Skip to main content

ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା

କାମାକ୍ଷାନଗର, ୩୦ା୧୨(ଡି.ଏନ.ଏ.) – ଶିକ୍ଷାୟତନ ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଟଣାଯାଇଛି ଲକ୍ଷ୍ମଣରେଖା। କରୋନା ସଂକ୍ରମଣ ଭୟରେ ଦୀର୍ଘ ୯ମାସ ହେଲା ଶିକ୍ଷାନୁଷ୍ଠାନରେ ଝୁଲୁଛି ତାଲା। ଯଦିଓ ବିକଳ୍ପ ଭାବେ ଅନ୍‌ଲାଇନ ମାଧ୍ୟମରେ ପାଠପଢ଼ା ଆରମ୍ଭ ହୋଇଛି, ତଥାପି ଏହା ଶ୍ରେଣୀଗୃହ ଶିକ୍ଷାର ସ୍ଥାନ ନେଇପାରୁନାହିଁ। କୋଭିଡ୍‌-୧୯ ମାଡ଼ ସମ୍ପୂର୍ଣ୍ଣ ଶିକ୍ଷାବର୍ଷର ରୂପରେଖ ବଦଳାଇ ଦେଇଥିବାବେଳେ ଭବିଷ୍ୟତକୁ ନେଇ ଚିନ୍ତାଗ୍ରସ୍ତ ହୋଇପଡ଼ିଲେଣି ଛାତ୍ରୀଛାତ୍ର। କେବେ ଜାରି ହେବ ସରକାରୀ ନିର୍ଦ୍ଦେଶନାମା ଏବଂ ପୁଣି ଥରେ ବହିବସ୍ତାନି ଧରି ପିଲାଏ ପାଠପଢ଼ି ଯିବେ ତାହାକୁ ଚାହିଁଛନ୍ତି ଉଭୟେ ବିଦ୍ୟାର୍ଥୀ, ଶିକ୍ଷକ ଏବଂ ଅଭିଭାବକ।
ବିଶ୍ୱ ଅର୍ଥନୀତିକୁ ଧରାଶାୟୀ କରିଦେଇଛି କରୋନା। ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଶିକ୍ଷାବ୍ୟବସ୍ଥା। ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକରେ ୭୬ ପ୍ରାଥମିକ, ୪୫ ଉଚ୍ଚ ପ୍ରାଥମିକ, ୩୧ ଉଚ୍ଚ ବିଦ୍ୟାଳୟ ଏବଂ ୪ ଆଶ୍ରମ ବିଦ୍ୟାଳୟ ବନ୍ଦ ରହିଛି। ଏଠାରେ ପଢୁଥିବା ସହସ୍ରାଧିକ ଛାତ୍ରୀଛାତ୍ର ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ବିଶେଷ କରି ସୀମିତ ଟେକ୍ନୋଲୋଜି ଜ୍ଞାନ ଥିବା ଆଦିବାସୀ ଅଧ୍ୟୁଷିତ ଏବଂ ଗ୍ରାମାଞ୍ଚଳର ଛାତ୍ରୀଛାତ୍ରଙ୍କ ଶିକ୍ଷା ଠପ୍‌ ହୋଇଯାଇଛି। ହାତଗଣତି ପିଲା ବେସରକାରୀ ଭାବେ ପାଠପଢ଼ା ଜାରି ରଖିଥିବାବେଳେ ଗରିବ ପରିବାର ପକ୍ଷେ ସେତକ ମଧ୍ୟ ସମ୍ଭବ ହେଉନାହିଁ। ତେଣୁ ସେମାନଙ୍କ ଲାଗି ବିଦ୍ୟାଳୟ ଖୋଲିବା ଜରୁରୀ ହୋଇପଡ଼ିଛି। ଅପରପକ୍ଷେ ଦୀର୍ଘଦିନ ଧରି ସ୍କୁଲ ବାରଣ୍ଡା ମାଡ଼ି ନ ଥିବାରୁ ଭିତ୍ତିଭୂମି ମଧ୍ୟ ପ୍ରଭାବିତ ହୋଇଛି। ନିୟମିତ ପରିଚାଳନା ଅଭାବରୁ ସ୍କୁଲ ପରିସର ଲଟାବୁଦା ମାଡ଼ିଯାଇଛି। କୋଭିଡ୍‌ କେୟାର ସେଣ୍ଟରରେ ପରିଣତ ହୋଇଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ଅଧିକ ଯତ୍ନ ଆବଶ୍ୟକ କରୁଛି। ସ୍କୁଲ ଖୋଲିବା ପରେ ବି ସବୁକିଛି ସ୍ବାଭାବିକ ହେବାକୁ କିଛି ମାସ ଲାଗିଯାଇପାରେ। ଏପରି ଆଶାଆଶଙ୍କା ଭିତରେ ସମସ୍ତଙ୍କ ନଜର ଅଟକିଛି ସରକାରୀ ନିର୍ଦ୍ଦେଶନାମା ଉପରେ।
ସମସ୍ତେ ଅପେକ୍ଷା କରିଛନ୍ତି
ଶିକ୍ଷୟିତ୍ରୀଶିକ୍ଷକ, ଅଭିଭାବକ ଏବଂ ଛାତ୍ରୀଛାତ୍ର ସ୍କୁଲ ଖୋଲିବା ନେଇ ସରକାରୀ ଆଦେଶକୁ ଅପେକ୍ଷା କରିଛନ୍ତି। ଏଥିପ୍ରତି ଶିକ୍ଷା ବିଭାଗ ସତର୍କ ରହିଛି। କୋଭିଡ୍‌ ସେଣ୍ଟର କରାଯାଇଥିବା ବିଦ୍ୟାଳୟଗୁଡ଼ିକୁ ଅଗ୍ନିଶମ ବିଭାଗ ସହାୟତାରେ ୨ ଥର ସାନିଟାଇଜ୍‌ କରାଯାଇଛି। ସ୍କୁଲ ଖୋଲିଲେ ଅଧିକ ସତର୍କତାମୂଳକ ପଦକ୍ଷେପ ନିଆଯିବ।
– ଅଜୟ କୁମାର ପାତ୍ର,
ବିଇଓ, କାମାକ୍ଷାନଗର
ଶତପ୍ରତିଶତ ସନ୍ତୋଷ ମିଳୁନି
ସରକାରୀ ନିର୍ଦ୍ଦେଶନାମା କୌଣସି ମୁହୂର୍ତ୍ତରେ ଆସିପାରେ। ଏଥିପୂର୍ବରୁ ବିଦ୍ୟାଳୟରେ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍କୁଲକୁ ଶିକ୍ଷକ ଆସି ଅନ୍‌ଲାଇନରେ ପାଠ ପଢ଼ାଉଛନ୍ତି। ଆବଶ୍ୟକସ୍ଥଳେ ଗଁାକୁ ଯାଇ କୋଭିଡ୍‌ ନିୟମ ମାନି ପାଠ ପଢ଼ାଯାଉଛି। ତଥାପି ଶତପ୍ରତିଶତ ସନ୍ତୋଷ ମିଳୁନି।
– ଶ୍ରୀରାମ ରାଉତ, ପ୍ରଧାନ ଶିକ୍ଷକ, ପଞ୍ଚାୟତିରାଜ ହାଇସ୍କୁଲ
ପିଲାଙ୍କ ସୁରକ୍ଷା ଆମ ଦାୟିତ୍ୱ
ଛାତ୍ରୀଛାତ୍ର ସନ୍ତାନ ଭଳି। ସେମାନଙ୍କ ସୁରକ୍ଷା ଆମ ଦାୟିତ୍ୱ। ସ୍କୁଲରେ ଶ୍ରେଣୀଗୃହ ଶିକ୍ଷାଦାନ ବନ୍ଦ ରହିଥିଲେ ମଧ୍ୟ ଶିକ୍ଷୟିତ୍ରୀଶିକ୍ଷକମାନେ ସ୍କୁଲକୁ ଆସୁଛନ୍ତି। ବିଦ୍ୟାଳୟ ପରିବେଶ ବେଶ୍‌ ସଫାସୁତରା ରହିଛି। ସରକାରୀ ନିର୍ଦ୍ଦେଶନାମା ଜାରି କଲେ ତୁରନ୍ତ ଶିକ୍ଷାଦାନ ଆରମ୍ଭ କରିବା ଭଳି ସମସ୍ତ ପଦକ୍ଷେପ ହାତକୁ ନିଆଯାଇଛି।
– ଐଶ୍ୱର୍ଯ୍ୟା ରାଜଲକ୍ଷ୍ମୀ, ଶିକ୍ଷୟିତ୍ରୀ ଗାଲୁକାଟେଣୀ ସ୍କୁଲ
ଦିନକୁ ଦିନ ଚାପ ବଢୁଛି
ବିଦ୍ୟାଳୟ ଖୋଲୁ ନ ଥିବାରୁ ଛାତ୍ରୀଛାତ୍ରଙ୍କ ଉପରେ ଦିନକୁ ଦିନ ଚାପ ବଢୁଛି। ଅନଲାଇନ୍‌ ପାଠପଢା ଶ୍ରେଣୀଗୃହର ସ୍ଥାନ ନେଇପାରିବ ନାହିଁ। ସରକାର ବିଦ୍ୟାଳୟ ଖୋଲିବାକୁ ଘୋଷଣା କରିବା ସହ ୧୦ଶ୍ରେଣୀ ପରୀକ୍ଷା ପାଇଁ ସ୍ବତନ୍ତ୍ର ନିୟମ ଆଣିଲେ ପିଲାମାନେ ଉପକୃତ ହୋଇପାରନ୍ତେ।
– ତପସ୍ବିନୀ ମହାନ୍ତି, ୧୦ମ ଶ୍ରେଣୀ ଛାତ୍ରୀ
ନେଟ୍‌ଓ୍ବର୍କ ସମସ୍ୟା ଅନ୍‌ଲାଇନ ଶିକ୍ଷାରେ ବାଧକ
ଆଦର୍ଶ ବିଦ୍ୟାଳୟର ଶିକ୍ଷା ଢାଞ୍ଚା ଅନ୍ୟମାନଙ୍କଠାରୁ ଭିନ୍ନ। ସ୍କୁଲ ବନ୍ଦ ହୋଇଯିବା ପରେ ଅନ୍‌ଲାଇନରେ ପାଠପଢ଼ା ଆରମ୍ଭ ହୋଇଛି। ହେଲେ ଅଧିକାଂଶ ସମୟରେ ନେଟଓ୍ବର୍କ ସମସ୍ୟା ଏଥିରେ ବାଧକ ସାଜୁଛି। ପ୍ରତ୍ୟକ୍ଷ ଆଲୋଚନା ମଧ୍ୟ ହୋଇପାରୁନାହିଁ। ତୁରନ୍ତ ବିଦ୍ୟାଳୟ ଖୋଲାଗଲେ ଛାତ୍ରୀଛାତ୍ର ଲାଭବାନ ହେବେ।
– ସାଇଶଙ୍କର, ନବମ ଶ୍ରେଣୀ ଛାତ୍ର

The post ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...