Skip to main content

ରାତ୍ରିକାଳୀନ କଟକଣା କୋହଳ

ନୂଆଦିଲ୍ଲୀ,୩୦।୭: ଦେଶରେ କୋଭିଡ୍‌-୧୯ ସ୍ଥିତିକୁ ଅନୁଧ୍ୟାନ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଅନ୍‌ଲକ୍‌-୩ ନିର୍ଦ୍ଦେଶନାମା(ଗାଇଡ୍‌ଲାଇନ) ଜାରି କରାଯାଇଛି। ଏହା ଅଗଷ୍ଟ ୩୧ପର୍ଯ୍ୟନ୍ତ ଜାରି ରହିବ। ଜୁନ୍‌ ୨୯ତାରିଖରେ ଜାରି ହୋଇଥିବା ଅନ୍‌ଲକ୍‌-୨ ଆସନ୍ତା ଶୁକ୍ରବାର ଶେଷ ହେଉଛି। ତେଣୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟ ଅଞ୍ଚଳରେ କେତେକ କଟକଣାକୁ କୋହଳ କରାଯାଇ ଅନ୍‌ଲକ୍‌-୩ ଘୋଷଣା କରାଯାଇଛି। ଅନ୍‌ଲକ୍‌-୩ରେ ରାତ୍ରିକାଳୀନ କଟକଣାକୁ ଉଠାଇ ଦିଆଯାଇଛି। ରାତି ସମୟରେ ସାଧାରଣ ଯାତାୟାତକୁ ଅନୁମତି ମିଳିଛି। ଏଥିସହ ଯୋଗ ଶିକ୍ଷାନୁଷ୍ଠାନ ଏବଂ ଜିମ୍‌ ଆଦି ସଂସ୍ଥାକୁ ଅଗଷ୍ଟ ୫ତାରିଖରୁ ଖୋଲିବାକୁ ଅନୁମତି ମିଳିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜୁଅର(ଏସ୍‌ଓପି) ଜାରି କରାଯାଇଛି।
ସ୍କୁଲ୍‌, କଲେଜ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ଏହି ସମୟରେ ପୂର୍ବଭଳି ଅନ୍‌ଲାଇନ୍‌ କ୍ଲାସ ଚାଲୁ ରହିବ। ସେହିପରି ସିନେମା ହଲ୍‌, ସୁଇମିଂ ପୁଲ, ଆମୋଦପ୍ରମୋଦ ଉଦ୍ୟାନ, ପାର୍କ, ଥିଏଟର୍ସ, ବାର୍‌, ଅଡିଟୋରିୟମ୍‌, ଏବଂ ସର୍ବସାଧାରଣ ସଭାସ୍ଥଳ ଆଦି ବନ୍ଦ ରହିବ।

ଅନ୍ତଃରାଷ୍ଟ୍ରୀୟ ବିମାନ ଉଡ଼ାଣ ଏବଂ ମେଟ୍ରୋ ରେଳ ଚଳାଚଳ ଉପରେ ମଧ୍ୟ କଟକଣା ଲାଗୁ ରହିଛି। ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ, ଶୈକ୍ଷିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ଏବଂ ଜନଗହଳି ହେବା ଭଳି କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ତେବେ ଏହିସବୁ କଟକଣା ଉପରେ କେବେ କୋହଳ କରାଯିବ ସେନେଇ କୋଭିଡ୍‌-୧୯ ସଂକ୍ରମଣ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
କୋଭିଡ୍‌-୧୯ ଯୋଗୁ ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଜାତୀୟ, ରାଜ୍ୟ, ଜିଲା, ସବ୍‌ଡିଭିଜନ, ପୌରପାଳିକା ଏବଂ ପଞ୍ଚାୟତସ୍ତରରେ ସାମାଜିକ ଦୂରତା ବଜାୟ ରଖି ସ୍ବାଧୀନତା ଦିବସ ପାଳନ କରିବାକୁ ଅନୁମତି ଦିଆଯାଇଛି। ଏହି ସମୟରେ ସ୍ବାସ୍ଥ୍ୟ ଦିଗ ପ୍ରତି ମଧ୍ୟ ଧ୍ୟାନ ଦିଆଯିବା ସହ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ଗତ ୨ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନକୁ ପାଳନ କରିବାକୁ କୁହାଯାଇଛି।
ସେହିପରି କୋଭିଡ-୧୯ ପରିଚାଳନା ପାଇଁ ଜାରି ହୋଇଥିବା ଗାଇଡ୍‌ଲାଇନକୁ ପାଳନ କରିବା ନିମନ୍ତେ କୁହାଯାଇଛି। ସର୍ବସାଧାରଣ ସ୍ଥାନ, କାର୍ଯ୍ୟସ୍ଥଳ ଏବଂ ଯାନବାହନରେ ଯିବା ଆସିବା ବେଳେ ମାସ୍କ ପରିଧାନ ଜରୁରୀ। ୬ଫୁଟର ସାମାଜିକ ଦୂରତା, ଅଧିକ ଜନଗହଳି ନ କରିବା, ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା, ଏପରି କି ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ପାନ ଓ ଗୁଟ୍‌ଖା ଆଦି ସେବନକୁ ବାରଣ କରାଯାଇଛି। ଘରୁ କାର୍ଯ୍ୟକରିବା ବା ଓ୍ବାର୍କ ଫ୍ରମ୍‌ ହୋମ୍‌ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। କାର୍ଯ୍ୟସ୍ଥଳରେ କାମ କରିବାର ସମୟକୁ ଯଥାସମ୍ଭବ ହ୍ରାସ କରିବା ସହ ପରିବେଶକୁ ସ୍ବଚ୍ଛ ଏବଂ ହାଇଜେନିକ ରଖାଯିବ। ନିୟମିତ ବ୍ୟବଧାନରେ ହାତକୁ ସାନିଟାଇଜ କରିବା ସହ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।
ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ କୋଭିଡ୍‌-୧୯ ସ୍ଥିତି ଦେଖି କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ନିର୍ଦ୍ଦିଷ୍ଟ କଟକଣା ଲାଗୁ କରିପାରିବେ। ରାଜ୍ୟ ଭିତରେ ଏବଂ ରାଜ୍ୟ-ରାଜ୍ୟ ମଧ୍ୟରେ ଗମନାଗମନ କିମ୍ବା ସାମଗ୍ରୀ ପରିବହନ ଉପରେ କଟକଣାମୁକ୍ତ କରାଯାଇଛି। ଶ୍ରମିକ ସ୍ବତନ୍ତ୍ର ଟ୍ରେନ, ଘରୋଇ ବିମାନରେ ଚଳାଚଳ ନିମନ୍ତେ ଜାରି ହୋଇଥିବା ଏସ୍‌ଓପି ପାଳନ କରିବା ଜରୁରୀ। ବିଶେଷକରି ୬୫ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି, ରୋଗୀ, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍‌ ପିଲାଙ୍କୁ ଅତି ଜରୁରୀ କାମ ନ ଥିଲେ କିମ୍ବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ନ ଥିଲେ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ୍‌ ବା ଆବଦ୍ଧାଞ୍ଚଳରେ ପୂର୍ବ ଭଳି କଟକଣା ଜାରି ରହିଛି। ଏଠାରେ କେବଳ ଅତ୍ୟାବଶ୍ୟକୀୟ କାର୍ଯ୍ୟକୁ ଅନୁମତି ପ୍ରଦାନ କରାଯାଇଛି। ଏହି ଅଞ୍ଚଳରେ ରହୁଥିବା ଲୋକମାନେ ଯେମିତି ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାର ଲୋକ ଏଠାକୁ ଆସିପାରିବେ ନାହିଁ ତା’ ଉପରେ ତୀକ୍ଷ୍ଣ ନଜର ରଖିବାକୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଉପରୋକ୍ତ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କଲେ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

The post ରାତ୍ରିକାଳୀନ କଟକଣା କୋହଳ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ...