Skip to main content

ମକଦ୍ଦମାପାହାଡ଼ ଓ ବିଳମ୍ବିତ ନ୍ୟାୟ

ପ୍ରତୀକ ଦାଶ

ଦେଶର ବିଭିନ୍ନ କୋର୍ଟରେ ଏବେ ପ୍ରାୟ ୩ କୋଟି ୨୦ଲକ୍ଷ ମାମଲା ବିଚାରାଧୀନ ଭାବେ ପଡ଼ିରହିଛି। ସେଥିରୁ ପ୍ରାୟ ଅଧା (୪୬%) ହେଉଛି କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ସହ ଜଡ଼ିତ ମାମଲା। କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ରିପୋର୍ଟରୁ ଏକଥା ଜଣାପଡ଼ିଛି। ସେଥିରେ କୁହାଯାଇଛି ଯେ, କେନ୍ଦ୍ର ସରକାର ପ୍ରାୟ ୧ଲକ୍ଷ ୩୫ହଜାର ୬୦ଟି ମାମଲାରେ ଜଡ଼ିତ। ଭାରତରେ ପ୍ରାୟ ୧୩୦ କୋଟି ଲୋକ ଥିବାବେଳେ ସେମାନଙ୍କ ତୁଳନାରେ କୋର୍ଟ ଓ ବିଚାରପତିଙ୍କ ସଂଖ୍ୟା ବହୁତ କମ୍‌। ତଳକୋର୍ଟରେ ସବୁଠାରୁ ଅଧିକ ମାମଲା ପଡ଼ି ରହିଛି। ଫଳରେ ସାଧାରଣ ଗରିବ ଲୋକଟିକୁ ତ୍ୱରିତ୍‌ ନ୍ୟାୟ ମିଳିପାରୁ ନାହିଁ। ନ୍ୟାୟ ପାଇବା ଲାଗି ବହୁ ବର୍ଷ ଲାଗିଯାଉଛି। ବିଚାରାଧୀନ ରହିଥିବା ମାମଲା ମଧ୍ୟରୁ ରେଳ ମନ୍ତ୍ରଣାଳୟ ସହ ଜଡ଼ିତ ମାମଲାର ସଂଖ୍ୟା ହେଉଛି ୬୬,୬୮୫। ସେଥିରୁ ୧୦,୪୬୪ ମାମଲା ହେଉଛି ୧୦ ବର୍ଷରୁ ଅଧିକ ପୁରୁଣା। ସେହିଭଳି ଅନ୍ୟ ପାଞ୍ଚଟି ମନ୍ତ୍ରଣାଳୟ ସହ ଜଡ଼ିତ ମାମଲାର ସଂଖ୍ୟା ମଧ୍ୟ ଯଥେଷ୍ଟ ଅଧିକ ରହିଛି। ଅର୍ଥ ମନ୍ତ୍ରଣାଳୟ ସହ ଜଡ଼ିତ ମାମଲା ସଂଖ୍ୟା ୧୫,୬୫୧ ରହିଥିଲାବେଳେ ଯୋଗାଯୋଗ ମନ୍ତ୍ରଣାଳୟ ସହ ଜଡ଼ିତ ମାମଲା ସଂଖ୍ୟା ୧୨,୫୪୨, ସ୍ବରାଷ୍ଟ ମନ୍ତ୍ରଣାଳୟର ୧୧,୬୬୮, ପ୍ରତିରକ୍ଷାର ୩,୪୩୩ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ଜଡ଼ିତ ମାମଲାର ସଂଖ୍ୟା ରହିଛି ୩,୨୭୫। ସୁପ୍ରିମ୍‌କୋର୍ଟରେ ବର୍ତ୍ତମାନ ୬୦,୭୫୦ଟି ମାମଲା ପଡ଼ି ରହିଥିଲା ବେଳେ ବିଭିନ୍ନ ହାଇକୋର୍ଟରେ ୪୦ଲକ୍ଷ ଓ ଅଧସ୍ତନ କୋର୍ଟରେ ୨ କୋଟି ୭୪ ଲକ୍ଷ ମାମଲା ବିଚାରାଧୀନ ଭାବେ ପଡ଼ିରହିଛି। ଏସବୁ ମାମଲା ମଧ୍ୟରୁ ସରକାରୀ ମାମଲା ସଂଖ୍ୟା ହେଉଛି ୪୬ ପ୍ରତିଶତ। ତା’ ଭିତରେ ରହିଛି ରାଷ୍ଟ୍ରାୟତ୍ତ ସଂସ୍ଥା ଓ ଅନ୍ୟାନ୍ୟ ସ୍ବୟଂଶାସିତ ସଂସ୍ଥା ସହ ଜଡ଼ିତ ମାମଲା। ସରକାରୀ ମାମଲା ମଧ୍ୟରେ ରହିଛି ସେବା, ଘରୋଇ ବ୍ୟକ୍ତିବିଶେଷ କିମ୍ବା ସଂସ୍ଥା ସହ ଜଡ଼ିତ ବିବାଦ, ଦୁଇଟି ସରକାରୀ ବିଭାଗ ଭିତରେ ବିବାଦ କିମ୍ବା ଦୁଇଟି ରାଷ୍ଟ୍ରାୟତ୍ତ ସଂସ୍ଥା ସହ ଜଡ଼ିତ ବିବାଦ। ସରକାରଙ୍କ ବିରୋଧରେ ରହିଥିବା ସବୁ ମାମଲାକୁ ଗୋଟିଏ ସମ୍ଭାବ୍ୟ ଅନ୍‌ଲାଇନ ପ୍ଲାଟ୍‌ଫର୍ମକୁ ଆଣିବା ଲାଗି ଗତବର୍ଷ ଆରମ୍ଭ କରାଯାଇଥିଲା ଲିଗାଲ ଇନ୍‌ଫର୍ମେସନ ମ୍ୟାନେଜମେଣ୍ଟ ଆଣ୍ଡ ବ୍ରିଫିଙ୍ଗ ସିଷ୍ଟମ (ଲିମ୍ବସ୍‌)। କୋର୍ଟରେ ଗୋଟିଏ ପ୍ରସଙ୍ଗରେ ବିଭିନ୍ନ ବିଭାଗ ଭିନ୍ନ ଭିନ୍ନ ମତ ରଖିବାକୁ ଏଡ଼ାଇବା ହେଉଛି ଏହାର ଉଦ୍ଦେଶ୍ୟ। ତା’ ସହିତ କୋର୍ଟ ବାହାରେ କୌଣସି ବିବାଦର ସମାଧାନ ମଧ୍ୟ କରାଇବା ହେଉଛି ଏହାର ଅନ୍ୟତମ ଲକ୍ଷ୍ୟ। ବର୍ତ୍ତମାନ ସୁଦ୍ଧା ଲିମ୍ବସ୍‌ ଅଧୀନକୁ ଆସିଛି ୧,୩୦,୨୩୧ ମାମଲା। ମାମଲା ସଂଖ୍ୟା ବୃଦ୍ଧି ପାଉଥିବାରୁ କୋର୍ଟ ବାହାରେ ବିବାଦ ସମାଧାନ ପାଇଁ ସୁପ୍ରିମ୍‌କୋର୍ଟର କେତେଜଣ ପ୍ରଧାନ ବିଚାରପତି ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଓଡ଼ିଶା ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ ସ୍ୟାଟରେ ଏବେ ବିଚାରାଧୀନ ଭାବେ ୭୪୬୯୬ ମାମଲା ପଡ଼ିରହିଛି। ସ୍ୟାଟ ବନ୍ଦ ହୋଇଯିବା ପରେ ଏହି ମାମଲା ହାଇକୋର୍ଟକୁ ଯିବାର ସମ୍ଭାବନା ମଧ୍ୟ ରହିଛି।
ଜିଲାସ୍ତର ପର୍ଯ୍ୟନ୍ତ ରହିଥିବା ନ୍ୟାୟ ପ୍ରଦାନ ବ୍ୟବସ୍ଥାର ଉନ୍ନତି ଏକାନ୍ତ ଆବଶ୍ୟକ। ଦେଶର ସାମାଜିକ ଚିତ୍ର ଯେତିକି ଜଟିଳ ହେଉଛି ଅପରାଧ ସଂଖ୍ୟା ସେହି ପରିମାଣରେ ବଢ଼ୁଛି। ଚୋରି, ଡକାୟତି, ହତ୍ୟା, ବଳାତ୍କାର, ଅପହରଣ ଓ ଠକେଇ ଇତ୍ୟାଦି ଛୋଟବଡ଼ ସମସ୍ତ ଅପରାଧ ପାଇଁ ଜିଲା ପର୍ଯ୍ୟନ୍ତ ରହିଥିବା ନ୍ୟାୟିକ ବ୍ୟବସ୍ଥା ସଂପ୍ରସାରଣ ଆଶାନୁରୂପ ହୋଇନାହିଁ। କିନ୍ତୁ ବିଭିନ୍ନ ପ୍ରକାର ଅପରାଧ ହୁ ହୁ ହୋଇ ବଢ଼ୁଥିବାରୁ ଲୋକମାନେ ଠିକ୍‌ ସମୟରେ ନ୍ୟାୟ ପାଉନାହାନ୍ତି। ଅପରାଧ କେବଳ ବଢ଼ୁନାହିଁ, ନ୍ୟାୟାଳୟମାନଙ୍କରେ ବିଚାରପତିମାନଙ୍କର ସଂଖ୍ୟା ମଧ୍ୟ ସେହି ପରିମାଣରେ ସୃଷ୍ଟି କରାଯାଉନାହିଁ। ଏହି କାରଣରୁ ଜିଲାସ୍ତରରେ ବିଚାର ପାଇଁ ଆସୁଥିବା ବିଭିନ୍ନ ମାମଲା ସଂଖ୍ୟା ବଢ଼ି ବଢ଼ି ଚାଲିଛି। କାରଣ ମାମଲା ସଂଖ୍ୟାର ସୁବିଚାର ପାଇଁ ଯେତିକି ଭିତ୍ତିଭୂମି ଓ ବିଚାରପତି ରହିବା କଥା ସେତେ ନାହିଁ। ଦୁର୍ଭାଗ୍ୟର କଥା , ଉଚ୍ଚ ଅଦାଲତରେ ଯେତିକି ଭିତ୍ତିଭୂମି ଏବଂ ବିଚାରପତି ରହିବା ଆବଶ୍ୟକ ସେଥିରେ ପ୍ରାୟ ୪୦ ପ୍ରତିଶତ ଊଣା। ଫଳରେ ନ୍ୟାୟ ପ୍ରଦାନ ସଂସ୍ଥା ଦୀର୍ଘଦିନ ଧରି ଯେଉଁ ଖ୍ୟାତି ବଜାୟ ରଖିଥିଲା ସେଥିରେ ଅବକ୍ଷୟ ଘଟୁଛି। ଉଚ୍ଚ ନ୍ୟାୟାଳୟ ଓ ନିମ୍ନ ନ୍ୟାୟାଳୟରେ ନ୍ୟାୟ ପ୍ରଦାନ ପାଇଁ ପଡ଼ି ରହିଥିବା ମାମଲାଗୁଡ଼ିକ ସଂଖ୍ୟା ଦୁଇ କୋଟିରୁ ଅଧିକ। ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟମାନଙ୍କରେ ଜଟିଳ ସମସ୍ୟାଗୁଡ଼ିକର ତର୍ଜମା ହୋଇଥାଏ। କିନ୍ତୁ ଆଇନର ପରିସର ଓ ସାମ୍ବିଧାନିକ ବିଧିବ୍ୟବସ୍ଥା ପରିସର ମଧ୍ୟରେ ଯେତିକି ସଂଖ୍ୟାରେ ବିଚାରପତି ରହିବା କଥା ସେତିକି ନାହାନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ ୭ଜଣ ବିଚାରପତିଙ୍କ ସ୍ଥାନ ଶୂନ୍ୟ ପଡ଼ିଛି। ଏହାବାଦ୍‌ କଲିକତା, ମୁମ୍ବାଇ ପ୍ରଭୃତି ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ୪୦ରୁ ୫୦ପ୍ରତିଶତ ବିଚାରପତି ପଦ ଖାଲି ପଡ଼ିଥିବାରୁ ହଜାର ହଜାର ମାମଲା ନ୍ୟାୟ ବିଚାର ପାଇଁ ଅପେକ୍ଷା କରୁଛି। ଦୁର୍ଭାଗ୍ୟର କଥା ଯେ ସରକାର ନ୍ୟାୟ ପ୍ରଦାନ ବ୍ୟବସ୍ଥା ପ୍ରତି ଯେତିକି ଧ୍ୟାନଦେବା କଥା ତାହା ଦେଉ ନହାନ୍ତି।
ବିଚାରପତିଙ୍କ ସଂଖ୍ୟା ଓ ଭିତ୍ତିଭୂମି ବିକାଶ ପ୍ରତି ଧ୍ୟାନ ଦିଆଯାଉ ନ ଥିତ୍ବାରୁ ନ୍ୟାୟ ପ୍ରଦାନ ଶିଥିଳ ହୋଇଯାଇଛି। କୁହାଯାଏ ଯେ ବିଳମ୍ବରେ ନ୍ୟାୟ ପ୍ରଦାନ ନ୍ୟାୟ ନ ମିଳିବା ସହିତ ସମାନ। ବର୍ତ୍ତମାନ ଜନସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ସାମାଜିକ ଜଟିଳତା ଓ ସେଥିରେ ଘଟୁଥିବା ଘନ ଘନ ପରିବର୍ତ୍ତନ ସହିତ ଅପରାଧ ସଂଖ୍ୟା ବଢ଼ୁଥିବାରୁ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଉପରେ ଅଧିକ ଦାୟିତ୍ୱ ପଡ଼ୁଛି। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟମାନଙ୍କରେ କେତେକ ଆଭ୍ୟନ୍ତରୀଣ ସଂସ୍କାର କରାଯାଇଥିବାରୁ ନ୍ୟାୟ ପ୍ରଦାନ ବିଳମ୍ବିତ ହେଲେ ମଧ୍ୟ ସହଜସାଧ୍ୟ ହୋଇଛି। ନ୍ୟାୟ ପ୍ରଦାନ ସଂସ୍ଥା ପାଇଁ ବିଚାରପତି ନିଯୁକ୍ତି ଏବଂ ଅଧିକ ଉତ୍ତରଦାୟିତ୍ୱ ଦେବା ନିମନ୍ତେ ସରକାର ଯେଉଁ ଆଇନ ପ୍ରଣୟନ କରିଥିଲେ ତାହା ସର୍ବୋଚ୍ଚ ନ୍ୟାୟାଳୟରେ ରଦ୍ଦ ହୋଇଯିବା ପରେ ନ୍ୟାୟପାଳିକା ଉପରେ ଅଧିକ ଦାୟିତ୍ୱ ରହିଛି। କାରଣ ନ୍ୟାୟ ପ୍ରଦାନ ବ୍ୟବସ୍ଥା ସହିତ କାର୍ଯ୍ୟପାଳିକାର ପ୍ରଶାସନିକ ସମ୍ପର୍କ ରହିଥିବାରୁ ନ୍ୟାୟ ପ୍ରଦାନ ସଂସ୍ଥାର ଯେପରି ପରିବର୍ତ୍ତନ ଆଣିବା ପାଇଁ ଆଇନ ପ୍ରଣୟନ କରାଯାଇଥିଲା ତାହା ନ୍ୟାୟପାଳିକା କାର୍ଯ୍ୟ ସଂପାଦନରେ ବାଧା ସୃଷ୍ଟି କରିପାରେ। ଏଥିପାଇଁ ବିଚାରପତି ନିଯୁକ୍ତି ଓ ଉତ୍ତରଦାୟିତ୍ୱ ସମ୍ପର୍କିତ ଆଇନ ରଦ୍ଦ ହୋଇଗଲା। କିନ୍ତୁ ନ୍ୟାୟପାଳିକା ସ୍ବାଧୀନ ମତ ପ୍ରକାଶ କରିବା ସପକ୍ଷରେ ଥିବାରୁ ଏବଂ ସେଥିରେ କାର୍ଯ୍ୟପାଳିକାର କୌଣସି ପ୍ରକାର ହସ୍ତକ୍ଷେପ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଅକାମୀ କରିଦେଇପାରେ। ଏହି କାରଣରୁ ପୂର୍ବରୁ ବିଚାରପତି ନିଯୁକ୍ତି, ପଦୋନ୍ନତି ଇତ୍ୟାଦି ପାଇଁ ପାଞ୍ଚଜଣ ବରିଷ୍ଠ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି ସେଥିରେ କୌଣସି ପ୍ରକାର ହସ୍ତକ୍ଷେପ ନ କରିବା ହିଁ ଅଧିକ ଯୁକ୍ତିଯୁକ୍ତ ହେବ। ଯେଉଁ ବିଚାରପତିମାନଙ୍କୁ ଉଚ୍ଚ ନ୍ୟାୟାଳୟରେ ନିଯୁକ୍ତି କରାଯିବ ସେମାନଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର କଲେଜିୟମ କମିଟି ଅନୁମୋଦନ କରିବାପରେ ସରକାରଙ୍କର ଆଇନ ବିଭାଗକୁ ପଠାଯାଏ। ନ୍ୟାୟପାଳିକାର ସୁପାରିସ ସହିିତ କାର୍ଯ୍ୟପାଳିକା ଅମତ ହେଲେ ନିଯୁକ୍ତି, ପଦୋନ୍ନତି ଇତ୍ୟାଦିରେ ବିଳମ୍ବ ହୋଇଥାଏ। ବିଚାରପତିମାନଙ୍କର ନିଯୁକ୍ତି ଓ ଉତ୍ତରଦାୟିତ୍ୱ ସମ୍ପର୍କିତ ନୂଆ ଆଇନ କାର୍ଯ୍ୟପାଳିକା ପ୍ରସ୍ତୁତ କରିବା ପରେ ତାହା ସର୍ବୋଚ୍ଚ ଅଦାଲତରେ ନାକଚ ହୋଇଯିବାରୁ କାର୍ଯ୍ୟପାଳିକା ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟ ସମ୍ପର୍କିତ ନିଯୁକ୍ତି, ପଦୋନ୍ନତି କ୍ଷେତ୍ରରେ ତାହା ଅନୁମୋଦନ କରି ରାଷ୍ଟ୍ରପତିଙ୍କ ପାଖକୁ ପଠାଇବା ପ୍ରକ୍ରିୟାରେ ବିଳମ୍ବ ହେଉଛି। କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ମଧ୍ୟରେ ଥିବା ଯୋଗସୂତ୍ରକୁ ଅଧିକ ଅନୁକୂଳ କରାଗଲେ ନ୍ୟାୟପାଳିକା କାର୍ଯ୍ୟପାଳିକା ପାଖକୁ ପଠାଉଥିବା ନିଯୁକ୍ତି ଓ ପଦୋନ୍ନତି ସମ୍ପର୍କିତ ସୁପାରିସ ଯଦି ଯଥାଶୀଘ୍ର ରାଷ୍ଟ୍ରପତିଙ୍କ ଆଦେଶ ମିଳିଯାଏ ତେବେ ଫାଇଲର ମନ୍ଦଗତି ଦୂର ହେବ। କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ମଧ୍ୟରେ ସହଯୋଗ ଓ ସମବାୟିକ ଉଦ୍ୟମ ଯୁକ୍ତିଯୁକ୍ତ ହେଲେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ବିତ ହେବ।
ତୁଳସୀପୁର, କଟକ, ମୋ: ୯୮୫୩୮୪୭୪୧୪

The post ମକଦ୍ଦମାପାହାଡ଼ ଓ ବିଳମ୍ବିତ ନ୍ୟାୟ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ...