ନୂଆଦିଲ୍ଲୀ :ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡଆ (ଆର୍ବିଆଇ) ପକ୍ଷରୁ ଏହାର ଦ୍ୱିମାସିକ ମୁଦ୍ରାନୀତି କମିଟି (ଏମ୍ପିସି) ବୈଠକ ଚଳିତ ମାସ ୨୯ ତାରିଖଠାରୁ ଅନୁଷ୍ଠିତ ହେବ ନେଇ ସମୟ ଧାର୍ଯ୍ୟ ହୋଇଥିଲା। ଏହାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ଅକ୍ଟୋବର ପହିଲାରେ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ସମ୍ପର୍କରେ ଘୋଷଣା କରିବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା। କେଉଁ କାରଣ ଯୋଗୁ ବୈଠକ ସ୍ଥଗିତ ରଖାଗଲା ସେ ନେଇ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ ଭାବେ କିଛି କୁହାଯାଇନାହିଁ। ଆଗାମୀ ବୈଠକର ନୂଆ ତାରିଖ ଶୀଘ୍ର ଘୋଷଣା ହେବ ବୋଲି ଜଣାପଡିଛି। ସୂଚନା ମୁତାବକ ଚଳିତ ଥର ରିଜର୍ଭ ବ୍ୟାଙ୍କ ଏହାର ରେପୋ ହାରରେ କୌଣସି ପରିବର୍ତ୍ତନ କରିବ ନାହିଁ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହା ପୂର୍ବର ଏମ୍ପିସି ବୈଠକରେ ରିଜର୍ଭ ବ୍ୟାଙ୍କ ସୁଧହାରରେ କୌଣସି ପରିବର୍ତ୍ତନ କରି ନ ଥିଲା। ମୁଦ୍ରାସ୍ଫୀତି ଉଚ୍ଚରେ ରହିବା ଯୋଗୁ ଏହାକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାରରେ କୌଣସି ପରିବର୍ତ୍ତନ କରି ନ ଥିଲେ। ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୬.୬୯% ରହିଥିଲା। ଜୁଲାଇ ମାସରେ ଏହା ୬.୭୩% ସ୍ତରରେ ରହିଥିଲା। ସୂଚନାଯୋଗ୍ୟ, ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ଫେବୃୟାରୀଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରେପୋରେ ୧.୧୫% ହ୍ରାସ କରି ସାରିଛି।
The post ଆର୍ବିଆଇ ଏମ୍ପିସି ବୈଠକ ସ୍ଥଗିତ appeared first on Dharitri Odia News.