ଓ୍ବାଶିଂଟନ୍, ୨୯ା୧୨: ତିବ୍ବତର ପରବର୍ତ୍ତୀ ଦଲାଇଲାମା ଚୟନ ପ୍ରକ୍ରିୟାରେ ହସ୍ତକ୍ଷେପ ନ କରିବାକୁ ଚାଇନାର ବାରମ୍ବାର ଧମକ ସତ୍ତ୍ୱେ ଏହାକୁ ଅଣଦେଖା କରିଛି ଆମେରିକା। ତିବ୍ବତରେ ଧାର୍ମିକ ସ୍ବାଧୀନତାକୁ ସର୍ମଥନ କରି ସମ୍ପୂର୍ଣ୍ଣ ସ୍ବଚ୍ଛ ପ୍ରକିୟାରେ ୧୫ତମ ଦଲାଇଲାମା ଚୟନ ପାଇଁ ଆମେରିକା ନୂଆ ନୀତି ପ୍ରଣୟନ କରିଛି। ତିବ୍ବତାନ ପଲିସି ଆଣ୍ଡ ସପୋର୍ଟ ଆକ୍ଟ,୨୦୨୦ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ବାକ୍ଷର କରି ଏହି ପ୍ରକ୍ରିୟା ଆଗକୁ ନେଇଛନ୍ତି। ଅନ୍ୟପକ୍ଷରେ ଚାଇନା ଆମେରିକାର ଏହି ନୀତିକୁ ପ୍ରତ୍ୟାଖ୍ୟାନ କରିଛି।
ସ୍ବାଧୀନ ଦେଶ ହେବାକୁ ଲଢ଼େଇ ଜାରି ରଖିଥିବା ତିବ୍ବତବାସୀଙ୍କୁ ନିଜ ଆୟତ୍ତରେ ରଖିବାକୁ ଚାଇନା ଉଦ୍ୟମ କରୁଥିବା ଆମେରିକା ଅଭିଯୋଗ କରିଆସୁଛି। ଏପରି ସ୍ଥିତିରେ ତିବ୍ବତ ଗୁରୁଙ୍କୁ ଚାଇନା ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିବାରୁ ଆମେରିକା ଏଭଳି ନିୟମ ପ୍ରଣୟନ କରିଛି। ଏହା ଦ୍ୱାରା ତିବ୍ବତବାସୀ ସ୍ବାଧୀନ ଭାବେ ଦଲାଇଲାମା ବାଛିପାରିବେ। ଏହି ପଲିସିରେ ତିବ୍ବତ ପାଇଁ ବାର୍ଷିକ ୧ ମିଲିୟନ ଡଲାର ଅନୁମୋଦନ ମିଳିଛି। ଗତ ସପ୍ତାହରେ ଆମେରିକା କଂଗ୍ରେସରେ ବିଲ୍ ପାରିତ ହୋଇଥିଲା। ଚାଇନାର ଆଭ୍ୟନ୍ତରୀଣ ମାମଲାରେ ଆମେରିକା ହସ୍ତକ୍ଷେପ ଗ୍ରହଣୀୟ ନୁହେଁ ବୋଲି ବେଜିଂ କହିଛି।
The post ତିବ୍ବତ ନୀତିକୁ ଆମେରିକାର ମଞ୍ଜୁରୀ appeared first on Dharitri Odia News.