Skip to main content

ବ୍ଲକ୍‌ର ଅଧା ଜମି ପଡ଼ିଆ

ଛେଣ୍ଡିପଦା,୩୧ା୭(ସ୍ବ.ପ୍ର.)
ଚଳିତବର୍ଷ ପାଣିପାଗ ଚାଷ ଅନୁକୂଳ ରହିବ ବୋଲି ପୂର୍ବାନୁମାନକୁ ନେଇ ଉତ୍ସାହିତ ହୋଇପଡ଼ିଥିବା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ଚାଷୀମାନେ ଏବେ ଚିନ୍ତାରେ। ଶ୍ରାବଣ ସରିବାକୁ ବସିଥିଲେ ହେଁ ରୁଆ କାର୍ଯ୍ୟ ପାଇଁ ଜମିରେ ପାଣି ନାହିଁ। ଆଉ କିଛି ଦିନ ମଧ୍ୟରେ ବର୍ଷା ନ ହେଲେ ବର୍ଷକର ଖାଦ୍ୟ ଯୋଗାଡ଼ ଚାଷୀଙ୍କ ପକ୍ଷେ କଷ୍ଟକର ହୋଇପଡ଼ିବ। ବ୍ଲକର ମୋଟ୍‌ ଚାଷ ଜମି ମଧ୍ୟରୁ ଅଧା ଜମିରେ ବୁଣା କାର୍ଯ୍ୟ ହୋଇଥିବା ବେଳେ ବାକି ଅଧା ଜମି ରୁଆ ନ ହୋଇ ପଡ଼ିଆ ପଡ଼ିଛି।
ଗତ ମେ’ ମାସରେ ଛେଣ୍ଡିପଦା ବ୍ଲକରେ ୫୨.୯ ମିଲିମିଟର ସ୍ଥାନରେ ୧୦୪.୪୦ ମିଲିମିଟର ବର୍ଷା ହୋଇଥିଲା। ତେବେ ଜୁନରୁ ଏହି ପରିମାଣ ହ୍ରାସ ପାଇଛି। ଜୁନ୍‌ରେ ୨୨୫.୧ ସ୍ଥାନରେ ୧୨୭.୬୦ ମିଲିମିଟର ବର୍ଷା ହୋଇଛି। ସେହିପରି ଜୁଲାଇରେ ୩୪୭ ମିଲିମିଟରର ଆବଶ୍ୟକତା ଥିବାବେଳେ ମାତ୍ର ୨୪୧.୨୦ ମିଲିମିଟର ବର୍ଷା ହୋଇଥିବା କୃଷି ବିଭାଗ ସୂତ୍ରରୁ ଜଣାଯାଇଛି। ଫଳରେ ସମଗ୍ର ବ୍ଲକରେ ଏବେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ସହକାରୀ କୃଷି ଅଧିକାରୀ ବିନୋଦ କୁମାର ସିଂ ଦେଇଥିବା ତଥ୍ୟ ଅନୁଯାୟୀ, ଛେଣ୍ଡିପଦା ବ୍ଲକରେ ଚଳିତ ଖରିଫ ଋତୁରେ ୧୨ ହଜାର ୬୬୩ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସେଥିମଧ୍ୟରୁ ୭ ହଜାର ୮୭୨ ହେକ୍ଟର ଜଳସେଚିତ ଓ ୪ ହଜାର ୭୯୧ ହେକ୍ଟର ଅଣଜଳସେଚିତ ଜମି ରହିଛି। ମୋଟ୍‌ ୭ ହଜାର ୧୫୧ ହେକ୍ଟରରେ ଚାଷ ହୋଇପାରିଛି। ୬୯୪୯ ହେକ୍ଟରରେ ଧାନ ବୁଣାଯାଇଥିବାବେଳେ ମାତ୍ର ୨୦୨ ହେକ୍ଟରରେ ଧାନ ରୁଆ କାମ ଶେଷ ହୋଇଛି। ୫୪୨ ହେକ୍ଟରରେ ତଳି ପକାଯାଇଛି। ଆଉ ୨୯୪ ହେକ୍ଟରରେ ଏ ପର୍ଯ୍ୟନ୍ତ ଧାନ ବୁଣା ଯାଇପାରି ନ ଥିବାବେଳେ ୫ ହଜାର ୨୧୮ ହେକ୍ଟରରେ ଧାନ ରୁଆହୋଇପାରି ନାହିଁ।
ଭଲ ବିହନ ଯୋଗାନ୍ତୁ ସରକାର
ଜୁଲାଇ ସରିବାକୁ ବସିଲାଣି। ହେଲେ ଜମିରେ ପାଣି ନ ଥିବାରୁ ଏଯାଏ ରୁଆ କାର୍ଯ୍ୟ ହୋଇପାରିନାହିଁ। ଚାଷ ପଛେଇ ଯାଇଥିବାରୁ ଅଳ୍ପ ଦିନରେ ହୋଇପାରୁଥିବା ଧାନ ବିହନ ସରକାର ଯୋଗାଇ ଦେଲେ ଚାଷୀ ଫସଲ ଫଳାଇପାରିବ।
– ଭୁପେନ କୁମାର ପ୍ରଧାନ, ଜରପଡା
ଢିପ ବିଲ ଫାଟିଗଲାଣି
ଚଳିତବର୍ଷ ଯେତିକି ପରିମାଣର ବର୍ଷା ହେଉଛି ସେଥିରେ ବିଲରେ ବେଉଷଣ କରିବା କଷ୍ଟକର ହୋଇପଡିଛି। ଗଭୀର ବିଲରେ ପାଣି ରହିତଳି ନଷ୍ଟ ହୋଇଯାଇଥିବାବେଳେ ଢିପ ବିଲ ସବୁ ପାଣି ଅଭାବରୁ ଫାଟି ଆଁ କରିଛି।
– ପ୍ରାଣବନ୍ଧୁ ମାଝି, ଖମାର
ମିଳୁନି ସରକାରୀ ସହଯୋଗ
ଚଳିତବର୍ଷ ବର୍ଷା ବାଧକ ସାଜିଥିବା ବେଳେ ସରକାରୀ ସହଯୋଗ ମଧ୍ୟ ଚାଷୀଙ୍କୁ ମିଳିପାରୁ ନାହିଁ। ଠିକ୍‌ ସମୟରେ ସାର, କୀଟନାଶକ ଚାଷୀଙ୍କ ପାଖରେ ନ ପହଞ୍ଚିଥିଲେ ସମସ୍ୟା ବଢ଼ିଯିବ। ସୋସାଇଟିଗୁଡିକ ଏ ଦିଗରେ ଧ୍ୟାନ ଦେବା ଜରୁରୀ।
– ଫକୀର ସାହୁ, କମ୍ପସଲା
ପାଣିପାଗ ନେଇ ଠିକ୍‌ ସୂଚନା ମିଳୁ
ଭଲ ବର୍ଷା ହେବ ବୋଲି ଚଳିତବର୍ଷ ପୂର୍ବାନୁମାନ କରାଯାଇଥିବାରୁ ଚାଷୀମାନେ ଉତ୍ସାହିତ ଥିଲେ। କିନ୍ତୁ ଏବେ ନିଅଣ୍ଟିଆ ବର୍ଷା ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ପାଣିପାଗ ସମ୍ବନ୍ଧୀୟ ଠିକ୍‌ ସୂଚନା ଯେପରି ମିଳିପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉ।
– ନରୋତ୍ତମ ନାଏକ, ଖମାର

The post ବ୍ଲକ୍‌ର ଅଧା ଜମି ପଡ଼ିଆ appeared first on Dharitri Odia News.



Popular posts from this blog

କ୍ଷତିପୂରଣ ଲାଗି ବଢ଼ିପାରେ ଜିଏସ୍‌ଟି

ନୂଆଦିଲ୍ଲୀ,୩୧।୭-କରୋନା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କ ଟିକସ ଜନିତ ଆୟ ବର୍ତ୍ତମାନ କମିଛି। ଫଳରେ ରାଜ୍ୟଗୁଡିକର ଅଂଶ ପ୍ରଦାନ କରିବା ଦିଗରେ ବର୍ତ୍ତମାନ କଷ୍ଟକର ହେଉଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ବଡ ବଡ ରାଜ୍ୟକୁ ବାଦ୍‌ ଦେଲେ ଅଧିକାଂଶ ରାଜ୍ୟଗୁଡ଼ିକର ଆୟ କେନ୍ଦ୍ରଠାରୁ ମିଳୁଥିବା ଜିଏସ୍‌ଟି ଉପରେ ନିର୍ଭର କରିଥାଏ। ଲକ୍‌ଡାଉନ ଯୋଗୁ ଜିଏସ୍‌ଟି ଆଦାୟ ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏଭଳି ସ୍ଥିତିରେ କେନ୍ଦ୍ର ସମ୍ପୂର୍ଣ୍ଣ ହାତ ଟେକି ଦେଇଥିବା ଜଣାପଡିଛି। କେନ୍ଦ୍ର ଚାହୁଁଛି ଯେ, ରାଜ୍ୟଗୁଡ଼ିକ ବଜାରରୁ ଋଣ ଉଠାନ୍ତୁ। ରାଜସ୍ବ ମାମଲାରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଇନଗତ ଲଢ଼େଇ ଆରମ୍ଭ ହୋଇଯାଇଛି। ବଜାରରୁ ଋଣ ଉଠାଇବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି କେରଳ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ତାକୁ ବିରୋଧ କରୁଛନ୍ତି। କେନ୍ଦ୍ର ନିଜର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରୁ ବୋଲି ରାଜ୍ୟଗୁଡିକ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ବଜାରରୁ ଋଣ କରୁ ଏବଂ ରାଜ୍ୟଗୁଡିକ ଯେଉଁ ରାଜସ୍ବରେ ଯେଉଁ କ୍ଷତି ସହୁଛନ୍ତି ତା’ର ଭରଣା କରୁ ବୋଲି ରାଜ୍ୟଗୁଡିକ ଯୁକ୍ତିରେ କହିଛନ୍ତି। ୨୦୧୭ରେ ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ସମୟରେ କେନ୍ଦ୍ର ସରକାର କହିଥିଲେ ଯେ, ରାଜ୍ୟଗୁଡ଼ିକର ରାଜସ୍ବ ହ୍ରାସକୁ କେନ୍ଦ୍ର ଭରଣା କରିବ। ଆଗାମୀ ୫ ବର୍ଷ ଯାଏ ଏଭଳି ...

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବା ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସୁଦ୍ଧା ସରକାର ସ୍ପଷ୍ଟ କରିବାକୁ ପ୍ରୟାସ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ନ୍ୟାୟାଳୟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗରେ କିଛି ଆର୍ଥତ୍କ ମାମଲା ଜଡିତ ରହିଛି। ପ୍ରସଙ୍ଗଗୁଡିକୁ ବିଚାରକରିବା ଲାଗି ସମୟର ଆବଶ୍ୟକତା ରହିଛି। ଅକ୍ଟୋବର ପହିଲାରେ ମୋରାଟୋରିୟମ ମାମଲାର ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ, ଋଣ କିସ୍ତି ପ୍ରଦାନ କରିବାକୁ ସକ୍ଷମ ହେଉ ନ ଥିବା ଆକାଉଣ୍ଟଗୁଡିକୁ ଆଗାମୀ ୨ ମାସ ଯାଏ ଏନ୍‌ପିଏ ଘୋଷଣା କରା ନ ଯାଉ। ସୋମବାର ହୋଇଥିବା ଶୁଣାଣିରେ ...