Skip to main content

ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଆଦିବାସୀ

ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ

 

ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଆଦିବାସୀମାନଙ୍କର ଏକ ଗୌରବମୟ ଭୂମିକା ରହିଛି। ଇଂରେଜ ଶାସନ ବିରୋଧରେ ଆଦିବାସୀମାନଙ୍କର ପ୍ରଥମ ସଂଗ୍ରାମ ଦେଖାଦେଇଥିଲା ଗଞ୍ଜାମର ଘୁମୁସର ଅଞ୍ଚଳରେ। ଇଂରେଜ କର୍ତ୍ତୃପକ୍ଷ ଘୁମୁସର ରାଜ୍ୟ ଉପରେ ମାତ୍ରାଧିକ କର ଧାଯର୍‌ୟ କରିବାରୁ ବିଦ୍ରୋହ ଆରମ୍ଭ ହୋଇଥିଲା। ଘୁମୁସରର ରାଜା କୃଷ୍ଣଭଞ୍ଜଙ୍କ ସହିତ ସାମିଲ ହୋଇ ୧୭୬୮ ମସିହାରେ ଆଦିବାସୀମାନେ ଇଂରେଜ ଶାସନ ବିରୋଧରେ ସଂଗ୍ରାମ କରି ପ୍ରାଣବଳି ଦେଇଥିଲେ।
ସେହିପରି ପାରଳାଖେମୁଣ୍ଡିର ରାଜା ନାରାୟଣ ଦେବ ୧୭୬୮ ମସିହାରେ ଆଦିବାସୀ ପ୍ରଜାମାନଙ୍କ ସମର୍ଥନ ପାଇ ଇଂରେଜଶକ୍ତି ବିରୋଧରେ ଲଢିଥିଲେ ।
ଜାଲମୁରାଠାରେ ଘଟିଥିବା ସଂଘର୍ଷରେ ୩୦ ଜଣ ଆଦିବାସୀ ସଂଗ୍ରାମୀ ଆତ୍ମବଳି ଦେଇଥିଲେ।
ଇଂରେଜ ଶକ୍ତି ବିରୋଧରେ ସେହି ବିଦ୍ରୋହ ସାମୟିକଭାବେ ପ୍ରଶମିତ ହୋଇଯାଇଥିଲା। ଏହି ବିଦ୍ରୋହରେ ପାରଳାଖେମୁଣ୍ଡିର ମହାରାଣୀ ପାଟ ମହାଦେବୀ ଆଦିବାସୀମାନଙ୍କ ସହାୟତାରେ ଇଂରେଜ ଶକ୍ତି ବିରୋଧରେ ଲଢିଥିଲେ। ଘୁମୁସର ପରବର୍ତ୍ତୀ ରାଜା ବିକ୍ରମ ଭଞ୍ଜଙ୍କ ନେତୃତ୍ୱରେ ମଧ୍ୟ ଆଦିବାସୀମାନେ ବ୍ରିଟିଶ ଶାସନକୁ ବିରୋଧ କରିଥିଲେ ।
ଘୁମୁସର ଓ ପାରଳାଖେମୁଣ୍ଡିର ଆଦିବାସୀ ବିଦ୍ରୋହ ବ୍ରିଟିଶ ଶାସନକୁ ଏପରି ବିପର୍ଯ୍ୟସ୍ତ କରିଦେଲା ଯେ, ଇଂରେଜ ସରକାର ଏହି ଅଞ୍ଚଳକୁ ଶେଷରେ ‘ପରିତ୍ୟକ୍ତ ଅଞ୍ଚଳ’ ବୋଲି ଘୋଷଣା କରିଥିଲେ।
ଇଂରେଜ ଶାସନ ବିରୋଧରେ ୧୮୧୭ ମସିହାରେ ଏକ ଭୟାନକ ବିଦ୍ରୋହର ସୂତ୍ରପାତ ହୋଇଥିଲା। ଏହା ପାଇକ ବିଦ୍ରୋହ ନାମରେ ଖ୍ୟାତ। ଏହି ବିଦ୍ରୋହ ଆରମ୍ଭ ହୋଇଥିଲା, ଯେତେବେଳେ ଘୁମୁସରରୁ ପ୍ରାୟ ଚାରିଶହ କନ୍ଧ ଇଂରେଜମାନଙ୍କ ବିରୋଧରେ ମେଳି କରି ବାଣପୁରରେ ପହଞ୍ଚିଥିଲେ। ସେମାନେ ସେଠାରେ ଥିବା ଥାନା, କୋଷାଗାର ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଆକ୍ରମଣ କରି ସରକାରୀ ଧନସମ୍ପତ୍ତି ଲୁଟ୍‌ କରିନେଇଥିଲେ । ଅନେକ ସରକାରୀ କର୍ମଚାରୀ ଏହି ସଂଘର୍ଷରେ ମୃତାହତ ହୋଇଥିଲେ। ଏହି ଠୁ ହିଁ ପାଇକ ବିଦ୍ରୋହର ସୂତ୍ରପାତ ହୋଇଥିଲା।
ଘୁମୁସର ରାଜ୍ୟରେ ଯେତେବେଳେ ଲୋକପ୍ରିୟ ରାଜା ଧନଞ୍ଜୟ ଭଞ୍ଜଙ୍କୁ ବ୍ରିଟିଶ ସରକାର ଗାଦିଚ୍ୟୁତ କରିବାକୁ ପ୍ରୟାସ କଲେ, ସେତେବେଳେ ୧୮୩୭ ମସିହାରେ କନ୍ଧବୀର ଡୋରା ବିଶୋୟୀ କନ୍ଧମାନଙ୍କୁ ଏକଜୁଟ କରି ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ ଆରମ୍ଭ କଲେ। ଶେଷରେ ସେ ଧରାପଡି କାରାଦଣ୍ଡ ଭୋଗ କଲେ । ୧୮୪୬ ମସିହାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଘୁମୁସରର ଅନ୍ୟଜଣେ ଆଦିବାସୀ ବୀରପୁତ୍ର ଥିଲେ ଚକରା ବିଶୋୟୀ। ଇଂରେଜ ଶାସନ ବିରୋଧରେ ପ୍ରଜା ଅସନ୍ତୋଷର ନେତୃତ୍ୱ ନେଇ ୧୮୪୬ରୁ ୧୮୫୬ ମସିହା ପର୍ଯ୍ୟନ୍ତ ଦୀର୍ଘ ଦଶବର୍ଷ ଧରି ସେ ସଂଗ୍ରାମ କରିଥିଲେ। ୧୮୫୫ ମସିହାରେ ଇଂରେଜ ସରକାରଙ୍କ ବିରୋଧରେ ସାନ୍ତାଳମାନେ ସଂଗ୍ରାମ କରିଥିଲେ।
ଏହା ବଙ୍ଗଳା, ବିହାର ଓ ଓଡିଶାର ସାନ୍ତାଳ ବସବାସ କରୁଥିବା ଅଞ୍ଚଳରେ ସୀମିତ ଥିଲା।
ବିଦ୍ରୋହୀ ସାନ୍ତାଳମାନଙ୍କ ନେତୃତ୍ୱ ନେଇଥିଲେ ଚାରିଜଣ ଭାଇ ସେମାନେ ଥିଲେ ସିନୋ ମୁର୍ମୁ, କାହ୍ନୁ ମୁର୍ମୁ, ଚାନ୍ଦ ମୁର୍ମୁ ଓ ଭାଇ ମୁର୍ମୁ। ଏହି ବିଦ୍ରୋହକୁ ଦମନ କରାଯାଇ ପାରିଥିଲେ ମଧ୍ୟ ଇଂରେଜ ବିରୋଧୀ ସଂଗ୍ରାମର ଏହା ଥିଲା ଏକ ଅଭୁଲା ଅଧ୍ୟାୟ।
୧୮୫୭ ମସିହାରେ ସଂଘଟିତ ହୋଇଥିଲା ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସର ଏକ ଯୁକାନ୍ତକାରୀ ଅଧ୍ୟାୟ। ଓଡିଶାର ସମ୍ବଲପୁର ଅଞ୍ଚଳରେ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ଯେତେବେଳେ ଇଂରେଜ ବିରୋଧୀ ସଂଗ୍ରାମ ଆରମ୍ଭ ହେଲା, ସେତେବେଳେ କୋହ୍ଲ, ଗଣ୍ଡ, ବିଞ୍ଝାର, କନ୍ଧ ଓ ସାନ୍ତାଳ ଜାତିର ଆଦିବାସୀମାନେ ତାଙ୍କୁ ସାହାଯ୍ୟ ଓ ସମର୍ଥନ କରିଥିଲେ। ସେତେବେଳେ ଆଦିବାସୀମାନେ ପ୍ରଗାଢ ଦେଶପ୍ରେମର ପରିଚୟ ଦେଇଥିଲେ।
୧୮୬୮ ମସିହାରେ କେଉଁଝରର ଭୂୟାଁମାନେ ସେଠାକାର ଅତ୍ୟାଚାରୀ ରାଜା ଧନୁର୍ଜୟ ଭଞ୍ଜ ଓ ତାଙ୍କୁ ସମର୍ଥନ କରୁଥିବା ଇଂରେଜ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ସେମାନଙ୍କର ନେତୃତ୍ୱ ନେଇଥିଲେ ଭୂୟାଁ ବିଦ୍ରୋହୀ ରତ୍ନା ନାଏକ। ତାଙ୍କୁ ସମର୍ଥନ ଜଣାଇଥିଲେ ଭୂୟାଁ , କୋହ୍ଲ ଓ ଜୁଆଙ୍ଗ ଜାତିର ଆଦିବାସୀଗଣ। ବିଦ୍ରୋହକୁ ନିଷ୍ଠୁର ଭାବେ ଇଂରେଜ ସରକାର ଦମନ କରିଥିଲେ।
ରତ୍ନା ନାଏକ ଫାଶୀଦଣ୍ଡ ପାଇ ମାତୃଭୂମି ପାଇଁ ଶହୀଦ ହେଲେ।
ପୁଣିଥରେ ୧୮୯୧ ମସିହାରେ ଇଂରେଜ ସରକାରଙ୍କ ସମର୍ଥିତ ଅତ୍ୟାଚାରୀ ରାଜା ଧନୁର୍ଜୟ ଭଞ୍ଜଙ୍କ ବିରୋଧରେ କେଉଁଝରର ଭୂୟାଁ ଆଦିବାସୀମାନେ ବିଦ୍ରୋହ କରିଥିଲେ। ଭୂୟାଁମାନଙ୍କର ଏଥର ନେତୃତ୍ୱ ନେଇଥିଲେ ଧରଣୀଧର ଭୂୟାଁ । ଯଦିଓ ଏହି ବିଦ୍ରୋହ ପ୍ରଥମେ ଧନୁର୍ଜୟ ଭଞ୍ଜଙ୍କ ବିରୋଧରେ ଆରମ୍ଭ ହୋଇଥିଲା କିନ୍ତୁ ବାସ୍ତବପକ୍ଷେ ଏହା ବ୍ରିଟିଶ ଶାସନ ବିରୋଧରେ ହିଁ ଥିଲା। ଏହାକୁ ଦମନ କରିବା ପାଇଁ ଇଂରେଜ କର୍ତ୍ତୃପକ୍ଷ ନିଜ ସୈନ୍ୟବାହିନୀ ପ୍ରେରଣ କରିଥିଲେ। ଭୂୟାଁ ମାନଙ୍କର ଏହି ବିଦ୍ରୋହ ଶେଷରେ ବିଫଳ ହୋଇଥିଲେ ମଧ୍ୟ ବ୍ରିଟିଶ ସାମ୍ରାଜ୍ୟବାଦକୁ ଏହା ଏକ ଉଚିତ ଶିକ୍ଷା ଦେଇଥିଲା।
ବିଂଶ ଶତାବ୍ଦୀ ଆରମ୍ଭ ନ ହେଉଣୁ ଓଡ଼ିଶାର ସୁନ୍ଦରଗଡ଼ ଓ ସୀମାନ୍ତ ଅଞ୍ଚଳରେ ଆଉ ଗୋଟିଏ ଇଂରେଜ ବିରୋଧୀ ସଂଗ୍ରାମର ନେତୃତ୍ୱ ନେଇଥିଲେ ବିର୍ସା ମୁଣ୍ଡା। ବିପ୍ଳବୀ ବିର୍ସା ମୁଣ୍ଡାଙ୍କର ସେହି ମହାମନ୍ତ୍ର, ”ଆରେ ବାବୁ ଆରାଜ ଏତେ ଜାନା, ମହାରାଣୀ ରାଜ ତୁଣ୍ଡେ ଜାନା,“ ଯାହାର ଅର୍ଥ ହେଲା, ”ମହାରାଣୀଙ୍କ ଶାସନ ଲୋପ ପାଉ, ଆମ ରାଜ୍ୟ ପ୍ରତିଷ୍ଠା ହେଉ“। ୧୯୦୦ ମସିହା ଜାନୁୟାରୀ ମାସ ୯ ତାରିଖରେ ମୁଣ୍ଡାମାନେ ବିର୍ସା ମୁଣ୍ଡାଙ୍କ ନେତୃତ୍ୱରେ ଡୋମ୍ବାରୀ ପାହାଡ଼ ଉପରେ ଇଂରେଜମାନଙ୍କ ସହ ଯେପରି ଯୁଦ୍ଧ କରିଥିଲେ ତା’ର ପଟାନ୍ତର ନାହିଁ। ଶତାଧିକ ବିଦ୍ରୋହୀ, ଶିଶୁ ଓ ମହିଳା ବ୍ରିଟିଶ ଗୁଳିରେ ପ୍ରାଣ ହରାଇଥିଲେ। ବିର୍ସା ମୁଣ୍ଡାଙ୍କୁ ଗିରଫ କରି ଜେଲ ପଠାଗଲା, ଯେଉଁଠି ସେ ମୃତ୍ୟୁବରଣ କରିଥିଲେ।
୧୯୩୯ ମସିହାରେ ସୁନ୍ଦରଗଡ଼ ଜିଲା ଗାଙ୍ଗପୁର ଗଡ଼ଜାତ ରାଜ୍ୟରେ ଆଉ ଏକ ଇଂରେଜ ବିରୋଧୀ ବିଦ୍ରୋହର ନେତୃତ୍ୱ ନେଇଥିଲେ ମୁଣ୍ଡା ଜାତିର ଆଦିବାସୀଙ୍କ ମଉଡ଼ମଣି ନିର୍ମଳ ମୁଣ୍ଡା। ଏପ୍ରିଲ ୨୫ରେ ରାଇବୋଗା ନିକଟସ୍ଥ ଆମ୍‌କୋ ସିମ୍‌କୋଠାରେ ନିରସ୍ତ୍ର ଆଦିବାସୀମାନଙ୍କ ଉପରେ ଯେମିତି ନିଷ୍ଠୁର ଭାବେ ଗୁଳିଚାଳନା କରାଯାଇ ସେମାନଙ୍କୁ ହତ୍ୟା କରାଗଲା, ତାହା ସ୍ବାଧୀନତା ସଂଗ୍ରାମର ଏକ ରକ୍ତବିଜଡ଼ିତ ଘଟଣା। ୧୯୪୨ ମସିହା ଅକ୍ଟୋବର ୧୦ ତାରିଖ ଦିନ ନୟାଗଡ଼ ଗଡ଼ଜାତ ରାଜ୍ୟର ନୂଆଗାଁଠାରେ ଯେଉଁ ଇଂରେଜ ବିରୋଧୀ ଆନ୍ଦୋଳନ ଯୋଗୁ ଗୁଳିକାଣ୍ଡ ରଚନା କରାଯାଇଥିଲା ସେଥିରେ କନ୍ଧ ଯୁବକ କଷ୍ଟି ଡାକୁଆଙ୍କ ଜୀବନ ନିର୍ବାପିତ ହୋଇଥିଲା।
ଆଦିବାସୀମାନଙ୍କର ଇଂରେଜ ବିରୋଧୀ ମନୋବୃତ୍ତିର ଶ୍ରେଷ୍ଠ ଦୃଷ୍ଟାନ୍ତ ଥିଲେ ମାଲକାନଗିରିର ଲକ୍ଷ୍ମଣ ନାୟକ। ଭାରତଛାଡ଼ ଆନ୍ଦୋଳନ ଅବସରରେ ଅବିଭକ୍ତ କୋରାପୁଟ ଜିଲାର ଆଦିବାସୀମାନେ ଯେଉଁ ଅଭୂତପୂର୍ବ ସାହସ ଦେଖାଇଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଥାଏ। ଏହା ସମ୍ଭବ ହୋଇଥିଲା ସେମାନଙ୍କର ନେତା ଲକ୍ଷ୍ମଣ ନାୟକଙ୍କ ଯୋଗୁ। ଅଗଷ୍ଟ ୨୧ ତାରିଖରେ ମାଥିଲି ଥାନାକୁ ସତ୍ୟାଗ୍ରହୀମାନେ ଅହିଂସା ମାର୍ଗରେ ଅଧିକାର କରିବାକୁ ଯିବାବେଳେ ତାଙ୍କ ଉପରକୁ ଗୁଳିଚାଳନା କରାଯାଇଥିଲା। ଅନେକ ଆଦିବାସୀ ମୃତ୍ୟୁବରଣ କରିଥିଲେ। ଲକ୍ଷ୍ମଣ ନାୟକ ମୃତ୍ୟୁଦଣ୍ଡ ପାଇ ହସି ହସି ଫାଶୀ ଖୁଣ୍ଟରେ ଝୁଲିଯାଇଥିଲେ।
ମୋ: ୯୮୬୧୦୬୪୯୫୦

The post ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଆଦିବାସୀ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ...