Skip to main content

ପ୍ରକୃତିଦତ୍ତ ସମ୍ପଦର ବିକଳ୍ପ ନାହିଁ

ଡ. ହରିଶରଣ ମହାରାଜ

ବୃକ୍ଷ ସମଗ୍ର ଜୀବଜଗତର ଉପକାର କରିଥାଏ। ”ପରୋପକାରାୟ ବହନ୍ତି ନଦ୍ୟଃ, ପରୋପକାରାୟ ଫଳନ୍ତି ବୃକ୍ଷାଃ, ପରୋପକାରାୟ ଦୁହ୍ୟନ୍ତି ଗାବୋ ପରୋପକାରାର୍ଥମିଦଂ ଶରୀରମ୍‌। (ମାଣ୍ଡବ୍ୟ ସଂହିତା)। ତାଦୃଶ୍ୟ ଗୋଟିଏ ବୃକ୍ଷ ତା’ର ଜୀବଦ୍ଦଶା କାଳରେ ଔଷଧ, ଖାଦ୍ୟ, ଜଳସଂରକ୍ଷଣ, ମୃତ୍ତିକା ସଂରକ୍ଷଣ, ଜାଳେଣି, ଅମ୍ଳଜାନଯୁକ୍ତ ବିଶୁଦ୍ଧ ବାୟୁ ପ୍ରଦାନ, ପକ୍ଷୀ ଜଗତକୁ ମନୋମୟ ଖାଦ୍ୟ, ବାସ ଯୋଗାଇଥାଏ। ସୁତରାଂ ଅଧିକମାତ୍ରା ଓ ବିଚ୍ଛିନ୍ନତାର ବନରାଜି ସ୍ଥିତି ହିଁ ଜୀବଜଗତର ‘ପ୍ରାକୃତିକ ପୋଷଣୀୟ’ର ସହାୟକ ହୋଇଥାଏ। ସଂପ୍ରତି ଜଙ୍ଗଲ ସୁରକ୍ଷା ଏକ ମହତ୍ତ୍ୱପୂର୍ଣ୍ଣ ତଥା ସମୟୋପଯୋଗୀ ଆହ୍ବାନ। କାରଣ ଏହି ସମ୍ପଦର କୌଣସି ବିକଳ୍ପ ନାହିଁ। ବର୍ତ୍ତମାନ ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ଏବଂ ନୂତନ ଜଙ୍ଗଲ ସୃଷ୍ଟି ନିମନ୍ତେ ସରକାର, ଏନ୍‌ଜିଓ, ସାମାଜିକ କର୍ମକର୍ତ୍ତା, ଆୟୁର୍ବେଦାଚାର୍ଯ୍ୟ, ବୃକ୍ଷପ୍ରେମୀ, ବନପ୍ରେମୀ ଆଗେଇ ଆସିବାର ସମୟ ଆସିଛି। ବିଶ୍ୱରେ ଶିଳ୍ପାୟନ ପ୍ରଗତି ନାମରେ ପ୍ରତିବର୍ଷ ୩୨୦ ଲକ୍ଷ ଏକର ଜଙ୍ଗଲ ଅବିଚାରିତ ଭାବେ ଧ୍ୱଂସ ପାଇଚାଲିଛି। ଏହି ଧାରା ଅବ୍ୟାହତ ରହିଲେ ପୃଥିବୀ କ୍ରମଶଃ ମରୁଭୂମିରେ ପରିଣତ ହେବ। ଅଙ୍ଗାରକାମ୍ଳ ଗ୍ୟାସ୍‌ ଆତଙ୍କ ସୃଷ୍ଟି ହେବା ସହିତ ଜଙ୍ଗଲ ଉପରେ ନିର୍ଭରଶୀଳ ୮୦ପ୍ରତିଶତ ପଶୁପକ୍ଷୀ ନିଶ୍ଚିହ୍ନ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସମଗ୍ର ବିଶ୍ୱର ଜନସଂଖ୍ୟା ପ୍ରାୟ ୭୦୦ କୋଟି। ଜନ ବିସ୍ଫୋରଣ ଜଙ୍ଗଲ କ୍ଷୟର ଏକ ମୁଖ୍ୟ କାରଣ ତଥା ବିଶ୍ୱ ରାଷ୍ଟ୍ର ନାୟକମାନଙ୍କର ଶିଳ୍ପ ପ୍ରତିଷ୍ଠା ଜଙ୍ଗଲ ପ୍ରତି ନକାରାତ୍ମକ ଭାବ ଥିଲାପରି ପ୍ରତିଭାତ ହୁଏ।
ପରିସଂଖ୍ୟାନରୁ ଜଣାଯାଏ ବିଶ୍ୱ ଭୂଭାଗର ୩୦% ଜଙ୍ଗଲ ସମ୍ପଦ। ଜଙ୍ଗଲରେ ମିଳେ ୬୦ ହଜାର ପ୍ରଜାତିର ବୃକ୍ଷଲତା ତଥା ଦୁର୍ଲଭ ଜଡ଼ିବୁଟି, ସେହିପରି ପ୍ରାୟ ୧୮୦ କୋଟି ମଣିଷ ମଧ୍ୟ ଜୀବିକା ନିର୍ବାହ ଉଦ୍ଦେଶ୍ୟରେ ଜଙ୍ଗଲ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ”ପାଦପାଃ ବୈ ପ୍ରାଣାଃ“ (ଅଥର୍ବବେଦ) ଅର୍ଥାତ୍‌ ବୃକ୍ଷ ହିଁ ମଣିଷ ସମାଜକୁ ପ୍ରାଣଶକ୍ତି ପ୍ରଦାନ କରିଥାଏ। ସଂପ୍ରତି ଓଡ଼ିଶାର ଜଙ୍ଗଲ ପରିବେଶ ଉପରେ ଆଲୋଚନା କରିବା। ସରକାର କହୁଛନ୍ତି ଜଙ୍ଗଲ ଗାଣିତିକ ହିସାବରେ ବଢ଼ିଛି। କିନ୍ତୁ କେଉଁ ପ୍ରଜାତିର ବୃକ୍ଷରାଜିର ପରିବର୍ଦ୍ଧନ ଘଟିଛି, ତାହା ବୁଝାପଡ଼େ ନାହିଁ। ‘ସେବିତବ୍ୟୋ ମହାବୃକ୍ଷଃ ଫଳଚ୍ଛାୟାସମନ୍ବିତଂ, ଯଦି ଦୈବାତ୍‌ ଫଳଂ ନାସ୍ତି ଛାୟା କେନ ନିବାର୍ଯ୍ୟତେ।’ ଜଙ୍ଗଲରେ ଘଞ୍ଚ ମହୀରୁହ (ଦ୍ରୁମ) ଉପସ୍ଥିତ ଜଙ୍ଗଲର ଶୋଭାବର୍ଦ୍ଧନ କରିଥାଏ। ପୂର୍ବେ ରାଜା ମହାରାଜାଙ୍କ ଦ୍ୱାରା ରୋପିତ ଦୀର୍ଘସ୍ଥାୟୀ, ଜୀବଦାୟୀ, ପ୍ରାଣଦାୟୀ, ବାସଦାୟୀ ମହାବୃକ୍ଷ, ଆମ୍ବ, ବଉଳ, ଜାମୁ, ଗଉଡୁକଷା, ବର, ଅଶ୍ୱତ୍ଥ, ଜମ୍ବିଲୋ, ବେଲ, ପଣସ, ଚାଉଳଧୁଆ, କ୍ଷୀରୀକୋଳି, ଫିରିକ, ଜେଉଟ ଆଦି ରାସ୍ତା ପାର୍ଶ୍ୱ ଫଳଦାୟୀ ଗଛମାନ ସମ୍ପୂର୍ଣ୍ଣ ଭୂତଳଶାୟୀ। ଉଦୁଉଦିଆ ରୌଦ୍ର ତାପରେ ପଥାଶ୍ରୟୀ ପଥଚାରୀ ସାମାନ୍ୟ ତରୁଛାୟା ଲାଭାର୍ଥେ କେତେ ଡହଳବିକଳ ତାହା ଅନୁଭବୀ ହିଁ କହିପାରେ। ଜଙ୍ଗଲରେ ଆଉ ଅତି ଆବଶ୍ୟକ ବୃକ୍ଷରାଜି ଦୁର୍ଲଭପ୍ରାୟ। ତଦୁପରି ପ୍ରକୃତି ଅନୁଯାୟୀ ଘଞ୍ଚ ଜଙ୍ଗଲର ଛାୟା ତଳେ ବଂଶବିସ୍ତାର କରି ମାନବ ଜଗତର କଲ୍ୟାଣ ସାଧନ କରୁଥିବା କ୍ଷୁପ, ସୃପ, ଜାତୀୟ ଗୁଳ୍ମଲତା ମୟୂରଚୂଳିଆ, ବିଦାରୀ କନ୍ଦ (ଭୂଇଁ କଖାରୁ) ରାମକେଦାର, ଚକ୍ରକେଦାର, ପରଶୁକେଦାର, ତାଳମାଖ୍‌ନା, ଅଗ୍ନିତୁଣ୍ଡୀ, ଜୀବନ୍ତୀ, ରୁଦନ୍ତୀ, ଅଗ୍ନିମନ୍ଥନ ଆଦି ଗୁଳ୍ମତରୁ ଘଞ୍ଚ ଜଙ୍ଗଲର ଛାୟା ଅଭାବ ତଥା ପାହାଡ଼ ପର୍ବତର ଅହରହ ଦହନ, ଖନନ ଯୋଗୁଁ ଭାରତୀୟ ରସାୟନ ଶାସ୍ତ୍ର ‘ଆୟୁର୍ବେଦ ଜଡ଼ିବୁଟି ସଂଗ୍ରହ’ ଅନୁଯାୟୀ ସଂପୂର୍ଣ୍ଣ ଲୁପ୍ତପ୍ରାୟ। ଆୟୁର୍ବେଦ ଶାସ୍ତ୍ରବେତା ବାଗଭଟ୍‌ କୃତ ଅଷ୍ଟାଙ୍ଗ ହୃଦୟ, ଅଷ୍ଟାଙ୍ଗ ସଂଗ୍ରହମ୍‌, ଚରକ ସଂହିତା, ଶ୍ରୁଶୁତ ସଂହିତା, ରସରତ୍ନ ସମୁଚ୍ଚୟ, ରସ ତରଙ୍ଗିଣୀ, ଦ୍ରବ୍ୟଗୁଣ କଳ୍ପଦ୍ରୁମ, ମାଧବ କର ନିଦାନ ଆଦି ଗ୍ରନ୍ଥ ବର୍ଣ୍ଣିତ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତ ନେଇ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଗତି ନାମରେ ଅବିଚାରିତ ଜଙ୍ଗଲ କାଟିବା କେତେଦୂର ଗ୍ରହଣୀୟ। ଓଡ଼ିଶାର ଲାଇଫ୍‌ଲାଇନ୍‌ କୁହାଯାଉଥିବା ଜଙ୍ଗଲରାଣୀ ନୟାଗଡ଼ ବନଖଣ୍ଡରେ ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍‌ ନିର୍ମାଣାର୍ଥେ ଦଶପଲ୍ଲା ବନମଣ୍ଡଳ (ରେଞ୍ଜ)ର ଅରାସାହି, କୁଞ୍ଜବନଗଡ଼, ନିଜ ଅନ୍ଧାରକୋଟ ରିଜର୍ଭ ଓ ରେଭିନ୍ୟୁ ଜଙ୍ଗଲରୁ ପ୍ରାୟ ୩୩ ହେକ୍ଟର ଦୁର୍ମୁଲ୍ୟ ତଥା ଦୁର୍ଲଭ ଘଞ୍ଚ ଜଙ୍ଗଲ କଟାଯିବ ବୋଲି ଜଣାପଡ଼ିଛି। ଏଠାରେ ପ୍ରଶ୍ନ ଉଠୁଛି ରେଳପଥ ନିର୍ମାଣ ହେଉ, ଏହା ସ୍ବାଗତଯୋଗ୍ୟ, କିନ୍ତୁ ଯଥାସମ୍ଭବ ବୃକ୍ଷର ସୁରକ୍ଷା କରାଯାଉ। ଅଧିକ ବୃକ୍ଷରୋପଣ ମଧ୍ୟ କରାଯାଉ। ଅନ୍ୟଥା ଘଞ୍ଚ ଜଙ୍ଗଲ ଧ୍ୱଂସ ପାଇବା ସହ ବହୁ ଦୁର୍ଲଭ ଜଡିବୁଟି ବିଲୁପ୍ତ ହେବ। ବହୁ ବନ୍ୟ ଜୀବଜନ୍ତୁ ବାସହରା ଏବଂ ଖାଦ୍ୟାଭାବରେ ମୃତ୍ୟୁବରଣ କରିବେ।
ତଦୋପରି ପର୍ବତ ସଂଜାୟତେ ବାରି, ବାରି ସଂଜାୟତେ ବୃକ୍ଷାଃ- ସୁତରାଂ ପାହାଡ଼ ପର୍ବତର ସୁରକ୍ଷା ତଥା ସଂରକ୍ଷଣ ହୋଇପାରିିଲେ ସେଠାରେ ସ୍ବତଃ ଜଙ୍ଗଲ ସୃଷ୍ଟି ହେବା ସହ ଜୈବ ବିବିଧତା ତିଷ୍ଠି ରହିବ। ଫ୍ରାନ୍ସର ଜଙ୍ଗଲ ପୁରୁଷ ବେର୍ଣ୍ଣଡ଼ ଅଫ୍‌ କ୍ଲେରଭସ୍‌ କୁହନ୍ତି, ”ବୃକ୍ଷ ଓ ପର୍ବତଠାରୁ ମାନବ ତାହା ଶିକ୍ଷା କରେ ଯାହା ସେ ଶିକ୍ଷକଙ୍କଠାରୁ ମଧ୍ୟ ଶିକ୍ଷା କରି ନ ଥାଏ। ପ୍ରକାଶ ଥାଉ କି ଆମେରିକା ଓ ଇଂଲଣ୍ଡରେ କୁତ୍ରାପି ପାହାଡ଼ ପର୍ବତ ଖନନ, ଦହନ କରାଯାଏ ନାହିଁ। ପାହାଡ଼ ପର୍ବତ ସୁରକ୍ଷିତ ରହିଲେ ନଦୀ ଝରଣା ଚିରସ୍ରୋତା ରହିବ। ବର୍ଷା କରିବାରେ ବୃକ୍ଷର ଯେହେତୁ ବଡ଼ ଭୂମିକା ରହିଛି, ନଦୀର ଉପରମୁଣ୍ଡରେ ଘଞ୍ଚ ଜଙ୍ଗଲ ଥିଲେ ବୃଷ୍ଟିଜଳ ତତ୍‌କ୍ଷଣାତ୍‌ ପ୍ରବାହିତ ନ ହୋଇ ବୃକ୍ଷର ଚେର ଓ ମୃତ୍ତିକା ଦ୍ୱାରା ବିଶୋଷିତ ହୋଇ ଭୂତଳ ଜଳସ୍ତର ବୃଦ୍ଧି କରିଥାଏ।୨୦୧୯ ମସିହା ଅକ୍ଟୋବର ୨୦ରୁ୨୩ ତାରିଖ ପର୍ଯ୍ୟନ୍ତ ଆର୍ମେନିଆର ଓରେଗାନ୍‌ ଷ୍ଟେଟ୍‌ ୟୁନିଭରସିଟି କଲେଜ ଅଫ୍‌ ଫରେଷ୍ଟ୍ରିଠାରେ ସଂପ୍ରତି ଏସିଆ ସମେତ ପାଞ୍ଚଗୋଟି ମହାଦେଶର ଦ୍ରୁତ ଜଙ୍ଗଲ ବନୀକରଣ ଓ ପାହାଡ଼ ସୁରକ୍ଷା ନେଇ ବିସ୍ତୃତ ଆଲୋଚନା ହୋଇଯାଇଅଛି। ଶ୍ରୀସୂକ୍ତରେ ମଧ୍ୟ ଜଙ୍ଗଲର ସୁରକ୍ଷା ନେଇ ମା’ ଲକ୍ଷ୍ମୀ ଆଶୀର୍ବଚନ କରିଛନ୍ତି, ଘଞ୍ଚ ଜଙ୍ଗଲ ରହିଲେ ଜଳର ଉଦ୍‌ଗୋମ ହେବ। ଯେହେତୁ ଜଳ ଓ ଜଙ୍ଗଲ ପରସ୍ପର ପରିପୂରକ। ତେବେ ଆମେ ସମସ୍ତେ ଆସନ୍ତୁ ଜଙ୍ଗଲ, ପାହାଡ଼, ପର୍ବତ ସୁରକ୍ଷା ଅଭିଯାନରେ ସାମିଲ ହୋଇ ଦ୍ରୁତ ଜଙ୍ଗଲ ବୃଦ୍ଧିରେ ସହାୟକ ହେବା।
ଆୟୁର୍ବେଦାଚାର୍ଯ୍ୟ (ପଞ୍ଚଗବ୍ୟ), ନୟାଗଡ଼
ମୋ: ୯୫୮୩୧୪୭୬୪୧

The post ପ୍ରକୃତିଦତ୍ତ ସମ୍ପଦର ବିକଳ୍ପ ନାହିଁ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...