Skip to main content

ପ୍ରଥମ ଟେଷ୍ଟ: ପାକିସ୍ତାନ ୭ ଉଇକେଟରେ ବିଜୟୀ :ଫଓ୍ବାଦ ଆଲାମ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌

କରାଚୀ,୩୦।୧(ଏପି): ଦୁଇ ସ୍ପିନର ନୌମାନ ଅଲୀ ଓ ୟାସିର ଶାହାଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ପାକିସ୍ତାନ ଏଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୪ ଦିନରେ ୭ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପଦାର୍ପଣ କରିଥିବା ୩୪ ବର୍ଷୀୟ ବାମହାତୀ ସ୍ପିନର ନୌମାନ ଦ୍ୱିତୀୟ ଇନିଂସରେ ୫ ଓ ୟାସିର ୪ ଉଇକେଟ ଅକ୍ତିଆର କରି ଦକ୍ଷିଣ ଆଫ୍ରିକାକୁ ନିରାଶ କରିଥିଲେ। ମ୍ୟାଚରେ ଦୁଇ ସ୍ପିନର ମୋଟ ଉପରେ ୧୪ଟି ଉଇକେଟ ହାସଲ କରିଛନ୍ତି। ଉଭୟ ଇନିଂସରେ ଦକ୍ଷିଣ ଆଫ୍ରିକା ସ୍ପିନରଙ୍କ ବିପକ୍ଷରେ ସଂଘର୍ଷ କରିଥିବା ଦେଖାଯାଇଥିଲା। ଏଥିସହ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ ୨୭ଟି ଟେଷ୍ଟ ଖେଳିଥିବା ବେଳେ ପଞ୍ଚମ ବିଜୟ ହାସଲ କରିଛି। ଶେଷଥର ପାଇଁ ଏହି ଭେନ୍ୟୁରେ ପାକିସ୍ତାନ ୨୦୦୭ରେ ବିଜୟ ହାସଲ କରିଥିଲା। ଏଥିସହ ବାବର ଆଜମ ନିଜ ନେତୃତ୍ୱରେ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ଜିତାଇବାରେ ସଫଳ ହୋଇଛନ୍ତି। ଗତ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସେ ଆହତ ହୋଇ ବାଦ୍‌ ପଡିଥିଲେ। ଏବେ ରାଓ୍ବଲପିଣ୍ଡିରେ ଫେବୃୟାରୀ ୮ ତାରିଖରୁ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ଟେଷ୍ଟ ସିରିଜ ପରେ ଦୁଇ ଦଳ ଲାହୋରରେ ୧୧ରୁ ୧୪ ତାରିଖ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳିବେ।
ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୬୯.୨ ଓଭରରେ ୨୨୦ ରନକରି ଅଲ୍‌ଆଉଟ ହୋଇଥିଲା। ଜବାବରେ ପାକିସ୍ତାନ ପ୍ରଥମ ଇନିଂସ ଆରମ୍ଭ କରି ୧୧୯.୨ ଓଭରରେ ୩୭୮ ରନ କରି ଅଲ୍‌ଆଉଟ ହେବା ସହ ୧୫୮ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ଶୁକ୍ରବାର ଚତୁର୍ଥ ଦିବସରେ ୧୦୦.୩ ଓଭରରେ ୨୪୫ ରନ କରି ଅଲଆଉଟ ହୋଇଥିଲା। ଫଳରେ ପାକିସ୍ତାନ ସମ୍ମୁଖରେ ୮୮ ରନର ଛୋଟିଆ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ପାକିସ୍ତାନ ଦ୍ୱିତୀୟ ଇନିଂସ ଆରମ୍ଭ କରି ଶୁକ୍ରବାର ଚତୁର୍ଥ ଦିବସରେ ୨୨.୫ ଓଭରରେ ୩ ଉଇକେଟ ହରାଇ ୯୦ ରନ କରି ବିଜୟ ହାସଲ କରିଛି। ଏଥିସହ ପାକିସ୍ତାନ ୨ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସରେ ୧୦୯ ରନର ଲଢୁଆ ଶତକୀୟ ପାଳି ଖେଳିଥିବା ପାକିସ୍ତାନ ମିଡିଲଅର୍ଡର ବ୍ୟାଟ୍ସମ୍ୟାନ ଫଓ୍ବାଦ ଆଲାମ ପ୍ଲେୟର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ବିଜୟ ବେଳକୁ ଆଝାର ଅଲୀ ୩୧ ଓ ଫଓ୍ବାଦ ଆଲାମ ୪ ରନକରି ଅପରାଜିତ ରହିଥିଲେ। ଦୁଇ ଓପନର ଇମ୍ରାନ ବଟ୍ଟ ଓ ଅବିଦ ଅଲୀ ଯଥାକ୍ରମେ ୧୨ ଓ ୧୦ ରନକରି ଅନରିଚ୍‌ ନୋର୍ଜଙ୍କ ଦ୍ୱାରା ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ସେହିପରି ଅଧିନାୟକ ବାବର ଆଜମ ୩୦ରନ କରି କେଶବ ମହାରାଜଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ ନୋର୍ଜ ୨ ଓ ମହାରାଜ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୮୭/୪ରୁ ଦକ୍ଷିଣ ଆଫ୍ରିକା ଖେଳ ଆରମ୍ଭ କରି ଶୁକ୍ରବାର ଅଲଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ତଥା ଅଧିନାୟକ କ୍ୱିଣ୍ଟନ ଡିକକ୍‌ ବିନା ସ୍କୋରରୁ ଖେଳ ଆରମ୍ଭ କରି ମାତ୍ର ୨ ରନ କରି ଆଉଟ ହୋଇଥିଲେ। ସେହିପରି ନାଇଟ୍‌ ଓ୍ବାଚ୍‌ମ୍ୟାନ ମହାରାଜ ୨ ରନ୍‌ରୁ ଖେଳ ଆରମ୍ଭ କରି ଆଉ ଅଧିକ ରନ୍‌ ସଂଗ୍ରହ କରି ନ ପାରି ଚତୁର୍ଥ ଦିବସର ପ୍ରଥମ ବଲ୍‌ରେ ହିଁ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଟେମ୍ବା ବଭୁମା ୪୦ ଓ ଜର୍ଜ ଲିଣ୍ଡ ୧୧ ରନ କରି ଆଉଟ ହୋଇଥିବା ବେଳେ ବାକି ଟେଲ୍‌ ଏଣ୍ଡର ଦୁଇଅଙ୍କ ଛୁଇଁପାରି ନ ଥିଲେ। କାଗିସୋ ରାବାଡ଼ା ୧ ଓ ନୋର୍ଜ ଖାତା ଖୋଲିପାରି ନ ଥିଲେ। ଲୁନ୍‌ଗି ଏନ୍‌ଗିଡି ୩ ରନକରି ଅପରାଜିତ ରହିଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ନୌମାନ ଅଲୀ ସର୍ବାଧିକ ୫, ୟାସିର ଶାହା ୪ ଓ ହାସନ ଅଲୀ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୬୯.୨ ଓଭରରେ ୨୨୦ ଅଲ୍‌ଆଉଟ।
ପାକିସ୍ତାନ ପ୍ରଥମ ଇନିଂସ- ୧୧୯.୨ ଓଭରରେ ୩୭୮ ଅଲ୍‌ଆଉଟ
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ- ୧୦୦.୩ ଓଭରରେ ୨୪୫ ଅଲଆଉଟ
(ଏଡେନ ମାରକ୍ରମ- ୭୪, ରସି ଭାନ ଡର ଡୁସେନ- ୬୪, ଟେମ୍ବା ବଭୁମା- ୪୦, ଡିନ ଏଲଗାର- ୨୯, ୟାସିର ଶାହା- ୪/୭୯, ନୌମାନ ଅଲୀ- ୫/୩୫, ହାସନ ଅଲି- ୧/୬୧)।
ପାକିସ୍ତାନ ଦ୍ୱିତୀୟ ଇନିଂସ- ୨୨.୫ ଓଭରରେ ୯୦/୩
(ବାବର ଆଜମ- ୩୦, ଆଝାର ଅଲୀ- ୩୧*, ନୋର୍ଜ- ୨/୨୪, ମହାରାଜ- ୧/୧୨)।

The post ପ୍ରଥମ ଟେଷ୍ଟ: ପାକିସ୍ତାନ ୭ ଉଇକେଟରେ ବିଜୟୀ :ଫଓ୍ବାଦ ଆଲାମ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...