Skip to main content

ଭାଜପା ନେତାଙ୍କୁ ହତ୍ୟା ଘଟଣାରେ ମୁହଁ ଖୋଲିଲେ କଣ୍ଟାମାଳ ବିଧାୟକ

ବୌଦ୍ଧ,୩୦।୭(ସ୍ବ.ପ୍ର.) ବୌଦ୍ଧ ଜିଲା ଭାଜପା ଯୁବମୋର୍ଚ୍ଚା ସମ୍ପାଦକ ତଥା କଣ୍ଟାମାଳ ବ୍ଲକର ସିଆଲଝୁଲି ଗ୍ରାମର ଲୋକନାଥ ପ୍ରଧାନଙ୍କ ହତ୍ୟା ଘଟଣା ନେଇ ରାଜନୀତି ଜୋର ଧରିଛି। ମଙ୍ଗଳବାର ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କଣ୍ଟାମାଳ ଗସ୍ତ କରି ଏହି ହାତ୍ୟାକାଣ୍ଡରେ କଣ୍ଟାମାଳ ବିଧାୟକଙ୍କ ପୁଅ ଓ ସ୍ଥାନୀୟ ସରପଞ୍ଚଙ୍କ ସଂପୃକ୍ତି ଥିବା ନେଇ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ବୁଧବାର ସନ୍ଧ୍ୟାରେ କଣ୍ଟାମାଳ ବିଧାୟକ ମହୀଧର ରଣା ବୌଦ୍ଧ ସର୍କିଟ ହାଉସଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀ କରି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ବିଧାୟକ ରଣା କହିଥିଲେ ଯେ, ଏହି ହତ୍ୟାକାଣ୍ଡ ପାଇଁ ସେ ମର୍ମାହତ। ତେବେ ହତ୍ୟାର ଶିକାର ହୋଇଥିବା ଲୋକନାଥଙ୍କ ପରିବାର ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ଏହି ଘଟଣାରେ ତାଙ୍କ ପୁଅ, ସ୍ଥାନୀୟ ସରପଞ୍ଚ କିମ୍ବା ବିଜେଡିର କେହି ଜଡିତ ନାହାନ୍ତି। ଅଯଥାରେ ଭାଜପା ହୀନ ରାଜନୀତି କରୁଛି। ଭାଜପା ରାଜନୀତି କରିବାକୁ ଏପରି ମିଛ ଆରୋପ କରୁଥିବା ବିଧାୟକ ରଣା କହିଥିଲେ। ଯଦି ଏହି ହତ୍ୟାକାଣ୍ଡରେ ତାଙ୍କ ପରିବାରର କେହି ସଂପୃକ୍ତ ଥିବା ପ୍ରମାଣିତ ହୁଏ, ତେବେ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି କହିଥିଲେ। ଏଥିସହ ପୋଲିସ ଠିକ୍‌ ଭାବରେ ଘଟଣାର ତଦନ୍ତ କରି ପ୍ରକୃତ ଦୋଷୀଙ୍କୁ ଧରି ଆଇନ ଅନୁଯାୟୀ ଦଣ୍ଡିତ କରିବାକୁ ଦାବି କରିଥିଲେ। ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖ ରାତିରେ ଦୁର୍ବୃତ୍ତମାନେ ଲୋକନାଥଙ୍କୁ ଡାକି ନେଇ ହତ୍ୟା କରିଥିଲେ। ପୋଲିସ ମଙ୍ଗଳବାର ଏହି ଘଟଣାରେ ଲିଙ୍ଗରାଜ ବଗର୍ତ୍ତି, ଜ୍ୟୋତିର୍ମୟ ଦଲାଇ ଓ ସତ୍ୟନାରାୟଣ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

The post ଭାଜପା ନେତାଙ୍କୁ ହତ୍ୟା ଘଟଣାରେ ମୁହଁ ଖୋଲିଲେ କଣ୍ଟାମାଳ ବିଧାୟକ appeared first on Dharitri Odia News.



Popular posts from this blog

କ୍ଷତିପୂରଣ ଲାଗି ବଢ଼ିପାରେ ଜିଏସ୍‌ଟି

ନୂଆଦିଲ୍ଲୀ,୩୧।୭-କରୋନା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କ ଟିକସ ଜନିତ ଆୟ ବର୍ତ୍ତମାନ କମିଛି। ଫଳରେ ରାଜ୍ୟଗୁଡିକର ଅଂଶ ପ୍ରଦାନ କରିବା ଦିଗରେ ବର୍ତ୍ତମାନ କଷ୍ଟକର ହେଉଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ବଡ ବଡ ରାଜ୍ୟକୁ ବାଦ୍‌ ଦେଲେ ଅଧିକାଂଶ ରାଜ୍ୟଗୁଡ଼ିକର ଆୟ କେନ୍ଦ୍ରଠାରୁ ମିଳୁଥିବା ଜିଏସ୍‌ଟି ଉପରେ ନିର୍ଭର କରିଥାଏ। ଲକ୍‌ଡାଉନ ଯୋଗୁ ଜିଏସ୍‌ଟି ଆଦାୟ ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏଭଳି ସ୍ଥିତିରେ କେନ୍ଦ୍ର ସମ୍ପୂର୍ଣ୍ଣ ହାତ ଟେକି ଦେଇଥିବା ଜଣାପଡିଛି। କେନ୍ଦ୍ର ଚାହୁଁଛି ଯେ, ରାଜ୍ୟଗୁଡ଼ିକ ବଜାରରୁ ଋଣ ଉଠାନ୍ତୁ। ରାଜସ୍ବ ମାମଲାରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଇନଗତ ଲଢ଼େଇ ଆରମ୍ଭ ହୋଇଯାଇଛି। ବଜାରରୁ ଋଣ ଉଠାଇବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି କେରଳ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ତାକୁ ବିରୋଧ କରୁଛନ୍ତି। କେନ୍ଦ୍ର ନିଜର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରୁ ବୋଲି ରାଜ୍ୟଗୁଡିକ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ବଜାରରୁ ଋଣ କରୁ ଏବଂ ରାଜ୍ୟଗୁଡିକ ଯେଉଁ ରାଜସ୍ବରେ ଯେଉଁ କ୍ଷତି ସହୁଛନ୍ତି ତା’ର ଭରଣା କରୁ ବୋଲି ରାଜ୍ୟଗୁଡିକ ଯୁକ୍ତିରେ କହିଛନ୍ତି। ୨୦୧୭ରେ ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ସମୟରେ କେନ୍ଦ୍ର ସରକାର କହିଥିଲେ ଯେ, ରାଜ୍ୟଗୁଡ଼ିକର ରାଜସ୍ବ ହ୍ରାସକୁ କେନ୍ଦ୍ର ଭରଣା କରିବ। ଆଗାମୀ ୫ ବର୍ଷ ଯାଏ ଏଭଳି ...

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବା ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସୁଦ୍ଧା ସରକାର ସ୍ପଷ୍ଟ କରିବାକୁ ପ୍ରୟାସ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ନ୍ୟାୟାଳୟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗରେ କିଛି ଆର୍ଥତ୍କ ମାମଲା ଜଡିତ ରହିଛି। ପ୍ରସଙ୍ଗଗୁଡିକୁ ବିଚାରକରିବା ଲାଗି ସମୟର ଆବଶ୍ୟକତା ରହିଛି। ଅକ୍ଟୋବର ପହିଲାରେ ମୋରାଟୋରିୟମ ମାମଲାର ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ, ଋଣ କିସ୍ତି ପ୍ରଦାନ କରିବାକୁ ସକ୍ଷମ ହେଉ ନ ଥିବା ଆକାଉଣ୍ଟଗୁଡିକୁ ଆଗାମୀ ୨ ମାସ ଯାଏ ଏନ୍‌ପିଏ ଘୋଷଣା କରା ନ ଯାଉ। ସୋମବାର ହୋଇଥିବା ଶୁଣାଣିରେ ...