Skip to main content

ବ୍ୟୟମଞ୍ଜୁରୀ ବିଲ୍‌ ଗୃହୀତ

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ):ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭା ଶୀତକାଳୀନ ଅଧିବେଶନରେ ରବିବାର ବ୍ୟୟମଞ୍ଜୁରୀ ବିଲ୍‌ ଗୃହୀତ ହୋଇଛି। ପୂର୍ବାହ୍ନ ଅଧିବେଶନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ୨୦୨୦-୨୧ ବର୍ଷ ପାଇଁ ୧୧,୭୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ ଆଗତ କରିଥିଲେ। ଗୃହର ମଞ୍ଜୁରୀ ମିଳିଲେ ଏହି ଅର୍ଥ କୋଭିଡ୍‌ ପରିଚାଳନା ସମେତ ବିଭିନ୍ନ ଜନକଲ୍ୟାଣ ଓ ଉନ୍ନୟନମୂଳକ କାର୍ଯ୍ୟପାଇଁ ବିନିଯୋଗ କରାଯିବ ବୋଲି ମନ୍ତ୍ରୀ କହିଥିଲେ। କୋଭିଡ୍‌-୧୯ର ପ୍ରଭାବ ପୂର୍ବରୁ ରାଜ୍ୟରେ ଚଳିତ ଆର୍ଥିକବର୍ଷ ପାଇଁ ମୂଳ ବଜେଟ ପ୍ରସ୍ତୁତ କରାଯାଇଥିଲା। ବଜେଟରେ ବିଭିନ୍ନ ବିଭାଗର ଭିତ୍ତିଭୂମି ବିକାଶ ଜରିଆରେ ନୂତନ ଓଡ଼ିଶା ଗଠନର ଆଭିମୁଖ୍ୟ ରହିଥିଲା। ମାତ୍ର କୋଭିଡ୍‌-୧୯ ଲାଗି ଲୋକଙ୍କ ଜୀବନ ଜୀବିକାର ସୁରକ୍ଷା ନିମନ୍ତେ ଚଳିତ ଆର୍ଥିକବର୍ଷର ପ୍ରାଥମିକତାକୁ ସଂଶୋଧନ କରିବାକୁ ପଡ଼ିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ମହାମାରୀକୁ ଆଖିଆଗରେ ରଖି ଅତିରିକ୍ତ ବଜେଟରେ ‘ଆବଣ୍ଟନର ପୁନଃ ପ୍ରାଥମିକତା’ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିରେ ସ୍ବାସ୍ଥ୍ୟ, ଖାଦ୍ୟ ଓ ସାମାଜିକ ସୁରକ୍ଷା, ଜୀବିକା, ରୋଜଗାର ସୃଷ୍ଟି ସମ୍ବନ୍ଧୀୟ କୋଭିଡ୍‌ ପରିଚାଳନା ଉପରେ ଫୋକସ୍‌ ରହିଛି। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କୋଭିଡ୍‌ ଯୋଦ୍ଧା ପ୍ୟାକେଜ୍‌, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ର, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ମିଶନ ଶକ୍ତି ଇତ୍ୟାଦିକୁ ସମ୍ପୂର୍ଣ୍ଣ ଭାବେ ପାଣ୍ଠି ପ୍ରଦାନ କରାଯାଇଛି। ଏହି ଅତିରିକ୍ତ ବଜେଟର ଆକାର ମୂଳ ବଜେଟର ୭.୫%। ସମୁଦାୟ ଅତିରିକ୍ତ ବଜେଟର ୬୬.୩୫% କାର୍ଯ୍ୟକ୍ରମ ବ୍ୟୟ ତଥା ସାମାଜିକ ଓ ଅର୍ଥନୈତିକ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ମୋଟ ୭,୪୩୮ କୋଟି ଟଙ୍କାର କାର୍ଯ୍ୟକ୍ରମ ବ୍ୟୟ ବରାଦରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୧,୬୨୭ କୋଟି, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପାଇଁ ୨,୦୪୧ କୋଟି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପାଇଁ ୧,୦୭୭ କୋଟି, ଭିତ୍ତିଭୂମି କ୍ଷେତ୍ର ପାଇଁ ୧,୬୦୩ କୋଟି, ଶିକ୍ଷା, କ୍ରୀଡ଼ା ଏବଂ ଦକ୍ଷତା ବିକାଶ ପାଇଁ ୫୮୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। କରୋନା ପ୍ରଭାବ ସତ୍ତ୍ୱେ ଚଳିତବର୍ଷ ସେପ୍ଟେମ୍ବର ଶେଷସୁଦ୍ଧା ରାଜ୍ୟର ନିଜସ୍ବ ରାଜସ୍ବ ସଂଗ୍ରହ ଗତବର୍ଷ ସେପ୍ଟେମ୍ବର ସୁଦ୍ଧା ଆଦାୟ ରାଜସ୍ବ ତୁଳନାରେ ୧.୭% ଅଧିକ ରହିଛି। ଅଧିକ ରାଜସ୍ବ ଆଦାୟ ଏବଂ ଋଣ ଉପରେ ନିର୍ଭରଶୀଳତା କମ୍‌ କରିବା ପାଇଁ ରାଜ୍ୟ ସରକାର ବକେୟା ରାଜସ୍ବ ଆଦାୟ ଏବଂ ସମ୍ବଳ ପ୍ରତ୍ୟାବର୍ତ୍ତନ ଉପରେ ଗୁରୁତ୍ୱ ଦେଉଛନ୍ତି। ୨୦୨୦ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ରାଜସ୍ବ ବଳକା ୬,୭୯୦ କୋଟି ଟଙ୍କା ରହିଛି। ତେଣୁ ସମ୍ବଳ ସଂଗ୍ରହ ନେଇ ସଦସ୍ୟମାନେ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ କହିଥିଲେ। ତେବେ କେନ୍ଦ୍ରୀୟ ଅନୁଦାନ ଏବଂ କେନ୍ଦ୍ର ଟିକସରେ ରାଜ୍ୟ ଅଂଶ ପ୍ରାପ୍ତିରେ ହ୍ରାସ ହେବା ଆମ ପାଇଁ ଚିନ୍ତାର ବିଷୟ ବୋଲି ପୂଜାରୀ କହିଛନ୍ତି। ଅତିରିକ୍ତ ବଜେଟରେ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା ସହିତ ମୁୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କୋଭିଡ୍‌-୧୯ ପାଇଁ ଘୋଷିତ ପ୍ୟାକେଜ୍‌ ଏବଂ ଅନ୍ୟ ପ୍ରାଥମିକତା କ୍ଷେତ୍ରଗୁଡ଼ିକୁ ପ୍ରାଧାନ୍ୟ ଦିଆଯାଉଥିବା ସେ କହିଥିଲେ।
ବିଲ୍‌କୁ ବିରୋଧ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦୁର୍ନୀତିଗ୍ରସ୍ତ ସରକାରଙ୍କ ହାତରେ ଟ୍ରେଜେରି ଚାବିକାଠି ଦିଆଯାଇପାରିବ ନାହିଁ ବୋଲି କହିଥିଲେ। ୯ଟି ଖଣି ମାଲିକ ୩ବର୍ଷରେ ୩୬୦୦ କୋଟିରୁ ଅଧିକ ଟଙ୍କା ଲୁଟିଛନ୍ତି। ଖଣିଜଭରା ଜମି ଉପରେ ସରକାର ଟିକସ ନେଉ ନ ଥିବାରୁ ରାଜ୍ୟ ରାଜକୋଷକୁ ୪୦ ହଜାର କୋଟି ଟଙ୍କା କ୍ଷତି ହୋଇଛି। ଖଣି ମାଫିଆଙ୍କୁ ସମର୍ଥନ କରି ରାଜ୍ୟ ସରକାର ଭୁଲ୍‌ ବିଲ୍‌ ପାସ୍‌ କରିବା ଦ୍ୱାରା ରାଜ୍ୟ ରାଜକୋଷରୁ ଅର୍ଥହାନି ହେଉଛି। ଖଣି ମାଫିଆଙ୍କ ସରକାର ଚାଲିଛି ବୋଲି ନରସିଂହ କହିଥିଲେ। ଏହାସହ ସେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌କୁ ବିରୋଧ କରିଥିଲେ। ସେହିଭଳି କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌କୁ ବିରୋଧ କରି କହିଥିଲେ, ସରକାରଙ୍କର ଅଧିକ ଟଙ୍କା ଦୁର୍ନୀତିରେ ଯାଉଛି। ରାଜ୍ୟ ସରକାର ନିଜ ସ୍ବାର୍ଥ ପାଇଁ ଏଭଳି ଅତିରିକ୍ତ ବଜେଟ ଆଣିଛନ୍ତି। ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଓ ପିସି କାରବାର ଚାଲିଛି। ଗରିବ ଲୋକମାନେ ଟଙ୍କାଟିଏ ବି ପାଉନାହାନ୍ତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବିଲ୍‌କୁ ବିରୋଧ କରି ପଞ୍ଚାୟତସ୍ତରରେ ଦୁର୍ନୀତି ଏବେ ଚରମସୀମାରେ ପହଞ୍ଚତ୍ଥିବା କହିଥିଲେ। ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏହି ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌କୁ ସମର୍ଥନ କରିଥିଲେ। କୋଭିଡ୍‌ ପରିଚାଳନାରେ ଓଡ଼ିଶା ମଡେଲ ରାଜ୍ୟ ସାଜିଛି। ରାଜ୍ୟରେ ମହାବାତ୍ୟା ଫନୀର ସଫଳ ମୁକାବିଲା କରାଯାଇଛି। ରାଜ୍ୟ ସରକାର ଆର୍ଥିକ ବ୍ୟବସ୍ଥାର ସୁପରିଚାଳନା କରୁଥିବା ସେ କହିଥିଲେ। ସେହିଭଳି ବିଜେଡି ସଦସ୍ୟା ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ବିଲ୍‌ ସମର୍ଥନରେ ମତ ରଖିଥିଲେ।
ଏପଟେ ନରସିଂହ ମିଶ୍ରଙ୍କ ଖଣି ଦୁର୍ନୀତି ପ୍ରସଙ୍ଗରେ ଉତ୍ତର ରଖି ଅର୍ଥମନ୍ତ୍ରୀ କହିଥିଲେ, ୯ଟି ଖଣିରେ ବେଆଇନ ଉତ୍ତୋଳନ ମାମଲା ଏବେ ଲୋକାୟୁକ୍ତଙ୍କ ବିଚାରାଧୀନ ରହିଛି। ରାଜ୍ୟ ସରକାର ଏ ବାବଦକୁ ଲୋକାୟୁକ୍ତଙ୍କ ନିକଟରେ ପକ୍ଷ ରଖିସାରିଛନ୍ତି। ମାମଲାର ରାୟ ପାଇଁ ଲୋକାୟୁକ୍ତଙ୍କ ଆଦେଶକୁ ଅପେକ୍ଷା କରିବାକୁ ପଡ଼ିବ। ତେବେ ମିନେରାଲ୍‌ ବିୟରିଂ ଲ୍ୟାଣ୍ଡ୍‌ ଟାକ୍ସ ବାବଦକୁ କଂଗ୍ରେସ ବିଧାୟକ ଦଳ ନେତା ଦେଇଥିବା ମତାମତକୁ ବିଚାର କରି ଉପଯୁକ୍ତ ପଦକ୍ଷେପ ନେବାକୁ ଇସ୍ପାତ ଏବଂ ଖଣି ମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ। ଅର୍ଥମନ୍ତ୍ରୀ ପୂଜାରୀ ଉତ୍ତର ରଖିବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବାଚନିକ ଭୋଟ୍‌ ମାଧ୍ୟମରେ ଗୃହରେ ବ୍ୟୟମଞ୍ଜୁରୀ ବିଲ୍‌ ପାରିତ କରାଇଥିଲେ। ତେବେ ଭାଜପା ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିବାବେଳେ ବ୍ୟୟମଞ୍ଜୁରୀ ଆଲୋଚନାରେ ଅଂଶଗ୍ରହଣ କରି ନ ଥିଲେ।

The post ବ୍ୟୟମଞ୍ଜୁରୀ ବିଲ୍‌ ଗୃହୀତ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...