Skip to main content

ଟିକା ପରେ ବି ଟିକେ ଅପେକ୍ଷା କର

ସହଦେବ ସାହୁ

ଲୋକେ ଟିକା ନେଲେଣି, ଏଣିକି ଯୁଆଡ଼େ ସିଆଡ଼େ ଯିବା-ଏମିତି ନିରାପଦ ଅବସ୍ଥା ଆସିଗଲା ବୋଲି ଭାବନ୍ତୁ ନାହିଁ। ଏବେ ଡାକ୍ତର ଡାକ୍ତରାଣୀ ତ ଟିକା ନେଲେଣି, ସ୍ବାସ୍ଥ୍ୟ ସେବକ ସେବିକାମାନେ ଟିକା ନେଇ ସାରିଲେଣି, ତେଣୁ ସେମାନଙ୍କ ସାଙ୍ଗରେ ମିଶିବା ତ? କିଛିଦିନ ଭିତରେ ଜେଜେମା’ ଜେଜେବାପା କି ଆଈ ଅଜା ବି ଟିକା ନେଇ ସାରିଥିବେ, ତା’ ପରେ ଆମ ମା’ ବାପା, ଶାଶୁ ଶ୍ୱଶୁର ଟିକା ନେବେ। ଏଥର ଛୁଟି କଟାଇବାକୁ ବିମାନରେ ଯିବା ତ! ଟିକା ନେଇଥିବା ଲୋକଙ୍କ ସାଙ୍ଗରେ ମିଶିଲେ କ୍ଷତି ଅଛି କି ?
ଯୁବତୀ ଯୁବକମାନେ ଟିକା ନେବାକୁ ବର୍ଷେ ପାଖାପାଖି ଲାଗିଯିବ, ଟିକା ନେଇ ନ ଥିବା ଲୋକ ଟିକା ନେଇଥିବା ଡାକ୍ତର ଓ ସେବକମାନଙ୍କ ସହ ପାଖାପାଖି ବସିପାରିବୁ କି? ପିଲାମାନେ ଟିକା ନେବାର ବେଳ କେବେ ଆସିବ ଜଣାନାହିଁ, ନିକଟ ଭବିଷ୍ୟତରେ ଟିକା ନେବେ ନାହିଁ, କାରଣ ପିଲାମାନଙ୍କ ଉପରେ ଏ ଟିକା ପରୀକ୍ଷିତ ହୋଇନାହିଁ, ଫଳ କ’ଣ ହେବ ଜଣାନାହିଁ। ଏତିକି ଜଣାପଡିଛି ଯେ, ପିଲାମାନଙ୍କଠାରେ କରୋନା ଭୂତାଣୁର ପ୍ରତିକୂଳ ପ୍ରଭାବ ବେଶି କିଛି ପଡ଼ୁନାହିଁ। ପିଲାମାନଙ୍କ ଦେହରେ ସେମାନଙ୍କ ରୋଗପ୍ରତିରୋଧକ ଶକ୍ତି ବେଶ୍‌ କାମ କରୁଛି। କରୋନାକୁ ରୋକିପାରୁଛି । ଏବେ ସେମାନଙ୍କୁ ଟିକା ଦିଆଯିବ ନାହିଁ ା ଜେଜେମା’ ଜେଜେବାପା କି ଆଈ ଅଜାଙ୍କ କୋଳରେ ନାତୁଣୀ ନାତିମାନେ ଖେଳିପାରିବେନି କି ? ପିଲାମାନେ ବିକଳ ହେଲେଣି ସେମାନଙ୍କ କୋଳରେ କେବେ ବସିବେ।
ପିଲାମାନେ ପଚାରୁଛନ୍ତି ଏବେ ମୋ ଡାକ୍ତର ମା’ ତ ଟିକା ନେଇଗଲାଣି, ମୁଁ ତା’ କୋଳରେ ଖେଳିବାକୁ ଚାହୁଁଛି। ଘର ଭିତରେ କି ବିମାନ ଭିତରେ ମାସ୍କ ନ ପିନ୍ଧି ଯାଇ ହେବ କି? ଆମେ କ’ଣ ଅପେକ୍ଷା କରିବା ସମସ୍ତେ ଟିକା ନେଇ ସାରିଲା ପର୍ଯ୍ୟନ୍ତ? ବର୍ଷେ ହେଲା ଚୁପ୍‌ଚାପ୍‌ ରହିଛୁ, ଆଉ କେତେ ଦିନ ରହିବୁ। ଆମେ କ’ଣ ଭାଗ ଭାଗ ହୋଇ ମିଶିବା।
ଯୁକ୍ତରାଷ୍ଟ୍ର ଆମେରିକା ଦୁଇଟି କରୋନା ଭାଇରସ ଟିକା ବ୍ୟବହାରର ଅନୁମତି ଦେଇଛି, ଫାଇଜର-ବୋୟୋଟେକ୍‌ ଏବଂ ମଡର୍ନା। ଆମ ଦେଶରେ ଭାରତ ବୋୟୋଟେକ୍‌ଙ୍କ କୋଭାକ୍ସିନ୍‌କୁ ଓ ସେରମ୍‌ ଇନ୍‌ଷ୍ଟିିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଦ୍ୱାରା ତିଆରି ଅକ୍ସଫୋର୍ଡ-ଅଷ୍ଟ୍ରାଜେନେକାଙ୍କ କୋଭିଶିଲ୍ଡକୁ ଜରୁରୀ ବ୍ୟବହାର ପାଇଁ ସୀମିତ କରି ସରକାର ଅନୁମତି ଦେଇଥିଲେ। ୨୦୨୧ ଜାନୁୟାରୀ ୯ରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକ ଟିକା ନେବେ। ପିପିଇ କିଟ୍‌ସ, ମାସ୍କ, ଭେଣ୍ଟିଲେଟର ଓ ଟେଷ୍ଟିଂ କିଟ୍‌ ଆଗରୁ ଆମଦାନୀ କରୁଥିବା ବେଳେ ଏବେ ଆତ୍ମନିର୍ଭର ହୋଇଥିବା ଭାରତ ସାରା ଦୁନିଆକୁ ରକ୍ଷା କରିପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଆଗଧାଡ଼ିର ଓ ଅତ୍ୟାବଶ୍ୟକ ୨ କୋଟି କର୍ମଚାରୀଙ୍କ ସହିତ ୫୦ରୁ ବୟସାଧିକ ତଥା ଦୁରାରୋଗଗ୍ରସ୍ତ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ। ପ୍ରସଙ୍ଗ କ୍ରମେ କୁହାଯାଇପାରେ ଯେ, ବିଶ୍ୱରେ ଭାରତ ଏକମାତ୍ର ଗଣତନ୍ତ୍ର; ଯିଏ ମହାମାରୀରେ ଶକ୍ତରୁ ଆହୁରି ଶକ୍ତ ହୋଇପାରୁଛି। ସ୍ବାଧୀନତା ପାଇବା ବେଳେ ଏଭଳି ଏକ ଗରିବ ଓ ଅଶିକ୍ଷିତ ଦେଶ ଦିନେ ଭୁଶୁଡ଼ି ପଡ଼ିବ ବୋଲି କହୁଥିବା ଲୋକେ ଏବେ ଦେଖନ୍ତୁ କିପରି ତାହା ବିଶ୍ୱର ଟିକା ଓ ଔଷଧର କାରଖାନା ହୋଇପଡ଼ିଛି।
କିନ୍ତୁ ପ୍ରଶ୍ନ ରହିଛି ଟିକା ଆସିଗଲେ କ’ଣ ଲୋକେ ସୁରୁଖୁରୁରେ ବୁଲାବୁଲି କରିପାରିବେ? ସଂକ୍ରମଣର ଭୟ ଆଉ ରହିବ ନାହିଁ? ଟିକା ନେଲେ କ’ଣ ଲୋକଟି କାହାକୁ ସଂକ୍ରମିତ କରିବ ନାହିଁ? କିନ୍ତୁ ଆମେ ଜାଣୁ ଯେ ଲକ୍ଷଣ ଦେଖାଉ ନ ଥିବା ଲୋକ ବି କରୋନା ଭୂତାଣୁ ଛାଡ଼ିପାରେ, ତା’ ହେଲେ ଟିକାନେଇଥିବା ଲୋକ ଦେହରେ ବି ଭୂତାଣୁ ଥାଇପାରେ ଓ ସେ ଭୂତାଣୁ ବିଛୁଡ଼ି ପାରେ। ତାହାଛଡ଼ା ଏଯାବତ୍‌ ଯାହା ଟିକା ଦିଆଯାଉଛି ତାହା ଜରୁରିକାଳୀନ ବ୍ୟବହାର ପାଇଁ ଅର୍ଥାତ୍‌ ପରୀକ୍ଷାମୂଳକ ଭାବେ ଦିଆଚାଲିଛି, ସେଗୁଡ଼ିକର ଫଳକୁ ଅପେକ୍ଷା। ଅବଶ୍ୟ ଇତିମଧ୍ୟରେ ପ୍ରଥମ ପାନ (ଡୋଜ୍‌) ଟିକାର ଖରାପ ଫଳ ପ୍ରାୟ ମିଳିନାହିଁ। ତେଣୁ କିଛିଦିନ ଅପେକ୍ଷା କରିବାକୁ ପଡ଼ିବ; ଯେତେବେଳେ ଆମେ ଭୂତାଣୁରୁ ମୁକ୍ତ ହେଲୁଣୁ ବୋଲି କହିପାରିବା । ପୁଣି ୧୬ରୁ କମ୍‌ ବୟସର ପିଲାଙ୍କୁ ଟିକା ଦିଆଯିବ ନାହିଁ, ଯେପର୍ଯ୍ୟନ୍ତ ଅନ୍ୟ ସମସ୍ତଙ୍କୁ ଟିକାଦିଆ ନ ସରିଛି। କାରଣ ପିଲାଙ୍କୁ ସହଜରେ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ କରେ ନାହିଁ। ଘରେ ଥିବା ସବୁ ବୟସ୍କ ଲୋକେ ଟିକା ନେଇଗଲେ ତୁମେ ନିରାପଦ ମନେକର ନାହିଁ। ଅନ୍ତତଃ ଏବେ ନୁହେଁ।
ଏ ତ ହେଲା ଆମ ଦେଶର କଥା। ପୃଥିବୀ କଥା ଦେଖନ୍ତୁ। ଗୋଟିଏ ବର୍ଷ ଭିତରେ କୋଭିଡ୍‌ ମହାମାରୀ କୋଟିଏ ଷାଠିଏ ଲକ୍ଷ ଲୋକଙ୍କ ଜୀବନ ନେଲାଣି ବୋଲି ଜାତିସଂଘ କହୁଛି। ଜାତିସଂଘର ୭୫ ବର୍ଷ ଜୀବନକାଳ ଭିତରେ ଏହା ହେଉଛି ସବୁଠାରୁ ବଡ଼ ସ୍ବାସ୍ଥ୍ୟ ସଙ୍କଟ। କିନ୍ତୁ ଜାତିସଂଘକୁ ସାହସିକ ପଦକ୍ଷେପ ନେବା ପାଇଁ ଧନୀ ଦେଶମାନେ ଅନୁମତି ଦେଉନାହାନ୍ତି।
ବର୍ତ୍ତମାନ ଦରକାର ଜନତାର ଟିକା। ଏହାର ମାନେ ଜାତିସଂଘ ଏପରି ଏକ ଟିକା ଉପରେ ଜୋର୍‌ ଦେବା କଥା, ଯାହା କି ଗରିବତମ ଲୋକର ହାତ ପାହାନ୍ତାରେ ମିଳିବ। କିନ୍ତୁ ତାହା ହେଉନାହିଁ। ଡିସେମ୍ବର ୧୦ର ଏକ ଖବରରୁ ଆମେ ଜାଣିଲୁ ଯେ ସେତେବେଳର ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କର ତିନିଜଣ ରାଜନୈତିକ ବନ୍ଧୁ ଭୂତାଣୁ ଦ୍ୱାରା ସଂକ୍ରମଣ ହେଲାକ୍ଷଣି ଅଳ୍ପଦିନ ଭିତରେ ଭଲ ହୋଇଗଲେ, କାରଣ ସେମାନଙ୍କୁ ଯେଉଁ ଔଷଧ ଦିଆଗଲା ତାହା ବିରଳ ଓ ଅତି ବ୍ୟୟବହୁଳ, ଅନ୍ୟ କୌଣସିି ଆମେରିକୀୟକୁ ମିଳୁନାହିଁ। ଫଳରେ ଲୋକେ କହୁଛନ୍ତି କୋଭିଡ୍‌-୧୯ର ଔଷଧ ହେଉଛି ଥିଲାବାଲାଙ୍କ ଔଷଧ। ଆମେରିକାରେ ଲୋକେ ଥର ଥର କରି ପାଞ୍ଚ ଥର ପାଇବା ପରିମାଣର ଟିକା ମହଜୁଦ ହେବ ଅଥଚ ଆଫ୍ରିକାରେ ଗୋଟିଏ ବି ଟିକା ମିଳିବ ନାହିଁ। ଆମେ ପ୍ରବଳ ବେଗରେ ‘ଟିକା ରାଷ୍ଟ୍ରୀୟତା’ ଦେଖିବାକୁ ପାଉଛୁ। ଏହାର ଗୋଟିଏ ସମାଧାନ ହେଉଛି ଯେ ଟିକା ଉପତ୍ାଦନର ସମସ୍ତ ଖର୍ଚ୍ଚ ସରକାର ବହନ କରନ୍ତୁ। ଅର୍ଥାତ୍‌ ଟିକା ମାଗଣାରେ ଲୋକଙ୍କୁ ମିଳୁ। ସାର୍ବଜନୀନ ସ୍ବାସ୍ଥ୍ୟ ଯୋଜନା ବା ୟୁନିଭର୍ସାଲ ହେଲ୍‌ଥ କଭରେଜ୍‌ ମାନେ ହେଉଛି ରୋଗକୁ ଲଢ଼ିବାର ସମାନ କ୍ଷମତା ପ୍ରତିଲୋକଙ୍କୁ ମିଳୁ। କ୍ୱାଲିଟି ହେଲ୍‌ଥ ବା ଉତ୍ତମ ସ୍ବାସ୍ଥ୍ୟ କେବଳ ହାୟେଷ୍ଟ ବିଡର୍‌ ବା ସର୍ବୋଚ୍ଚ ନିଲାମଧାରୀକୁ ନ ମିଳୁ।
ଆମେ କୌଣସି ମହାମାରୀକୁ ରୋକିପାରିବା ନାହିଁ, ଯଦି ପ୍ରତ୍ୟେକ ଧନୀ ରାଷ୍ଟ୍ର ଗରିବ ରାଷ୍ଟ୍ର ସହିତ ସହଯୋଗ ନ କରେ ଏବଂ ପ୍ରତ୍ୟେକ ଧନୀ ଗରିବ ପ୍ରତି ସହାନୁଭୂତି ନ ଦେଖାଏ। ଏ ଦିଗରେ ଗୋଟିଏ ଆଲୋକ ଦିଶୁଛି ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ହୁ) ଅଧୀନରେ କୋଆଲିସନ୍‌ ଫର୍‌ ଏପିଡେମିକ୍‌ ପ୍ରିପାର୍ଡନେସ୍‌ ଇନୋଭେସନ (ସିଇପିଆଇ) ଜିଏଭିଆ, ଗାଭିଭାକ୍ସିନ ଆଲାଏନ୍ସ, ୟୁରୋପିଆନ୍‌ କମିଶନ୍‌ ଓ ଫ୍ରାନ୍ସ ସମସ୍ତେ ମିଶି କୋଭାକ୍ସ ନାମକ ଏକ ପ୍ରକଳ୍ପ ଆରମ୍ଭ କରିଛନ୍ତି। ଏହାର ଉଦ୍ଦେଶ୍ୟ କୋଭିଡ୍‌-୧୯ର ଟିକା ସମସ୍ତଙ୍କୁ ବାଣ୍ଟିବେ। କୋଭାକ୍ସ ଲକ୍ଷ୍ୟ ରଖିଛି ଯେ, ୨୦୨୧ ଶେଷସୁଦ୍ଧା ଜାତି ଧର୍ମ ବର୍ଣ୍ଣ ଓ ରାଜନୈତିକ ସମ୍ପୃକ୍ତି ନିର୍ବିଶେଷରେ ୨୦୦ କୋଟି କୋଭିଡ୍‌-୧୯ ଟିକା ବାଣ୍ଟିବ।
ସମସ୍ତେ ଦିନେ ମରିବା- ଏ ବାସ୍ତବତାରୁ ଆମେ ମୁକୁଳିପାରିବା ନାହିଁ ମାନେ ନୁହେଁ ଯେ ଗରିବ ଓ ଅବହେଳିତମାନଙ୍କୁ ଅକାଳରେ ମାରିଦେବା! ଯେ ପର୍ଯ୍ୟନ୍ତ ଗରିବମାନଙ୍କୁ ଟିକା ନ ମିଳିଛି ମହାମାରୀର ଅନ୍ତ ହେବ ନାହିଁ।
ଇମେଲ୍‌: sahadevas@yahoo.com

The post ଟିକା ପରେ ବି ଟିକେ ଅପେକ୍ଷା କର appeared first on Dharitri Odia News.



Popular posts from this blog

ପ୍ରଚାର ମୋଡ଼ ବଦଳାଇଲେ କମଲା ହାରିସ୍‌

ଓ୍ବାଶିଂଟନ,୧୪/୮:ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଆମେରିକାର ରାଜନୈତିକ ପାଣିପାଗରେ ଉଷ୍ମତା ଭରିଦେଇଛି। ବିଶେଷକରି ଭାରତୀୟ ବଂଶୋଦ୍ଭବ କାଲିଫର୍ନିଆ ସିନେଟର କମଲା ହାରିସ୍‌ ଡେମୋକ୍ରାଟିକ୍‌ ପାର୍ଟିରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ପରେ ତାଙ୍କ ପ୍ରେସିଡେନ୍ସିଆଲ ନୋମିନି ଜୋ ବିଡେନଙ୍କ ପ୍ରଚାର ରୋଚକ ମୋଡରେ ପହଞ୍ଚତ୍ଛି। ବିଡେନ ଓ ହାରିସ୍‌ ବୁଧବାର ପ୍ରଥମଥର ପାଇଁ ଗୋଟିଏ ମଞ୍ଚରେ ଛିଡ଼ାହୋଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ହ୍ବାଇଟ୍‌ ହାଇସ୍‌ ରେକର୍ଡ ଶେୟାର କରିଛନ୍ତି। ରିପବ୍ଲିକାନ ଟ୍ରମ୍ପ୍‌ ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ନୁହନ୍ତି ବୋଲି ଦୁହେଁ ସମାଲୋଚନା କରିଛନ୍ତି। ୭୭ ବର୍ଷୀୟ ଶ୍ୱେତାଙ୍ଗ ଜୋ ବିଡେନ ମଙ୍ଗଳବାର ୫୫ ବର୍ଷୀୟା କମଲା ହାରିସ୍‌ଙ୍କୁ ତାଙ୍କର ଭାଇସ୍‌ ପ୍ରେସିଡେନ୍ସିଆଲ ରନିଂ ମେଟ୍‌ ଭାବେ ଚୟନ କରିଥିଲେ। ଆମେରିକାର ଏକ ବଡ଼ ରାଜନୈତିକ ଦଳରୁ ଜଣେ କୃଷ୍ଣକାୟ ମହିଳା ଭାବେ ଏହି ଦୌଡ଼ିରେ ସାମିଲ ହେବାରେ ହାରିସ୍‌ ହେଉଛନ୍ତି ପ୍ରଥମ। ଏହାର ଦିନକ ପରେ ଦୁଇନେତା ଡେଲାଓ୍ବେରସ୍ଥିତ ଓ୍ବିଲମିଙ୍ଗଟନରେ ପ୍ରଥମଥର ପାଇଁ ଗୋଟିଏ ମଞ୍ଚରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ ବିଡେନ କହିଥିଲେ, ଉପରାଷ୍ଟ୍ରପତି ପଦ ଲାଗି ହାରିସ୍‌ ଜଣେ ସ୍ମାର୍ଟ, ଟାଣୁଆ ଏବଂ ଆମେରିକାର ମଧ୍ୟବିତ୍ତଙ୍କ ପାଇଁ ଲଢ଼ୁଆ ପ୍ରାର୍ଥୀ। କିପରି କଠୋର ନିଷ୍ପତ୍ତି ନିଆଯାଏ ତାଙ୍କୁ ଭଲ

କୁଶଳୀ ଶିଳ୍ପୀ ନିହଣ ସଙ୍ଗେ ଅସ୍ତ୍ର ବି ଧରୁଥିଲେ

ପୂର୍ବ ଆଲୋଚନାରେ (ଧରିତ୍ରୀ, ୨୬ା୪ା୨୧) ‘ମଗୋ ଜାତୀୟ ବ୍ରାହ୍ମଣ’ଙ୍କ ପ୍ରସଙ୍ଗ ଆମେ ଆଲୋଚନା କରିଥିଲେ। ପ୍ରାଚୀନ ଭାରତର ଇତିହାସ ପୁସ୍ତକରେ ବା ଭଗବତ୍‌ ଶରଣ ଉପାଧ୍ୟାୟ ଏ ସମ୍ପର୍କିତ ମତ ଦେବାପରେ ଡ. ରାମ୍‌ଜୀ ଉପାଧ୍ୟାୟ ଏହି ମତକୁ ଆଗେଇ ନେଇଥିଲେ। ମଗୋମାନେ ତୃତୀୟ ଶତାବ୍ଦୀରେ ଭାରତକୁ ଆସି ସୂର୍ଯ୍ୟଙ୍କ ଉପାସନା କରିଥିଲେ ବୋଲି ଲେଖିବା ପରେ କେତେକ ଐତିହାସିକ କୁଶାଣ ଯୁଗରେ ସୂର୍ଯ୍ୟ ଉପାସନା ଇରାନରୁ ଭାରତକୁ ଆସିଥିଲା ବୋଲି ମତ ଦେଇଥିଲେ। ବାସ୍ତବରେ କୁଶାଣ ଯୁଗ ପୂର୍ବରୁ ଭାରତରେ ସୂର୍ଯ୍ୟ ଉପାସନା ପ୍ରଚଳିତ ଥିଲା। ବେଦ ହିଁ ଏହାର ପ୍ରମାଣ। ତୃତୀୟ ଶତକ ପୂର୍ବରୁ ରାମାୟଣ, ମହାଭାରତ, କେତେକ ପୁରାଣ ଓ ତନ୍ତ୍ରଗ୍ରନ୍ଥ ଲେଖା ସରିଥିଲା। ମହାଭାରତରେ ସେତେବେଳକୁ ସୂର୍ଯ୍ୟ ହୋଇ ସାରିଥିଲେ ‘ବ୍ରହ୍ମଶାଶ୍ୱତ’। ପୁରାଣ ଶାସ୍ତ୍ରରେ ସୂର୍ଯ୍ୟଙ୍କର କ୍ରାନ୍ତିବୃତ୍ତିକୁ ସୂର୍ଯ୍ୟରଥ ବୋଲି ପ୍ରମାଣ କରାଯାଇ ସାରିଲାଣି। ଜ୍ୟୋତିଷ ତତ୍ତ୍ୱର ରହସ୍ୟ ପୁରାଣ ଶାସ୍ତ୍ରରେ ସ୍ଥାନ ପାଇ ସାରିଥିଲା। ସୂର୍ଯ୍ୟଙ୍କ ରଥ ବେଦମୟ, ମୁହୂର୍ତ୍ତକେ ୩୪ ଲକ୍ଷ ୮୦୦ ଯୋଜନ ଏହି ରଥ ଗତିକରେ। ଗୋଟିଏ ଚକ ହେଉଛି ସମ୍ବତ୍ସର। ୧୨ ମାସର ପ୍ରତୀକ ୧୨ଟି ଅର। ୬ ଋତୁ ପରି ୬ଟି ପଇ। ଅରୁଣ ହେଉଛନ୍ତି ସାରଥି। ଦତ୍ତାତ୍ରେୟ ତନ୍ତ୍ରରେ ସୂର୍ଯ୍ୟଙ୍କର ରଥର ରହସ୍ୟ ସବିଶେଷ ବର୍ଣ୍ଣନା ହୋଇ ସାରିଥିଲା। ସ୍ଥାପତ୍ୟ କଳାର ଏତେସବୁ ରହସ୍ୟ ଓଡ଼ିଆ ଶିଳ୍ପୀ ଜାଣିଥିଲେ। ବ

ବିଜିୟୁ, ଆର୍କଜେନ ୟୁନିଭର୍ସିଟି ସହ ଆଇସିଏସ୍‌ଆଇର ଚୁକ୍ତି

ଭୁବନେଶ୍ୱର: ଦି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କମ୍ପାନୀ ସେକ୍ରେଟାରିଜ ଅଫ୍‌ ଇଣ୍ଡିଆ(ଆଇସିଏସ୍‌ଆଇ) ପକ୍ଷରୁ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି(ବିଜିୟୁ) ଭୁବନେଶ୍ୱର ଏବଂ ଜାମସେଦପୁରସ୍ଥିତ ଆର୍କଜେନ୍‌ ୟୁନିଭର୍ସିଟି ସହ ଏକାଡେମିକ ସହବନ୍ଧନ ଏମ୍‌ଓୟୁରେ ସାମିଲ ହୋଇଛି। ଛାତ୍ରୀଛାତ୍ର ଏବଂ ଅଂଶୀଦାରଙ୍କ ଉନ୍ନତି ତଥା ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ଏଭଳି ଏକ ଚୁକ୍ତି ବିଶେଷ ଭାବେ ସହାୟକ ହେବ ବୋଲି ଆଇସିଏସ୍‌ଆଇ ସଭାପତି ସିଏସ୍‌ ଆଶିଷ ଗର୍ଗ ସୂଚନା ଦେଇଛନ୍ତି। ଉଭୟ ବିଶ୍ୱବିଦ୍ୟାଳୟ ଆଇସିଏସ୍‌ଆଇ ସହ ମିଳିତ ହୋଇ କାମ କରିବାକୁ ଆଗେଇ ଆସିଥିବାରୁ ସେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଛାତ୍ରୀଛାତ୍ରଙ୍କ ଉନ୍ନତି ଦିଗରେ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନିଆଯାଉଥିବା ଉପସଭାପତି ସିଏସ୍‌ ନାଗେନ୍ଦ୍ର ରାଓ କହିଛନ୍ତି। ନୂଆ ସହବନ୍ଧନ ଦ୍ୱାରା ଉଭୟ ଅନୁଷ୍ଠାନ ଲାଭବାନ ହୋଇପାରିବେ ବୋଲି ବିଜିୟୁ କୁଳପତି ପ୍ରଫେସର ପି.ପି. ମାଥୁର ମତ ପ୍ରକାଶ କରିଥିଲେ। ଏଭଳି ପଦକ୍ଷେପ ପାଇଁ ଅର୍କଜେନ ୟୁନିଭର୍ସିଟି କୁଳପତି ଡ.ଏସ୍‌.ଏସ୍‌.ରାଜି ଆଇସିଏସ୍‌ଆଇକୁ ଧନ୍ୟବାଦ ପ୍ରଦାନ କରିଛନ୍ତି। The post ବିଜିୟୁ, ଆର୍କଜେନ ୟୁନିଭର୍ସିଟି ସହ ଆଇସିଏସ୍‌ଆଇର ଚୁକ୍ତି appeared first on Dharitri Odia News .