Skip to main content

ଓଇଆର୍‌ସି ମୁହାଁଇବ କୁଆଡ଼େ

ଭୁବନେଶ୍ୱର,୩୧ା୭(ବ୍ୟୁରୋ):ରାଜ୍ୟବାସୀଙ୍କୁ ଉନ୍ନତମାନର ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ବିଦ୍ୟୁତ୍‌ ବ୍ୟବସ୍ଥାକୁ ଘରୋଇକରଣ କରିଛନ୍ତି। ଗତ ଶତାବ୍ଦୀର ୮୦ ଦଶନ୍ଧିରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ବାରମ୍ବାର ଗୋଟିଏ ପ୍ରକାର ଫଳ ଦର୍ଶାଉଛି। କରଦାତାଙ୍କ ଅର୍ଥରେ ସୃଷ୍ଟି ହୋଇଥିବା ବିରାଟକାୟ ବିଦ୍ୟୁତ୍‌ ଭିତ୍ତିଭୂମିକୁ ବ୍ୟବହାର କରି ଘରୋଇ କମ୍ପାନୀଗୁଡ଼ିକ ଲୁଟ୍‌ କରି ରାଜ୍ୟ ଛାଡ଼ି ପଳାଉଛନ୍ତି। ଏହି ନାଟକ ଆମେରିକା କମ୍ପାନୀ ଏଇଏସ୍‌ ଠାରୁ ଆରମ୍ଭ ହୋଇଥିଲା। ମଝିରେ ରିଲାଏନ୍ସ(ବିଏସ୍‌ଇସ୍‌) ପଶିଆସିଥିଲା। ଏବେ ସେହି ଆସନରେ ଟାଟା ଆସି ବସିଛି।
ଟାଟା ପାୱାର ଏବେ ସେସୁକୁ ହାତେଇ ନେଇଛି। ୧ ଟଙ୍କା ବିନିଯୋଗ ନ କରି ଟାଟା କମ୍ପାନୀ ଗତ ଜୁନ୍‌ ମାସରୁ ଗ୍ରାହକଙ୍କ ଠାରୁ ଅର୍ଥ ଆଦାୟ ଆରମ୍ଭ କରିଦେଲାଣି। ମାତ୍ର ୨ ମାସ ବିତି ନ ଥିବା ବେଳେ ଟାଟା ପାୱାର ନିଜେ ରାଜି ହୋଇଥିବା ତା’ର ମୂଳ ସର୍ତ୍ତାବଳୀ ସହିତ ଅସନ୍ତୋଷ ପ୍ରକାଶ କଲାଣି। ସେଥିପାଇଁ ଟାଟା ଏବେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ ଦ୍ୱାରସ୍ଥ ହେଲାଣି।
ଏହି ଆବେଦନ ଉପରେ ଜୁଲାଇ ୨୮ରେ ଶୁଣାଣି ହେବାର ଥିଲା। ହେଲେ ଓଇଆର୍‌ସି ଏହାକୁ ଆସନ୍ତା ସେପ୍ଟେମ୍ବର ପହିଲାକୁ ଘୁଞ୍ଚାଇ ଦେଇଛନ୍ତି। ତେବେ ଶୁଣାଣି ବେଳେ ଓଇଆର୍‌ସିଙ୍କ ନିଷ୍ପତ୍ତିି ରାଜ୍ୟବାସୀଙ୍କ ସପକ୍ଷରେ ଯିବ ନା ଟାଟା କମ୍ପାନୀ ପକ୍ଷରେ ଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ମୁମ୍ବାଇ ଏବଂ ଦିଲ୍ଲୀ ଭଳି ବୃହତ୍‌ ସହରର ବିଦ୍ୟୁତ୍‌ ବ୍ୟବସ୍ଥା ଯୋଗାଣରେ ଟାଟା ପାୱାର କମ୍ପାନୀର ଦୀର୍ଘ ଅନୁଭୂତି ରହିଛି। ତଥାପି ୬୦ ଦିନ ମଧ୍ୟରେ ଅସନ୍ତୋଷ ପ୍ରକାଶ ଦର୍ଶାଉଛି ଯେ ପୂର୍ବ ଖେଳାଳିମାନଙ୍କ ଭଳି ଟାଟା ମଧ୍ୟ ଓଡ଼ିଶାକୁ ଲୁଟିବାକୁ ଆସିଛି। ମୂଳ ବୁଝାମଣାରେ ସ୍ବୀକୃତି ପ୍ରଦାନ କରି ସେସୁ ଭଳି ଏକ ଲାଭଦାୟକ ସଂସ୍ଥାକୁ ପ୍ରଥମେ ହାତେଇ ନେବା ଥିଲା ଟାଟା ପାୱାରର ଲକ୍ଷ୍ୟ। ସେଥିରେ ସହଜରେ ସଫଳତା ପ୍ରାପ୍ତ ହେଲା ପରେ ଏବେ ବିଭିନ୍ନ ଆଳ ଦେଖାଇ ନିଜର ଲାଭାଂଶ ବୃଦ୍ଧି ପାଇଁ ଚେଷ୍ଟା ଆରମ୍ଭ କରିଦେଲାଣି। ସେଥିପାଇଁ ଓଇଆର୍‌ସି ପାଖରେ ଟାଟା ଏବେ ଆବେଦନକାରୀ ପାଲଟିଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟ ସରକାରଙ୍କର ଗ୍ରୀଡ୍‌କୋ ଏବଂ ଓଡ଼ିଶା ପାଓ୍ବାର୍‌ ଟ୍ରାନ୍ସମିଶନ କର୍ପୋରେଶନ ଲିମିଟେଡ(ଓପିଟିସିଏଲ୍‌) ଦୁଇଟି ବିଦ୍ୟୁତ୍‌ ଉତ୍ପାଦନକାରୀ ସଂସ୍ଥା। ଏହି ଦୁଇ ସଂସ୍ଥା ବଣ୍ଟନ କମ୍ପାନୀଗୁଡ଼ିକୁ ବିଦ୍ୟୁତ୍‌ ବିକ୍ରି କରିଥାଆନ୍ତି। ୨୦୨୦ ଜୁନ୍‌ ପହିଲା ସୁଦ୍ଧା ଗ୍ରିଡ୍‌କୋର ସେସୁ ଉପରେ ବିଦ୍ୟୁତ୍‌ ବକେୟା ବାବଦରେ ୨ ହଜାର କୋଟି ଟଙ୍କା ଥିବା ବେଳେ ଓପିଟିସିଏଲ୍‌ର ୧୧ କୋଟି ଟଙ୍କା ବାକି ପଡିଛି। ଏ ବିଷୟରେ ଟାଟା କରିଥିବା ଚୁକ୍ତିରେ କିଛି ଉଲ୍ଲେଖ କରାଯାଇ ନାହିଁ। ଏହି ଦୁଇ ସରକାରୀ ସଂସ୍ଥା ନିଜର ବକେୟା ବାବଦରେ ଓଇଆର୍‌ସି ନିକଟରେ ଆବେଦନ କରିଛନ୍ତି।
ଟାଟା ପାଓ୍ବାର ସହିତ ରାଜ୍ୟ ସରକାର ସେସୁ ହସ୍ତାନ୍ତରକୁ ନେଇ ମୂଳ ଚୁକ୍ତିରେ ଏହି ୨ ବିଦ୍ୟୁତ୍‌ ଉତ୍ପାଦନକାରୀ ସଂସ୍ଥା ବକେୟା ସମ୍ପର୍କରେ କୌଣସି ଉଲ୍ଲେଖ ରହି ନ ଥିବା କଥା ଜଣାପଡିଛି। ଏହାର ଅର୍ଥ ହେଲା ସେସୁ ବହନ କରି ଆସୁଥିବା ଆର୍ଥିକ ବୋଝ ବିଷୟରେ କୌଣସି ଉଲ୍ଲେଖ କରାଯାଇ ନ ଥିବା ହେତୁ ତାହାକୁ ଟାଟା ପାଓ୍ବାର ବହନ କରିବ କି ନାହିଁ ଏବେ ସନ୍ଦେହ ଘେରକୁ ଆସିଯାଇଛି। ସେଥିପାଇଁ ଉଭୟ ଗ୍ରୀଡ୍‌କୋ ଏବଂ ଓପିଟିସିଏଲ୍‌ ମଧ୍ୟ ଓଇଆର୍‌ସିଙ୍କ ଦ୍ୱାରସ୍ଥ ହୋଇ ଟାଟାଠାରୁ ନିଜର ବକେୟା ମାଗିବାକୁ ଆବେଦନ କରିଛନ୍ତି। ଓଇଆର୍‌ସି ଯଦି ରାଜ୍ୟ ସରକାରଙ୍କ ଏହି ୨ ବିଦ୍ୟୁତ୍‌ ଉତ୍ପାଦନକାରୀ ସଂସ୍ଥାର ଆବେଦନକୁ ଏଠାରେ ବିଚାରକୁ ନ ନିଅନ୍ତି ତେବେ ସେହି କ୍ଷତି ରାଜ୍ୟ ସରକାରଙ୍କ ଉପରେ ଲଦି ଦିଆଯିବାର ସବୁ ସମ୍ଭାବନା ରହିଛି। ଏଥିସହିତ ଉଭୟ ଗ୍ରୀଡ୍‌କୋ ଏବଂ ଓପିଟିସିଏଲ୍‌ ବକେୟା ଅର୍ଥ ନ ପାଇ ଆର୍ଥିକ ଦୃଷ୍ଟିରୁ ରୁଗ୍‌ଣ ହୋଇଯିବା ଅବଶ୍ୟମ୍ଭାବୀ। ସେତେବେଳେ ସମ୍ଭବତଃ ଏହି ଦୁଇ କମ୍ପାନୀକୁ କିଣିବା ପାଇଁ, ବ୍ୟବସ୍ଥା ଭିତରେ ପ୍ରବେଶ କରିସାରିଥିବା ଟାଟା ପାଓ୍ବାର ସବୁଠାରୁ ଯୋଗ୍ୟ ଦାବିଦାର ହୋଇଯିବ।
ଏଠାରେ ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର ଗତ ୧୦ ବର୍ଷ ମଧ୍ୟରେ କେବଳ ସେସୁ ଅଞ୍ଚଳର ଭିତ୍ତିିଭୂମି ବିକାଶ କରିବା ପାଇଁ ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନା, ଦିନ୍‌ ଦୟାଲ ଗ୍ରାମ ଜ୍ୟୋତି ଯୋଜନା, ସୌଭାଗ୍ୟ ଯୋଜନା, ରିଷ୍ଟ୍ରକ୍ଚରଡ୍‌ ଆକ୍ସିଲରେଟେଡ ପାୱାର ଡେଭଲପମେଣ୍ଟ ଆଣ୍ଡ ରିଫର୍ମସ ପ୍ରୋଗ୍ରାମ (ଆର୍‌ଏପିଡିଆର୍‌ପି), ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ ଷ୍ଟ୍ରେଙ୍ଗଦେନିଂ ପ୍ରୋଜେକ୍ଟ( ଓଡିଏସ୍‌ଏସ୍‌ପି) ଏବଂ ବିଜୁ ଗ୍ରାମ ଜ୍ୟୋତି (ବିଜିଜେୱାଇ) ଭଳି ଯୋଜନାରେ ୫୫୫୨.୬୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତିି। ତେବେ ଏହାକୁ ଅଣଦେଖା କରି ସେସୁ ସମ୍ପତ୍ତିକୁ ମାତ୍ର ୩୫୦ କୋଟି ଟଙ୍କାରେ ଆକଳନ କରି ଟାଟା ପାୱାର ସହ ବୁଝାମଣା କରାଯାଇଛି। ସେସୁକୁ ହାତେଇବା ପରେ ଏହାର ନାମ ବଦଳାଇ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ(ଟିପିସିଓଡିଏଲ)ରଖାଯାଇଛି। ଟାଟା ପାୱାରକୁ ସେସୁ ହସ୍ତାନ୍ତର କରିବା ପୂର୍ବରୁ ଓଇଆର୍‌ସି ଜନ ଶୁଣାଣି ପାଇଁ ୭ ଦିନିଆ ନୋଟିସ କରିବା ସହ ସେସୁ ଉପରେ ବିଦ୍ୟୁତ୍‌ ବକେୟା ଥିବା ସଂସ୍ଥାଗୁଡ଼ିକର ମତାମତ ଲୋଡାଯିବାକୁ ଓଇଆର୍‌ସି ନିୟମରେ ବ୍ୟବସ୍ଥା ରହିଛି। ମାତ୍ର ଏସବୁକୁ ଏଡ଼େଇ ଚତୁରତାର ସହ ଟାଟା ପାଓ୍ବାରକୁ ସେସୁର ମାଲିକାନା ହସ୍ତାନ୍ତର କରାଯାଇଛି। ବୁଝାମଣା ଅନୁଯାୟୀ ସେସୁରେ ଥିବା ୪,୯୧୭ ଜଣ ସ୍ଥାୟୀ କର୍ମଚାରୀ ଏବଂ ୪୩୫ ଠିକା କର୍ମଚାରୀଙ୍କୁ ନିଜ ଅଧୀନରେ ରଖିବ। ସେମାନଙ୍କର ଚାକିରି ସର୍ତ୍ତାବଳୀ ସହ ପଦୋନ୍ନତି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବ। ଏହାଛଡ଼ା ୨୦୨୫ ସୁଦ୍ଧା ବିଦ୍ୟୁତ୍‌ ବୈଷୟିକ ଓ ବାଣିଜି୍ୟକ(ଏଟି ଆଣ୍ଡ ସି) କ୍ଷତିକୁ ୩୨.୫୭ ପ୍ରତିଶତରୁ ୨୦.୫୭ ପ୍ରତିଶତକୁ ହ୍ରାସ କରିବ। ଏହି ସମୟ ସୁଦ୍ଧା ବିଦ୍ୟୁତ୍‌ ଭିତ୍ତିଭୂମି ବିକାଶ ପାଇଁ ୧,୫୪୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଚୁକ୍ତିରେ ଉଲ୍ଲେଖ ରହିଛି। ହେଲେ ଏବେ ଟିପିସିଏଲ୍‌ ସେସୁ କର୍ମଚାରୀଙ୍କର ଚାକିରି ସର୍ତ୍ତାବଳୀ, ଏଟି ଆଣ୍ଡ ସି କ୍ଷତି ଓ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବାକୁ ରାଜି ହେଉ ନାହିଁ। ଚୁକ୍ତିରେ ଥିବା ଏହି ବିଷୟଗୁଡ଼ିକୁ ସଂଶୋଧନ କରିବାକୁ ଟାଟା କମ୍ପାନୀ ଭିତିରିଆ ଓଇଆର୍‌ସିଙ୍କ ନିକଟରେ ଏକ ରିଭ୍ୟୁ ପିଟିଶନ ଦାଖଲ କରିଛି। ଟିକସଦାତାଙ୍କ ଅର୍ଥରେ ଗଢି ଉଠିଥିବା ବହୁ କୋଟି ଟଙ୍କାର ଏହି ବିଦ୍ୟୁତ୍‌ ସମ୍ପତ୍ତିିକୁ ଅଳ୍ପ କେତେକୋଟି ଟଙ୍କାରେ ଘରୋଇ କମ୍ପାନୀ ହାତରେ ଟେକିଦେବାକୁ ନେଇ ସାଧାରଣରେ ସନ୍ଦେହ ଘନୀଭୂତ ହୋଇଛି।
ଏବେ ରାଜ୍ୟବାସୀ ଓଇଆର୍‌ସିଙ୍କ ଭୂମିକା ଓ କାର୍ଯ୍ୟକଳାପକୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି। ଗୋଟିଏ ପଟରେ ଓଇଆର୍‌ସିଙ୍କ ପାଖରେ ଟାଟା ପାଓ୍ବାର ହାତରେ ରାଜ୍ୟର ବିଦ୍ୟୁତ୍‌ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଟେକି ଦେବାର ସୁଯୋଗ ରହିଛି। ଅନ୍ୟ ପଟରେ ନିଜର କ୍ଷମତା ପ୍ରଦର୍ଶନ କରି ରାଜ୍ୟର ବିଦ୍ୟୁତ୍‌ କ୍ଷେତ୍ର ଓ ରାଜ୍ୟର ଅନେକ କୋଟି ବିଦ୍ୟୁତ୍‌ ଗ୍ରାହକଙ୍କ ସ୍ବାର୍ଥର ସୁରକ୍ଷାକାରୀ ଆଖ୍ୟା ଅର୍ଜନ କରିବାର ସମ୍ଭାବନା ରହିଛି।

The post ଓଇଆର୍‌ସି ମୁହାଁଇବ କୁଆଡ଼େ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...