Skip to main content

ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ

ପ୍ୟାରିସ୍‌,୩୦ା୧୦:୪ ବର୍ଷ ୩ ମାସ ବ୍ୟବଧାନରେ ପୁଣି ଥରେ ଆତଙ୍କରେ ଥରି ଉଠିଛି ଫ୍ରାନ୍ସର ପର୍ଯ୍ୟଟନ ନଗରୀ ନିସ୍‌। ସହରସ୍ଥିତ ଏକ ଚର୍ଚ୍ଚରେ ଗୁରୁବାର ଜଣେ ଆତଙ୍କବାଦୀ ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସେ ଛୁରାମାଡ଼ କରି ଦୁଇଜଣଙ୍କୁ ମାରିଦେବା ପରେ ଜଣେ ମହିଳାଙ୍କ ମୁଣ୍ଡ କାଟିଦେଇଛନ୍ତି। ଆକ୍ରମଣରେ ଅନେକେ ଆହତ ମଧ୍ୟ ହୋଇଛନ୍ତି। ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରି ପଚରାଉଚରା କରୁଛି। ନିସ୍‌ ମେୟର ଖ୍ରୀଷ୍ଟିଆନ ଏଷ୍ଟ୍ରୋସି ଟୁଇଟ୍‌ କରି କହିଛନ୍ତି, ଆକ୍ରମଣକାରୀଙ୍କୁ କାବୁ କରାଯିବା ବେଳେ ସେ ବାରମ୍ବାର ଚିତ୍କାର କରୁଥିଲେ ‘ଆଲ୍ଲାହୁ ଆକବର’। ସମ୍ପୃକ୍ତ ଅଞ୍ଚଳକୁ ସୁରକ୍ଷା ବଳ ଘେରି ରହିଥିବାବେଳେ ଆତଙ୍କବାଦ ନିରୋଧୀ ତଦନ୍ତକାରୀ ସଂସ୍ଥାଗୁଡ଼ିକ ତତ୍ପରତା ସହ ତନାଘନା ଚଳାଇଛନ୍ତି। ପ୍ରସିଦ୍ଧ ବ୍ୟଙ୍ଗ ପତ୍ରିକା ଶାର୍ଲି ଏବ୍‌ଦୋରେ ପ୍ରୋଫେଟ୍‌ ମହମ୍ମଦଙ୍କ କାର୍ଟୁନ ଓ ତୁର୍କୀ ରାଷ୍ଟ୍ରପତି ରେସେପ ତୈୟପ ଏର୍ଡୋଗାନଙ୍କ ବ୍ୟଙ୍ଗ ଚିତ୍ର ପ୍ରକାଶ ପାଇବା ପରେ ମୁସ୍‌ଲିମ ରାଷ୍ଟ୍ରଗୁଡ଼ିକ ମୁହଁାମୁହିଁ ଅବସ୍ଥାରେ ଥିବା ଫ୍ରାନ୍ସ ଏହି ଘାତକ ଆକ୍ରମଣକୁ ନେଇ ସ୍ତବ୍ଧ ହୋଇଯାଇଛି। ଆକ୍ରମଣ ପରେ ଫ୍ରାନ୍ସରେ ହାଇ ଆଲର୍ଟ ଜାରି କରାଯାଇଛି।
ଭୂମଧ୍ୟସାଗରୀୟ ସହର ନିସ୍‌ ଏହାର ବିସ୍ତୃତ ବେଳାଭୂମି ଓ ଶାନ୍ତ ପରିବେଶ ପାଇଁ ଖ୍ୟାତି ଅର୍ଜନ କରିଛି। ଏହାର ପ୍ରାକୃତିକ ଦୃଶ୍ୟରାଜି ପ୍ରତ୍ୟହ ଅଗଣିତ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। କରୋନା ସଂକ୍ରମଣ ସହ ଜୁଝୁଥିବା ନିସ୍‌ ସହରର ମୁଖ୍ୟ ଶପିଂ ଅଞ୍ଚଳ ଜିନ୍‌ ମେଡିସିନ ଭେନ୍ୟୁରେ ଗୁରୁବାର ସକାଳେ ଘଟିଛି ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ। ନୋର୍ଟେ ଡେମ୍‌ ଚର୍ଚ୍ଚରେ ଶ୍ରଦ୍ଧାଳୁମାନେ ପ୍ରାର୍ଥନା ପାଇଁ ରୁଣ୍ଡ ହେଉଥିବାବେଳେ ହଠାତ୍‌ ଜଣେ ଆତଙ୍କବାଦୀ ଧସେଇ ପଶିଥିଲେ। ସେ ଅବିଚାରିତ ଭାବେ ଯାହାକୁ ପାଇଲେ ଛୁରାମାଡ଼ କରିଚାଲିଥିଲେ। ଛୁରାମାଡ଼ରେ ଚର୍ଚ୍ଚର ଓ୍ବାଡେନ ଓ ଅନ୍ୟ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ପରେ ସେ ଆଉ ଜଣେ ମହିଳାଙ୍କ ମୁଣ୍ଡକାଟ କରି ହତ୍ୟା କରିଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ଅନେକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୁରକ୍ଷା ବଳର ଜବାବୀ କାର୍ଯ୍ୟାନୁଷ୍ଠାନ ବେଳେ ଆକ୍ରମଣକାରୀ ମଧ୍ୟ ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣ ପଛର ଉଦ୍ଦେଶ୍ୟ ଜଣାପଡ଼ିନାହିଁ। ପୋଲିସ ତାଙ୍କୁ ଚିକିତ୍ସା କରାଇବା ପରେ ଜେରା କରୁଛି। ଏହି ଆକ୍ରମଣରେ ଅନ୍ୟ କେହି ସାମିଲ ନ ଥିବା ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ ସୂଚନା ଦେଇଛି। ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କବାଦୀ ସଙ୍ଗଠନ ଏଥିପାଇଁ ନିଜକୁ ଦାୟୀ କରିନାହିଁ। ସ୍ବୟଂଚାଳିତ ଅସ୍ତ୍ରଧାରୀ ପୋଲିସ ଚର୍ଚ୍ଚ ଓ ଏହାର ଆଖପାଖ ଅଞ୍ଚଳକୁ କର୍ଡନ କରିଛି।
ଘଟଣା ପରେ ପାର୍ଲାମେଣ୍ଟର ନିମ୍ନ ସଦନରେ କରୋନା ଭାଇରସ୍‌କୁ ନେଇ ନୂଆ କଟକଣା ସମ୍ପର୍କରେ ହେବାକୁ ଥିବା ବିତର୍କକୁ ସ୍ଥଗିତ ରଖାଯାଇଥିଲା। ସେଠାରେ ମୃତକଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଜିନ୍‌ କାଷ୍ଟେକ୍ସ କହିଛନ୍ତି, ଫ୍ରାନ୍ସ ପ୍ରତି ବିପଦ ବଢ଼ିଯାଇଛି। ଏଥିପାଇଁ ସବୁ ସ୍ତରରେ ସତର୍କତା ଜରୁରୀ ହୋଇପଡ଼ିଛି। ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ଏକ ଜରୁରୀ ବୈଠକ ପରେ ଆକ୍ରମଣସ୍ଥଳ ପରିଦର୍ଶନ କରିଛନ୍ତି।
ପ୍ରକାଶଯୋଗ୍ୟ, ଅକ୍ଟୋବର ୧୬ରେ ଶାର୍ଲି ଏବ୍‌ଦୋ ପତ୍ରିକାରେ ପ୍ରକାଶିତ ପ୍ରୋଫେଟ୍‌ ମହମ୍ମଦଙ୍କ ଏକ କାର୍ଟୁନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ସାମୁଏଲ ପେଟି(୪୭) ନାମକ ଜଣେ ଶିକ୍ଷକ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ଅଭିବ୍ୟକ୍ତିର ସ୍ବାଧୀନତା ସମ୍ପର୍କରେ ବୁଝାଇବାକୁ ଯାଇ ଉକ୍ତ କାର୍ଟୁନ ଦେଖାଇଥିଲେ। ଏହାକୁ ନେଇ ୧୮ ବର୍ଷୀୟ ଇସ୍‌ଲିକ୍‌ ଶରଣାର୍ଥୀ ଅବ୍‌ଦୁଲ୍ଲା ଅଂରୋଜ ତାଙ୍କ ମୁଣ୍ଡ କାଟି ଦେଇଥିଲେ। ଏହାର ଦୁଇ ସପ୍ତାହ ନ ପୂରୁଣୁ ଉକ୍ତ ପତ୍ରିକାର ପ୍ରଚ୍ଛଦ ପୃଷ୍ଟାରେ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନଙ୍କୁ କଟାକ୍ଷ କରାଯାଇଥିଲା। ଏହାକୁ ନେଇ ଫ୍ରାନ୍ସ ସହିତ ମୁସଲିମ ରାଷ୍ଟ୍ରଗୁଡ଼ିକ ମୁହଁାମୁହିଁ ହୋଇଛନ୍ତି। ଏଭଳି ସମୟରେ ଆତଙ୍କବାଦୀ ଆକ୍ରମଣ ପଛର କାରଣ ଜାଣିବା ପାଇଁ ସୁରକ୍ଷା ସଂସ୍ଥାଗୁଡ଼ିକ ତତ୍ପର ହୋଇଉଠିଛନ୍ତି।
ନିସ୍‌ ସହରରେ ଏହା ପ୍ରଥମ ଆକ୍ରମଣ ନୁହେଁ। ପୂର୍ବରୁ ୨୦୧୬ ଜୁଲାଇ ୧୪ ରାତିରେ ବାସ୍ତିଲ ଡେ’ ପାଳନ ବେଳେ ଜଣେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ଟ୍ରକ୍‌ରେ ଚପାଇ ୮୬ ଜଣଙ୍କୁ ହତ୍ୟା କରିଥିଲେ। ଏହି ଅତର୍କିତ ଆକ୍ରମଣରେ ୪୫୮ ଜଣ ଆହତ ହୋଇଥିଲେ। ଶେଷରେ ୩୧ ବର୍ଷୀୟ ଆତଙ୍କବାଦୀ ଟ୍ୟୁନିସିଆ ବଂଶୋଦ୍ଭବ ମହମ୍ମଦ ଲାହ୍ବେଜ୍‌ ବୁହ୍‌ଲେଲ୍‌ ସୁରକ୍ଷା ବଳର ଜବାବୀ କାର୍ଯ୍ୟାନୁଷ୍ଠାନରେ ଟଳି ପଡ଼ିଥିଲେ। ସଂଯୋଗବଶତଃ ସେହିଦିନ ମଧ୍ୟ ଗୁରୁବାର ଥିଲା।

The post ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...