୨୬ ତାରିଖରେ ସେ ଗଁାକୁ ଯିବା ପାଇଁ ଜୟଦେବ ବିହାରରୁ ଝାଡ଼େଶ୍ୱରୀ ନାମକ ବସ୍‌ ବସିଥିଲେ। କିନ୍ତୁ ଦେହ ଅସୁସ୍ଥ ଦର୍ଶାଇ ବାଣୀବିହାର ଛକରେ ଓହ୍ଲାଇ ପଡ଼ିଥିଲେ। ଏହାପରେ ସେ ରୂପାଲି ଛକ ପର୍ଯ୍ୟନ୍ତ ଯାଇ ରାକେଶଙ୍କୁ ଭେଟିଥିଲେ। ଉଭୟେ ଉକ୍ତ ରାତିରେ ଭୁବନେଶ୍ୱର ଧର୍ମବିହାରସ୍ଥିତ ଶିବସାଇ ଗେଷ୍ଟହାଉସରେ ରାତ୍ରିଯାପନ କରିଥିଲେ। ସକାଳେ ରାକେଶ ଉଠିଥିଲେ, କିନ୍ତୁ ଝରାଫୁଲ ଆଉ ଉଠି ନ ଥିଲେ। ତାଙ୍କର ମୃତ୍ୟୁ ଘଟିଥିବା ଜାଣି ରାକେଶ ବିଚଳିତ ହେବାସହ ମୃତଦେହକୁ ଫୋପାଡି ଦେବା ପାଇଁ ଯୋଜନା କରିଥିଲେ। ସେ ଏନେଇ ତାଙ୍କ ପଡ଼ୋଶୀ ସାଙ୍ଗଙ୍କ ସହାୟତା ଲୋଡ଼ିଥିଲେ। ଗତ ୧୧ ତାରିଖରେ ରାକେଶ କିଣିଥିବା ନୂଆ ସ୍କୁଟିକୁ ଏଥିରେ ବ୍ୟବହାର କରାଯାଇଥିଲା। ରାକେଶ ମୃତଦେହକୁ ଧରି ପଛରେ ବସିଥିବାବେଳେ ତାଙ୍କ ସାଙ୍ଗ ସ୍କୁଟି ଚଳାଇଥିଲେ। ସକାଳ ସମୟ କୁହୁଡ଼ିଆ ପାଗ ଥିବାରୁ ସେମାନେ ମୃତଦେହକୁ ପ୍ରାୟ ୮୦ କି.ମି. ନେବାରେ ସକ୍ଷମ ହୋଇଥିଲେ। ସୂର୍ଯ୍ୟକିରଣ କ୍ରମଶଃ ପ୍ରଖର ହେବା ପରେ ସେମାନେ ଆଉ ମୃତଦେହକୁ ନେବା ସହଜ ନୁହେଁ ବୋଲି ମନେକରି କୁଆଖିଆ ଥାନା ଅଞ୍ଚଳରେ ପକାଇଦେଇ ପଳାଇ ଆସିଥିଲେ ବୋଲି ରାକେଶ ବୟାନ ଦେଇଥିବା ଥାନା ଅଧିକାରୀ ସ୍ବାଇଁ କହିଛନ୍ତି। ରାକେଶଙ୍କ ଏଭଳି ବୟାନ ରେକର୍ଡ ପରେ ପୋଲିସ ତାଙ୍କର ଡାକ୍ତରୀ ପରୀକ୍ଷା ଓ କୋଭିଡ୍‌ ପରୀକ୍ଷା କରି କୋର୍ଟ ଚାଲାଣ କରିଥିଲା। ହେଲେ ଝରାଫୁଲଙ୍କ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇପାରିନାହିଁ। ‘ରାତିରେ ଖାଇ ଶୋଇଥିଲୁ, ଫୁଡ୍‌ ପଏଜନିଂ ହୋଇ ଝରାଫୁଲଙ୍କ ମୃତ୍ୟୁ ଘଟିଥିବ’ ବୋଲି ରାକେଶ ପୋଲିସକୁ କହିଛନ୍ତି। କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନାହିଁ। ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ଏସ୍‌ପି ରାହୁଲ ପି.ଆର. କହିଛନ୍ତି। ସେହିପରି ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଗେଷ୍ଟହାଉସ୍‌ କର୍ମଚାରୀ ଓ ମାଲିକଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି ବୋଲି ଥାନାଧିକାରୀ ସ୍ବାଇଁ କହିଛନ୍ତି।
ଅପରପକ୍ଷରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ଶୁକ୍ରବାର ସକାଳେ ଘଟଣାସ୍ଥଳ ପରିଦର୍ଶନ କରିବା ସହ କୁଆଖିଆ ଥାନାଧିକାରୀ ଓ ଏସ୍‌ପି ରାହୁଲ ପି.ଆର.ଙ୍କ ସହ ଆଲୋଚନା କରିଥିଲେ। ମାମଲାକୁ ନେଇ ପୋଲିସ ଅତି ତପତ୍ରତାର ସହ କାମ କରୁଛି। ଘଟଣାରେ ଯାହାର ଲିଙ୍କ୍‌ ସାମ୍ନାକୁ ଆସିବ ତାଙ୍କୁ ଗିରଫ କରାଯିବ ବୋଲି ଅଧ୍ୟକ୍ଷା ବେହେରା କହିଛନ୍ତି। ମାମଲାକୁ ନେଇ ଏ ପର୍ଯ୍ୟନ୍ତ କ’ଣ ସବୁ ପଦକ୍ଷେପ ନିଆଯାଉଛି ତା’ର ଏକ ରିପୋର୍ଟ ଅଧ୍ୟକ୍ଷା ବେହେରାଙ୍କୁ ପ୍ରଦାନ କରାଯାଇଛି। ପରବର୍ତ୍ତୀ ସମୟରେ ପୂର୍ଣ୍ଣାଙ୍ଗ ରିପୋର୍ଟ କମିଶନକୁ ପ୍ରଦାନ କରାଯିବ ବୋଲି ଏସ୍‌.ପି ଅଧ୍ୟକ୍ଷା ବେହେରାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

The post ଜେଲ ଗଲେ ପ୍ରେମିକ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ...