Skip to main content

ଦିଲ୍ଲୀ ହାଫ୍‌ ମାରାଥନ: ଓ୍ବାଲେନ୍‌, ୟେହୁଲାଙ୍କୁ ଟାଇଟଲ

ନୂଆଦିଲ୍ଲୀ, ୩୦ା୧୧ (ପି.ଟି.)-କୋଭିଡ୍‌ ଯୋଗୁ ଜୈବସୁରକ୍ଷିତ ପରିବେଶ ମଧ୍ୟରେ ରବିବାର ଏୟାରଟେଲ ଦିଲ୍ଲୀ ହାଫ୍‌ ମାରାଥନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇଥିଓପିଆର ଆମେଡଓ୍ବର୍କ ଓ୍ବାଲେନ୍‌ ଏବଂ ୟାଲେନ୍‌ଜର୍ଫ ୟେହୁଲା ଯଥାକ୍ରମେ ପୁରୁଷ ଓ ମହିଳା ଟାଇଟଲ ଜିତିଛନ୍ତି। ଏହି ଓ୍ବାଲର୍‌ଡ ଆଥଲେଟିକ୍ସ ଗୋଲ୍ଡ ଲେଭଲ ରୋଡ୍‌ ରେସ୍‌ ଅଭୂତପୂର୍ବ ଥିଲା। ଏହି ଦୁଇ ଏଲିଟ ରେସ୍‌ ବିଜେତା ଇଭେଣ୍ଟ ରେକର୍ଡ କରିଛନ୍ତି। ଓ୍ବାଲେନ (୫୮.୫୩ ସେକେଣ୍ଡ) ଏବଂ ୟେହୁଲା ପ୍ରଥମ ପୁରସ୍କାର ବାବଦରେ ୨୭,୦୦୦ ଆମେରିକୀୟ ଡଲାର ପକେଟସ୍ଥ କରିଥିବାବେଳେ ଇଭେଣ୍ଟ ରେକର୍ଡ ବୋନସ ବାବଦରେ ଅତିରିକ୍ତ ୧୦,୦୦୦ ଆମେରିକୀୟ ଡଲାର ପାଇଛନ୍ତି। ମହିଳା ହାଫ୍‌୍‌ ମାରାଥନରେ ୟେହୁଲା ଦ୍ୱିତୀୟ ଦ୍ରୁତତମ ବିବେଚିତ ହୋଇଛନ୍ତି। ତାଙ୍କର ଟାଇମିଂ ୧:୦୪:୪୬ ରହିଥିଲା। ବିଶ୍ୱରେକର୍ଡ ଟାଇମ୍‌ (୧:୦୪:୩୧)ଠାରୁ ଏକ ସେକେଣ୍ଡ ଚତୁର୍ଥାଂଶ ପଛରେ ରହିଯାଇଥିଲେ। ବିଶ୍ୱରେକର୍ଡଧାରିଣୀ ଇଥିଓପିଆର ଆବାବେଲ୍‌ ୟେଶାନେ ମଧ୍ୟ ରବିବାର ରେସ୍‌ରେ ଭାଗ ନେଇଥିଲେ। ସେ କିନ୍ତୁ ତୃତୀୟ ହୋଇଥିଲେ। ଭାରତରୁ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଅବିନାଶ ସାବ୍‌ଲେ ୧:୦୦:୩୦ ଟାଇମିଂରେ ଜାତୀୟ ରେକର୍ଡ ଭଙ୍ଗ କରିଥିଲେ। ମହାରାଷ୍ଟ୍ରର ୨୬ ବର୍ଷୀୟ ସାବ୍‌ଲେ ଓଭରାଲ ୧୦ମ ହୋଇଥିଲେ। ପ୍ରଥମ ପୁରସ୍କାର ବାବଦରେ ତାଙ୍କୁ ୩.୫ ଲକ୍ଷ ଟଙ୍କା ଦିଆଯାଇଥିଲା। ଭାରତୀୟଙ୍କ ମଧ୍ୟରେ ସେ ଇଭେଣ୍ଟ ରେକର୍ଡ ପ୍ରତିଷ୍ଠା କରିଥିବାରୁ ତାଙ୍କୁ ଅତିରିକ୍ତ ୧ଲକ୍ଷ ଟଙ୍କା ମିଳିଥିଲା। ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ)ର ଅଫିସିଆଲ ରେକର୍ଡ ଅନୁସାରେ ଏହା ପୂର୍ବରୁ ଜାତୀୟ ହାଫ୍‌ ମାରାଥନ ରେକର୍ଡ ମହାରାଷ୍ଟ୍ରର କାଳିଦାସ ହିରଭେ (୧:୦୩:୪୬)ଙ୍କ ନାମରେ ରହିଥିଲା।

The post ଦିଲ୍ଲୀ ହାଫ୍‌ ମାରାଥନ: ଓ୍ବାଲେନ୍‌, ୟେହୁଲାଙ୍କୁ ଟାଇଟଲ appeared first on Dharitri Odia News.