Skip to main content

ସଂସ୍କୃତ କଲେଜରେ ଚାକିରିଆ ଛାତ୍ର

ଯାଜପୁର ଅଫିସ,୩୦ା୧୧:ଯାଜପୁର ଜିଲା ସୀମାନ୍ତବର୍ତ୍ତୀ କଟକ ଜିଲା ମାହାଙ୍ଗା ବ୍ଲକ ଅଧୀନ କଇଥା ତ୍ରିନାଥପୁର ମୀରାଦେବୀ ସଂସ୍କୃତ କଲେଜରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଛାତ୍ରୀଛାତ୍ରଙ୍କଠାରୁ ବିନା ରସିଦରେ ଅର୍ଥ ଆଦାୟ ଏବଂ କେତେଜଣ ବାହାରେ ଚାକିରି କରି ଏହି କଲେଜରେ ନିୟମିତ ଭାବେ ପାଠ ପଢ଼ୁଥିବା ନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଉଚ୍ଚଶିକ୍ଷା ଓ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହି ଅଭିଯୋଗ ଆଧାରରେ ଉଚ୍ଚଶିକ୍ଷା ବିଭାଗର ଭୁବନେଶ୍ୱର ଆଞ୍ଚଳିକ ନିର୍ଦ୍ଦେଶାଳୟ ଉପନିର୍ଦ୍ଦେଶକ ଗତ ୨୪ ତାରିଖରେ ୧୦ ଦିନ ମଧ୍ୟରେ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରଦାନ କରିବାକୁ କଲେଜ ଅଧ୍ୟକ୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗ ଅନୁସାରେ ୧୯୯୭ ମସିହାରେ ମୀରାଦେବୀ ସଂସ୍କୃତ କଲେଜ ପ୍ରତିଷ୍ଠା ହୋଇଛି। ଛାତ୍ରୀଛାତ୍ରମାନଙ୍କ ଆଡ୍‌ମିଶନ ସମୟରେ ଯୁକ୍ତ୨ରେ ସର୍ବନିମ୍ନ ୮ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ଆଦାୟ କରାଯାଉଛି। କୌଣସି ପିଲାଙ୍କୁ ରସିଦ ଦିଆଯାଉନାହିଁ। ଯଦି କୌଣସି ଛାତ୍ରୀଛାତ୍ର ରସିଦ ମାଗନ୍ତି, ପରୀକ୍ଷାରେ ଫେଲ କରିଦେବୁ ବୋଲି ଧମକ ଦିଆଯାଉଛି। ଏହାସହ ଯୁକ୍ତ୨ ପରୀକ୍ଷା ସମୟରେ ୪୦୦ରୁ ୫୦୦ ଟଙ୍କା ଏବଂ ବାର୍ଷିକ ପରୀକ୍ଷା ସମୟରେ କେନ୍ଦ୍ରରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବିନା ରସିଦରେ ଆଦାୟ କରାଯାଉଛି। ଶିକ୍ଷାନୀତିରେ ପୂଜାପାର୍ବଣରେ ଚାନ୍ଦା ଆଦାୟ କରିବାର ନିୟମ ନ ଥାଇ ମଧ୍ୟ ପ୍ରତ୍ୟେକ ପିଲାଙ୍କଠାରୁ ୨୦୦ ଟଙ୍କା ଲେଖାଏ ଆଦାୟ ହେଉଛି। ସବୁଠୁ ବଡ଼ ଅଭିଯୋଗ ହେଲା, କେତେଜଣ ଛାତ୍ର ବାହାରେ ଚାକିରି କରୁଥିବାବେଳେ ଏହି କଲେଜରେ ରେଗୁଲାର କୋର୍ସ କରୁଛନ୍ତି। ସେମାନଙ୍କଠାରୁ ପ୍ରାୟ ୧୫ରୁ ୨୦ ହଜାର ଟଙ୍କା ଲେଖାଏ ଆଦାୟ କରାଯାଇ ମିଥ୍ୟା ଶ୍ରେଣୀ ଉପସ୍ଥାନ ଦର୍ଶାଯାଉଛି। ଅଭିଯୋଗରେ କଟକ ସିଟି ହସ୍ପିଟାଲରେ କାର୍ଯ୍ୟରତ ୨ ଜଣ ଛାତ୍ରଙ୍କ ନାମ ଉଦାହରଣ ଭାବେ ଦର୍ଶାଯାଇଛି। ଛାତ୍ରୀଛାତ୍ରମାନଙ୍କଠାରୁ ଆଦାୟ ହେଉଥିବା ଟଙ୍କା କଲେଜ ଆକାଉଣ୍ଟକୁ ଯାଉନାହିଁ ବୋଲି ସ୍ଥାନୀୟ ବାସିନ୍ଦା କପିଳେଶ୍ୱର ପାଲ, ଅକ୍ଷୟ କୁମାର ପାଲ, ମଞ୍ଜୁଲତା ପାଲ, ସୁଦର୍ଶନ ପାଲ, କ୍ଷୀରୋଦ ପାତ୍ର, ଶ୍ରୀଧର ବେହେରା ପ୍ରମୁଖଙ୍କ ପକ୍ଷରୁ ସ୍ବାକ୍ଷର ସମ୍ବଳିତ ଅଭିଯୋଗ ପତ୍ର ବିଭାଗୀୟ ମନ୍ତ୍ରୀ ଓ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଛି। ଏହିସବୁ ଅଭିଯୋଗ ସମ୍ପର୍କରେ କଲେଜ ଅଧ୍ୟକ୍ଷାଙ୍କୁ ରିପୋର୍ଟ ମଗାଯାଇଥିବାବେଳେ ସେଥିରେ ଅଭିଯୋଗକାରୀମାନେ ସନ୍ତୁଷ୍ଟ ନାହାନ୍ତି। କଲେଜ କର୍ମଚାରୀ କିମ୍ବା କଲେଜ ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାଦ୍‌ ଦେଇ ଅନ୍ୟ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରିବାକୁ ଅଭିଯୋଗକାରୀମାନେ ଦାବି କରିଛନ୍ତି।

The post ସଂସ୍କୃତ କଲେଜରେ ଚାକିରିଆ ଛାତ୍ର appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ...